ହ୍ବିଲ ଚେୟାର ଫେନ୍ସିଂ ସଂଘ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ପ୍ରଫୁଲ୍ଲ

ଭୁବନେଶ୍ବର: ଓଡ଼ିଶା ହ୍ବିଲ ଚେୟାର ଫେନସିଂ ସଂଘ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଅନ୍ତର୍ଜାତୀୟ ‌ହ୍ବିଲ ଚେୟାର ‌େଫନ୍ସିଂ ତାରକା ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏ। ସଂଘ ପାତର ଅନ୍ତର କରି ଅଧିକାଂଶ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ତାଙ୍କ ନାମ ଜାତୀୟ ସଂଘକୁ ପଠାଉନାହିଁ ବୋଲି ବୁଧବାର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି। ସେହିଭଳି ଏହି କାରଣରୁ ଚଳିତ ମାସ ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ ହ୍ବିଲ ଚେୟାର ଫେନ୍ସିଂ ଚାମ୍ପିଅନସିପ୍‌ରୁ ବଞ୍ଚିତ ହେଲେ ବୋଲି ଦୁଃଖର ସହ ମତ ପ୍ରକାଶ କରିଛନ୍ତି ସେ।

ପ୍ରଫୁଲ୍ଲ କହିଛନ୍ତି ଯେ ମୁଁ ୨୦୧୬ ମସିହାରୁ କ୍ୟାଟାଗୋରି-ବି’ରେ ଅଂଶଗ୍ରହଣ କରି ୬ ବର୍ଷ ମଧ୍ୟରେ ୧୫ ଜାତୀୟସ୍ତରୀୟ ପଦକ ଜିତି ସାରିଛି। ସେଥିମଧ୍ୟରେ ରହିଛି ୫ଟି ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ। ମୋତେ ଚଳିତବର୍ଷ ମେ’ ମାସ ୧୮ରୁ ୨୧ ପର୍ଯ୍ୟନ୍ତ ଥାଇଲାଣ୍ଡରେ ଆୟୋଜିତ ହ୍ବିଲ ଚେୟାର ଫେନ୍ସିଂ ବିଶ୍ବକପ୍‌ରେ ଖେଳିବାର ସୁଯୋଗ ମିଳିଥିଲା। ମୋ ବର୍ଗରେ ଭାରତୀୟ ଦଳରେ ଥିବା ସମସ୍ତ ଖେଳାଳିଙ୍କଠାରୁ ମୋ ପ୍ରଦର୍ଶନ ଭଲ ଥିଲା। ମୁଁ ସାବ୍ରି ବର୍ଗରେ କ୍ବାର୍ଟର ଫାଇନାଲ୍ ଯାଇଥିଲି। ଏହା ସତ୍ତ୍ବେ ପୋଲାଣ୍ଡରେ ଅନୁଷ୍ଠିତ ଅନ୍ୟ ଏକ ବିଶ୍ବକପ୍‌ ଖେଳିବା ଲାଗି ରାଜ୍ୟସଂଘ ଜାଣିଶୁଣି ମୋ ନାଁ ଜାତୀୟ ସଂଘକୁ ପଠାଇ ନଥିଲା। ଏପରିକି ଏହି ବିଷୟରେ କୌଣସି ସୂଚନା ମଧ୍ୟ ଦେଇନଥିଲା। ଅଥଚ ‌ମୋଠାରୁ ଖରାପ ପ୍ରଦର୍ଶନ କରିଥିବା ରାଖାଲ କୁମାର ସେଠୀ ଓ ଭି ରମେଶ ରାଓ ଭାରତୀୟ ଦଳରେ ନିଜ ନିଜ ସ୍ଥାନ ବଜାୟ ରଖିଥିଲେ।

ଏହି ବିଷୟ ମୁଁ ହ୍ବିଲଚେୟାର ଫେନ୍ସିଂ ଓଡ଼ିଶା ସଭାପତି ବେଲା ଜୟସ୍ବାଲଙ୍କୁ ଜଣାଇଥିଲି। ସେ ଏ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ପ୍ରଥମେ କହିଥିଲେ। ପରେ ପ୍ରଦର୍ଶନ ଖରାପ ଥିବାରୁ ମୋ ନାମ ବିଚାରକୁ ନିଆଯାଇ ନଥିବା ସଫେଇ ଦେଇଥିଲେ। ଯାହା ଆଦୌ ସତ ନଥିଲା। କାରଣ ରାଖାଲ ଓ ଭି ରମେଶ ରାଓ ସେମାନଙ୍କ ବର୍ଗରେ କରିଥିବା ପ୍ରଦର୍ଶନଠାରୁ ମୋ ପ୍ରଦର୍ଶନ ଯଥେଷ୍ଟ ଭଲ ଥିଲା। ଏହି ବିଷୟ ମୁଁ ଭାରତୀୟ ହ୍ବିଲଚେୟାର ଫେନ୍ସିଂ ସଭାପତି ଚେ ଚନ୍ଦ୍ରଶେଖରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲି। ଏବେ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପ୍‌ ପାଇଁ ଓଡ଼ିଶାର ଯେଉଁ ୪ ଜଣ ଖେଳାଳି ମନୋନୀତ ହୋଇଛନ୍ତି, ସେମାନଙ୍କ ଭିତରୁ ଜଣେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଆଦୌ ଅଂଶଗ୍ରହଣ କରିନାହାନ୍ତି। ବେଲା ଜୟସ୍ବାଲ ନିଜେ ଦଳ ସହ ଲଣ୍ଡନ ଯାଉଛନ୍ତି। ମୋର ଆଉ ଏକ ଅଭିଯୋଗ ହେଲା ରାଜ୍ୟର ଏହି ତଥାକଥିତ ବରିଷ୍ଠ ଖେଳାଳିମାନେ ଏପର୍ଯ୍ୟନ୍ତ ୧୫ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳି ସାରିଲେଣି। ହେଲେ ଗୋଟିଏ ବି ପଦକ ଜିତି ନାହାନ୍ତି। ଏପରିକି ଫାଇନାଲ୍ ବି ଖେଳିନାହାନ୍ତି। କେବଳ ସରକାରୀ ଖର୍ଚ୍ଚରେ ବିଦେଶ ଭ୍ରମଣ କରୁଛନ୍ତି। ସାବ୍ରି’ରେ ବିଶ୍ବ ମାନ୍ୟତାର ୪୬, ଫଏଲରେ ୪୭ ଥିଲେ ମଧ୍ୟ ମୋ ନାଁ ବିଚାରକୁ ନିଆଯାଉନାହିଁ। ଏଥିନେଇ ବେଲାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇ ନଥିଲା।

ସମ୍ବନ୍ଧିତ ଖବର