ହ୍ଵିଲ୍‌ ଚେୟାର ଅସିଚାଳନା ବିଶ୍ୱକପ୍‌: ରାଖାଲ୍‌, ରମେଶଙ୍କୁ ସୁଯୋଗ

ଭୁବନେଶ୍ୱର: ହ୍ଵିଲ୍‌ ଚେୟାର ଅସିଚାଳନା ବିଶ୍ୱକପ୍‌ ଲାଗି ୪ ଜଣିଆ ଭାରତୀୟ ଦଳରେ ୨ ଓଡ଼ିଆ ଖେଳାଳି ରାଖାଲ କୁମାର ସେଠୀ ଏବଂ ଭି ରମେଶ ରାଓ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ଚଳିତ ମାସ ୪ରୁ ୯ ତାରିଖ ପର୍ଯ୍ୟନ୍ତ ପୋଲାଣ୍ଡରେ ଅନୁଷ୍ଠିତ ହେବ। ମଣିପୁରରେ ଅନୁଷ୍ଠିତ ଜାତୀୟ ହ୍ଵିଲ୍‌ ଚେୟାର ଅସିଚାଳନା ପ୍ରତିଯୋଗିତାରେ ରାଖାଲ୍‌ ଏବଂ ରମେଶ ଦମ୍‌ଦାର ପ୍ରଦର୍ଶନ କରି ଏହି ସୁଯୋଗ ପାଇଥିଲେ। ଏଥିରେ ରାଖାଲ୍‌ ୩ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଏବଂ ରମେଶ ୨ ସ୍ୱର୍ଣ୍ଣ ଓ ୨ କାଂସ୍ୟ ଜିତିଥିଲେ। ବିଶ୍ୱକପ୍‌ ହେଉଛି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିବାର ଶେଷ ସୁଯୋଗ। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏସୀୟ ଟିକେଟ ହାସଲ କରିବାକୁ ଚେଷ୍ଟା କରିବି ବୋଲି ପୋଲାଣ୍ଡ ଯିବା ପୂର୍ବରୁ ରାଖାଲ କହିଛନ୍ତି। ବିଶ୍ୱକପ୍‌ରେ ସଫଳତା କାମନା କରି ଓଡ଼ିଶା ଦିବ୍ୟାଙ୍ଗ କ୍ରୀଡ଼ା ସଂଘ ସମ୍ପାଦକ ବିଷ୍ଣୁ ଚରଣ ସାହୁ, ପରିବର୍ତନ ଫାଉଣ୍ଡେସନ୍‌ ସଭାପତି ସଫିକ୍‌ ଆଫ୍‌ତାବ, ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ସଂଘର ସମ୍ପାଦିକା ନମିତା ସାହୁ, ଓଡ଼ିଶା ଅସିଚାଳନା ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଏବଂ ୟୁନିଅନ୍‌ ସ୍ପୋଟିଂ କ୍ଲବ୍‌ର ସମ୍ପାଦକ ପ୍ରଦୀପ ଚୌହାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର