କୋଲକାତା: ଆଇପିଏଲ ଉତ୍ସାହକୁ ଓଦା କରିଦେବ କି ବର୍ଷା ? ବର୍ଷା-ପବନ ମାଡରେ ଧୋଇଯିବ କି ଆଇପିଏଲର ଉଦଘାଟନୀ ମ୍ୟାଚ୍ ? ଆରମ୍ଭରୁ ଆଇପିଏଲକୁ ନାଲି ଆଖି ଦେଖାଇଲାଣି ବର୍ଷା ? ଯଦି ବର୍ଷା ହୁଏ ତାହାଲେ କଣ ହେବ ଆଜିର ମ୍ୟାଚ୍ ? କେକେଆର-ଆରସିବି ଭିତରେ ଥିବା ମୁକାବିଲା ହେବ ନା ହେବନି ? ମ୍ୟାଚ୍ ପୂର୍ବରୁ ଏବେ ଅନେକ କ୍ରିକେଟ୍ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କିମାରୁଥିବା ବେଳେ ମ୍ୟାଚକୁ ନେଇ ଆଶା ଆଶଙ୍କା ଭିତରେ ରହିଛନ୍ତି ଦର୍ଶକ ।
ତେବେ କୋଲକାତାରେ ପାଣିପାଦ ଠିକ୍ ନଥିବା କାରଣରୁ ପାଣିପାଗ ବିଭାଗ ତରଫରୁ ବର୍ଷା-ବିଜୁଳି-ଘଡ଼ଘଡ଼ି ସହ ପବନର ମଧ୍ୟ ପୂର୍ବାନୁମାନ କରାଯାଇଛି । ଏହି ଦୃଷ୍ଟିରୁ ଦେଖିଲେ ବର୍ଷା ଆଜିର ମ୍ୟାଚକୁ ବିଗାଡିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଯଦି ପ୍ରବଳରୁ ଅତି ପ୍ରବଳ ବର୍ଷା ହୁଏ ତେବେ ମ୍ୟାଚର କଣ ହେବ...?
/sambad/media/media_files/2025/03/22/tiBFrJnU8l54V54eIR6B.jpg)
ଯଦି ବର୍ଷା ହୁଏ...
ଆଇପିଏଲରେ ଲିଗ୍ ଷ୍ଟେଜ୍ ମୁକାବିଲାରେ ରିଜର୍ଭ ଡେ’ ନଥାଏ । ହଁ ଯଦି ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହେବାରେ ବିଳମ୍ବ ହୁଏ ତେବେ ଅତିରିକ୍ତ ସମୟ ଦିଆଯାଏ । ଆଇପିଏଲରେ ମ୍ୟାଚ୍ ଆରମ୍ଭ ହେବାର ସମୟ ସନ୍ଧ୍ୟା ସାଢ଼େ ୭ ଏବଂ ଶେଷ ହେବା ସମୟ ରାତି ୧୧ ଟା । କିନ୍ତୁ ଯଦି ବର୍ଷା ହୁଏ ତାହେଲେ ଏହାର ସମୟ ବା ଅବଧି ଘଣ୍ଟାଏ ବଢିଥାଏ ।
ଟି-୨୦ କ୍ରିକେଟ୍ ମ୍ୟାଚରେ ରେଜଲ୍ଟ ପାଇଁ ୫-୫ ଓଭରର ଖେଳ ହେବା ନିହାତି ଜରୁରୀ । ଏଭଳି ସ୍ଥିତିରେ କେକେଆର୍ ଏବଂ ଆରସିବି ମ୍ୟାଚ୍ ଭିତରେ ଯଦି ବିଳମ୍ବ ହୁଏ ତେବେ ଏହି ସ୍ଥିତିରେ ୫ ଓଭରର ଖେଳ ପାଇଁ କଟ୍ ଅଫ୍ ଟାଇମ୍ ୧୦ ଟା ୫୬ ମିନିଟ୍ ଯାଏଁ ନିର୍ଦ୍ଧାରିତ କରାଯାଇଛି ।
କଟ୍ ଅଫ୍ ଟାଇମ୍ ପରେ ବି ଯଦି ମ୍ୟାଚ୍ ଆରମ୍ଭ ହୋଇପାରୁନି ତା’ହେଲେ ଅତିରିକ୍ତ ସମୟ ରାତି ୧୨ଟା ପର୍ୟ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି । ଆଉ ଏହା ପରେ ବି ଯଦି ପ୍ରବଳ ବର୍ଷା ଜାରି ରହିଲା ଏବଂ ମ୍ୟାଚ୍ ଆରମ୍ଭ ହୋଇପାରୁନି ତା’ହେଲେ ଅମ୍ପାୟାର୍ ଏବଂ ମ୍ୟାଚ୍ ରେଫରୀ ନିଷ୍ପତ୍ତି ନେବେ କଣ ହେବ । ଏଭଳି ସ୍ଥିତିରେ ମ୍ୟାଚ୍ ରଦ୍ଦ ହେବା ସହ ୨ ଟି ଟିମରେ ୧-୧ ପଏଣ୍ଟ୍ ବାଣ୍ଟିବା ଭଳି ପରିସ୍ଥିତି ଉପୁଜିଥାଏ ।