ଓଡ଼ିଶା ହକିର ସ୍ଥିତି କେମିତି? ଓଡ଼ିଶାରେ ଚାକିରି ନ ମିଳିଲେ ହକିର ଉନ୍ନତି ହେବନି: ଦିଲୀପ ତିର୍କି

ଭୁବନେଶ୍ବର: ଦୁଇ ଦଶନ୍ଧିର ଖେଳ ଜୀବନ ଏବଂ ଗୋଟିଏ ଦଶନ୍ଧିର ରାଜନୀତି ଜୀବନ ପରେ ଏବେ ହକି ଅଲିମ୍ପିଆନ୍ ପଦ୍ମଶ୍ରୀ ଦିଲିପ ତିର୍କି ଏକପ୍ରକାର ଶାନ୍ତ ଓ ଶିଥିଳ। ଅଲୋଡ଼ା ନ ହେ‌ଲେ ବି ଉଭୟ କ୍ଷେତ୍ରରେ ନାହାନ୍ତି ସକ୍ରିୟ। ଓଡ଼ିଶାକୁ ଦ୍ବିତୀୟ ଥର ହକି ବିଶ୍ବକପ୍‌ ଆୟୋଜନ ଅଧିକାର ମିଳିଥିବାରୁ ଖୁସି ହୋଇଛନ୍ତି ଏହି କ୍ରୀଡ଼ା କିଂବଦନ୍ତି। ଓଡ଼ିଶା ହକି କିନ୍ତୁ ‘ଯଥା ପୂର୍ବ ତଥା ପରଂ’ ସ୍ଥିତିରେ ଥିବାରୁ ଦୁଃଖ ପ୍ରକାଶ କରିବାକୁ କୁଣ୍ଠିତ ହୋଇନିଥିଲେ ଏକଦା ବିଶ୍ବ କୀର୍ତ୍ତିମାନ କରିଥିବା ଏହି ମହାନ ଡିଫେଣ୍ଡର୍‌। ‘ସମ୍ବାଦ’କୁ ନିଜ ବାସଭବନରେ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାର ବେଳେ କହିଥିଲେ କିଛି ପଡ଼ିଆ ବାହାର କଥା।

ଓଡ଼ିଶାରେ ହକି ସ୍ଥିତି
ଓଡ଼ିଶା ସରକାରଙ୍କ ପାଇଁ ହକି ଏବେ ବିକାଶ ପଥରେ ରହିଛି। ରାଜ୍ୟରେ ବହୁ ବଡ଼ ବଡ଼ ପ୍ରତିଯୋଗିତା ହେଉଛି। ୨୦୨୩ ହକି ବିଶ୍ବକପ୍‌ ମଧ୍ୟ ପୁଣି ଥରେ ଓଡ଼ିଶାରେ ହେବ। ବଡ଼ ଖୁସିର କଥା ରାଉରକେଲା ମଧ୍ୟ ଏଥିରେ ସାମିଲ ହୋଇଛି। ଏହାକୁ ଦେଖି ହକି ନିଶ୍ଚିତ ଅଧିକ ଲୋକପ୍ରିୟ ହେବ। ସରକାର ଏବଂ କ୍ରୀଡ଼ା ବିଭାଗ ଯେଭଳି କାମ କରୁଛନ୍ତି ଏହା ଅଧିକ କ୍ରିୟାଶୀଳ ହୋଇଛି। ସୁନ୍ଦରଗଡ଼ର ପ୍ରତି ବ୍ଲକ୍‌ରେ ଆଷ୍ଟ୍ରୋ ଟର୍ଫ ହେବ ଏବଂ ୪/୫ ବର୍ଷର ପିଲା ବି ହକି ପ୍ରତି ଆକର୍ଷିତ‌ ହେବେ। ହକିର ଚାହିଦା ରାଜ୍ୟରେ ଅଧିକ ଗତିରେ ବଢ଼ିବାକୁ ଯାଉଛି। ଗ୍ରାମାଞ୍ଚଳରେ ମଧ୍ୟ ହକିର ପ୍ରଶିକ୍ଷଣ ବ୍ୟବସ୍ଥା ହେବ। ମହିଳାଙ୍କ ପାଇଁ ହାଇ ପରଫର୍ମାନ୍ସ କେନ୍ଦ୍ର ପ୍ରତିଷ୍ଠା ହୋଇଛି, ପୁରୁଷଙ୍କ ପାଇଁ ମଧ୍ୟ ହେବାକୁ ଯୋଜନା ରହିଛି। ବ୍ୟବସ୍ଥିତ ତାଲିମ ମିଳିବ, ବିଦେଶୀ ପ୍ରଶିକ୍ଷକଙ୍କ ଶୈଳୀର ଫାଇଦା ମିଳିବ।

