ବିଶ୍ବ ହ୍ବିଲଚେୟାର ଅସିଚାଳନା: ଇପି ଟେବୁଲ-୬୪ରୁ ରାଖାଲ, ରମେଶ ବିଦା

ଭୁବନେଶ୍ବର : ପୋଲାଣ୍ଡରେ ଆୟୋଜିତ ଆଇଡବ୍ଲୁଏସ୍‌ ହ୍ବିଲଚେୟାର ଅସିଚାଳନା ବିଶ୍ବକପ୍‌ରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ଦୁଇ ଓଡ଼ିଆ ରାଖାଲ କୁମାର ସେଠୀ ଓ ଭି ରମେଶ ରାଓ ଇପି ଟେବୁଲ-୬୪ରୁ ବିଦାୟ ନେଇଛନ୍ତି। ପୁରୁଷ ଇପି ‘ଏ’ ବର୍ଗରେ ରାଖ‌ାଲ ୬ଟି ପୁଲ୍‌ ମ୍ୟାଚ୍‌ରୁ ୨ଟି ଜିତି ଟେବୁଲରେ ପହଞ୍ଚିଥିଲେ। ହେଲେ ଟେବୁଲ-୬୪ରେ ବିଶ୍ବର ୫୪ ନମ୍ବର ରାଖାଲ ୬-୧୫ରେ ୩୬ ନମ୍ବର ଫ୍ରାନ୍ସର ରବିନ ସର୍ଜେଙ୍କଠୁ ହାରି ବିଦାୟ ନେଇଥିଲେ। ପୁଲ୍‌ରେ ରାଖାଲ ପୋଲାଣ୍ଡର ଜାକୁବ କୋଚାନଙ୍କୁ ୫-୩ ଏବଂ କୁୱେତର ମହମ୍ମଦ ଅଲ୍‌ବାସ୍ତାକିଙ୍କୁ ୫-୧ରେ ହରାଇଥିଲେ। ବିଶ୍ବ ମାନ୍ୟତାର ୪୧ତମ ସ୍ଥାନରେ ଥିବା ରମେଶ ପୁଲ୍‌ରେ‌ ଗୋଟିଏ ମ୍ୟାଚ୍‌ ସ୍ପେନ୍‌ର ମାନୁଏଲ କ୍ବି‌ସାଦାଙ୍କୁ ୫-୦ରେ ହରାଇ ଟେବୁଲ-୬୪ରେ ସ୍ଥାନ ପକ୍କା କରିଥିଲେ। ଏହି ଟେବୁଲରେ ସେ ୩-୮ରେ ୬୪ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର କୋରାକୋଡ ସାଙ୍ଗ ସାୱାଙ୍ଗଠୁ ପରାସ୍ତ ହୋଇଥିଲେ। ସେହିପରି ପୁରୁଷ ସାବ୍‌ରେ ‘ଏ’ ବର୍ଗରେ ରାଖାଲ ଟେବୁଲ-୩୨ରୁ ବିଦାୟ ନେଇଥିଲେ। ୬ ପୁଲ୍‌ ମ୍ୟାଚ୍‌ରୁ ୩ ଜିତି ରାଖାଲ ଟେବୁଲ-୩୨ରେ ପହଞ୍ଚିଥିଲେ। ଟେବୁଲ-୩୨ରେ ସେ ଫ୍ରାନ୍ସର ଏଇ ଆସିନେ ମୋଇଜଙ୍କଠୁ ୧୧-୧୫ରେ ହାରିଯାଇଥିଲେ। ଶନିବାର ଉଭୟ ଫଏଲ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏଥିରେ ଭଲ କରିବା ଲାଗି ଉଭୟ ଅଶାବାଦୀ ରହିଛନ୍ତି।

ସମ୍ବନ୍ଧିତ ଖବର