ଜାତୀୟ ପ୍ରତିନିଧିତ୍ବ ଓ ପ୍ରତିଯୋଗିତା ଚିନ୍ତା
ଆମ ସମୟ ତୁଳନାରେ ଭାରତୀୟ ଦଳରେ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ବରେ ବୃଦ୍ଧି ଘଟିନାହିଁ। ମହିଳାମାନେ ସେମାନଙ୍କ ସ୍ଥିତି କାଏମ ରଖିଛନ୍ତି, କିନ୍ତୁ ପୁରୁଷ ମାନେ ନୁହେଁ। ଅବଶ୍ୟ ଜାତୀୟ ଶିବିରରେ ଓଡ଼ିଶା ମହିଳା ଓ କନିଷ୍ଠ ବର୍ଗର ଖେଳାଳିଙ୍କ ଭଲ ପ୍ରତିନିଧିତ୍ବ ରହିଛି। ସରକାର ଯେଭଳି ଭାବେ କାମ କରୁଛନ୍ତି ନିଶ୍ଚିତ ଆଗକୁ ଏହା ଆଶାଜନକ ହେବ‌ ବୋଲି ବିଶ୍ବାସ ଆସୁଛି। ସୁନ୍ଦରଗଡ଼ ବାଦ୍‌ ସବୁ ଜିଲ୍ଲାରେ ହକି ଲୋକପ୍ରିୟ ହୋଇପାରିଲେ ଏହା କ୍ରମେ କାୟାବିସ୍ତାର କରିବ। ଜାତୀୟ ହକି ପ୍ରତିଯୋଗିତାରେ ବି ଓଡ଼ିଶାର ପ୍ରଦର୍ଶନ ଭଲ ରହୁନାହିଁ। ଏହ‌ାର ଏକମାତ୍ର କାରଣ ହେଲା ‘ଆମେ ଯେତେବେଳେ ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯାଉଛୁ, ସେତେବେଳେ କେବଳ କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀଙ୍କୁ ନେଇ ଖେଳୁଛୁ। ଓଡ଼ିଶାର ଭଲ ଏବଂ ଅଭିଜ୍ଞ ଖେଳାଳିମାନେ ଭାରତ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌, ଆର୍ମି, ରେଳବାଇ, ଏୟାର୍‌ ଇଣ୍ଡିଆ ଆଦି ପେସାଦାର ଦଳରେ ଖେଳୁଛନ୍ତି। ଏପରିକି ଓଡ଼ିଶା ବିପକ୍ଷରେ ଖେଳିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟର ଅନ୍ତର୍ଜାତୀୟ ଖେଳାଳିମାନେ ମଧ୍ୟ ଓଡ଼ିଶା ପାଇଁ ଖେଳି ପାରୁନାହାନ୍ତି। ଓଡ଼ିଶା ଦଳ ଶକ୍ତିଶାଳୀ ହୋଇପାରୁନି। ଓଡ଼ିଶା ଭିତରେ ଯଦି ପ୍ରମୁଖ ଖେଳାଳିମାନେ ନିଯୁକ୍ତି ନ ପାଇବେ ଏବଂ ନ ରହିବେ ତେବେ ଜାତୀୟ ସ୍ତରରେ ଓଡ଼ିଶା ହକିର ଉନ୍ନତି ସମ୍ଭବ ହେବ ନାହିଁ। ଓଡ଼ିଶାରେ ଥିବା ନାଲ୍‌କୋ, ଏମ୍‌ସିଏଲ୍‌, ଏନ୍‌ଟିପିସି, ହାଲ୍‌, ପିପିଟି ଭଳି କର୍ପୋରେଟ୍‌ ସଂସ୍ଥା ଯଦି କ୍ରୀଡ଼ା କୋଟାରେ ହକି ଖେଳାଳିଙ୍କୁ ନିଯୁକ୍ତି ନ ଦେବେ ତେବେ ଓଡ଼ିଶା ଜାତୀୟ ପ୍ରତିଯୋଗିତାରେ ଭଲ କରିପାରିବ ନାହିଁ। ସାମଗ୍ରିକ ବିକାଶ ଘଟିବ ନାହିଁ।

ଖେଳାଳି ଓ ରାଜନୀତି
ଖେଳ ଓ ରାଜନୀତି ନିଜ ନିଜ ସ୍ଥାନରେ ସ୍ବତନ୍ତ୍ର। ଖେଳରେ ମୁଁ ବିଶେଷଜ୍ଞ ଥିଲି। ରାଜନୀତି କଷ୍ଟ କି ଜଟିଳ ନୁହେଁ। ଅଧିକ ଲୋକଙ୍କ ସହ ମିଶିବାର ଆବଶ୍ୟକତା ରଖିଥାଏ। ବହୁ ଖେଳାଳି ବି ଏବେ ରାଜନୀତିକୁ ଆସୁଛନ୍ତି। ଖେଳ ଜୀବନର ସଫଳତା ପରେ ମୁଁ ରାଜନୀତିକୁ ଆସିଥିଲି। ଏବେ ବି ରାଜନୀତିରେ ଅଛି ଏବଂ ଲୋକଙ୍କ ପାଇଁ କାମ କରିବାର ଅଭିଳାଷ ଓ ସ୍ବପ୍ନକୁ ସାକାର କରିବାର ପ୍ରୟାସ ଅବ୍ୟାହତ ରଖିଛି। ଖେଳ ନିଶ୍ଚିତ ଅଧିକ ଉପଭୋଗ୍ୟ, କିନ୍ତୁ ରାଜନୀତି ଜରିଆରେ ଲୋକଙ୍କ ସେବା ବଡ଼ ଆତ୍ମସନ୍ତୋଷ ଦିଏ। ଲୋକଙ୍କ ପାଇଁ କାମ କରିବା ଲାଗି ଏହା ଏକ ଭଲ ପ୍ଲାଟଫର୍ମ କିନ୍ତୁ ଆହ୍ବାନଭରା। ତଥାପି ଏବେ ମୋ ପାଇଁ ହକିକୁ ଯେତେ ସମ୍ଭବ ସେବା କରିବାର ସୁଯୋଗ ରହିଛି। ଓଡ଼ିଶା ହକି ବିକାଶ ପରିଷଦ (ଓଏଚଡିସି) ଗଠିତ ହୋଇଛି। ଏହାର ଅଧ୍ୟକ୍ଷ ଦାୟିତ୍ବ ମୋତେ ମିଳିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଏହା ପୂର୍ଣ୍ଣକାଳୀନ କାର୍ଯ୍ୟକ୍ଷମ ହେବା ଲାଗି ୧/୨ ମାସ ସମୟ ଲାଗିଯିବ। ଏହା ପରେ କେଉଁ କେଉଁ କ୍ଷେତ୍ରରେ ହକିର ବିକାଶ କରିହେବ ସେ ଖସଡ଼ା ପ୍ରସ୍ତୁତ ହେବ।

ପେସାଦାର ଗଲ୍‌ଫର୍‌ ପ୍ରୟାସ
ହକି ଜୀବନ ପରେ ଗଲ୍‌ଫ ପଡ଼ିଆରେ ଏବେ ଦିଲୀପ ତିର୍କିଙ୍କୁ ନିୟମିତ ଦେଖିବାକୁ ମିଳୁଛି। ନିଜକୁ ଫିଟ୍‌ ରଖିବାକୁ ଭୁବନେଶ୍ବର ଗଲ୍‌ଫ ‌କୋର୍ସ (ବିଜିସି)ରେ ଦୈନିକ ଝାଳ ବୁହାଇବା ସହିତ ଏହି ଖେଳର କୌଶଳ ବଢ଼ାଉଛନ୍ତି। ସୌଖିନ୍‌ ଭାବେ ଗଲ୍‌ଫ ଖେଳୁଥିଲେ ମଧ୍ୟ ଅଧିକାଂଶ ସମୟ ଗମ୍ଭୀରତାର ସହ ଏହାକୁ ନେଇଛନ୍ତି। ଏକାଧିକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବି ସଫଳତା ପାଇ ସାରିଛନ୍ତି। ଭବିଷ୍ୟତରେ ପେସାଦାର ଗଲ୍‌ଫର ହେବା ନେଇ ମଧ୍ୟ ବିଚାର କରିବି ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ କହିଥିଲେ ଏହି ୪୨ ବର୍ଷୀୟ କିଂବଦନ୍ତି। ଅଧିକରୁ ଅଧିକ ସମୟ ଦେବାକୁ ଚେଷ୍ଟା କରୁଛି, ଆଗକୁ ଦେଖିବା କ’ଣ ହେଉଛି ବୋଲି ପ୍ରକାଶ କରିଥିଲେ। ନିଜର ଏକମାତ୍ର ପୁଅ ଜୟେସର ଆଗ୍ରହକୁ ଦେଖି ବ୍ୟାଡମିଣ୍ଟନ୍‌ କି ଟେନିସ୍‌ ଖେଳାଇବା ଦ୍ବନ୍ଦ୍ବରେ ପଡ଼ିଥିବା ମଧ୍ୟ ସ୍ବୀକାର କରିଥିଲେ ଦିଲୀପ।

ସମ୍ବନ୍ଧିତ ଖବର