ରାଉରକେଲାରେ ଭେଲୋଡ୍ରମ୍‌ କେବେ?

ଓଡ଼ିଶାର ମାତ୍ର ୪ ଜଣ ସାଇକ୍ଲିଷ୍ଟ ଦେଶର ପ୍ରତିନିଧିତ୍ବ କରିଛନ୍ତି, ସମସ୍ତେ ରାଉରକେଲାର

ରାଉରକେଲା: ଓଡ଼ିଶାରେ ଯଦି ହକି ଓ ସାଇକ୍ଲି ସମ୍ପର୍କରେ ଆଲୋଚନା ହୁଏ, ତେବେ ଗୋଟିଏ କଥା ସମାନ ଦିଶିବ। ତା ହେଉଛି, ଏହି ଦୁଇ କ୍ରୀଡ଼ାରେ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲାର ସମ୍ପୂର୍ଣ୍ଣ ଆଧିପତ୍ୟ ରାଜ୍ୟରେ ରହି ଆସିଛି। ଏଇ ଦୁଇ କ୍ରୀଡ଼ାରେ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯେତେ ସଫଳତା ମିଳିଛି, ତା ପଛରେ ସୁନ୍ଦରଗଡ଼ ଓ ରାଉରକେଲା ଖେଳାଳିଙ୍କ ଅବଦାନ ରହିଛି। ଅବଶ୍ୟ ସାଇକ୍ଲି ତୁଳନାରେ ହକି ବହୁ ଆଗରେ ରହିଛି। କିନ୍ତୁ ସାଇକ୍ଲିଂ କ୍ଷେତ୍ରରେ ରାଜ୍ୟକୁ ମିଳିଥିବା ସଫଳତାରେ ସିଂହଭାଗ ରାଉରକେଲା ସାଇକ୍ଲିଷ୍ଟମାନେ ଆଣିଛନ୍ତି। ଏଯାଏ ଓଡ଼ିଶାର ମାତ୍ର ୪ ଜଣ ସାଇକ୍ଲିଷ୍ଟ ଦେଶର ପ୍ରତିନିଧିତ୍ବ କରିବାର ଗୌରବ ହାସଲ କରିଛନ୍ତି। ସେମାନେ ସମସ୍ତେ ହେଉଛନ୍ତି ରାଉରକେଲାର ଏବଂ ସେମାନଙ୍କ ପଛରେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ଭୂମିକା ରହିଛି।

ଏହା ଗୋଟିଏ ସଂଯୋଗ ଯେ ପଚାଶ ଦଶକରେ ଯେତେବେଳେ ରାଉରକେଲାରେ ଇସ୍ପାତ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେହି ସମୟରେ ୧୯୫୬ରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନର ସ୍ଥାପନା ହୋଇଥିଲା। ଷାଠିଏ ଦଶକରେ ଓଡ଼ିଶାର ପ୍ରତିଯୋଗୀମାନେ ଜାତୀୟ ପ୍ରତିଯୋଗିତାରେ ପଦକ ଜିତିବା ଆରମ୍ଭ କଲେ। ଚନ୍ଦ୍ରଶେଖର ଜେନା, ଖଗେଶ୍ବର ମହାନ୍ତି, ସୁଭାଷ ଦେ, ଶରତ ଚନ୍ଦ୍ର ଦାସ, ସୁଭାଷ ଚନ୍ଦ୍ର ଦାସ, ଲମ୍ବୋଦର ଷଡ଼ଙ୍ଗୀ, ଏସ୍‌ ଆର୍‌ ସିଂହ, ନରସିଂହ ସାହୁ, ମିନତି ମହାପାତ୍ର, ଅଳକା ମିତ୍ର, ଅଳ୍ପନା ବୋଷ, ସୁଶୀଲ କୁମାର ଦାସ, ମିତାଞ୍ଜଳୀ ନାୟକ, ଏସ କୀର୍ତ୍ତରଂଜନ, ଦିନେଶ କୁମାର, ସ୍ବସ୍ତି ସିଂହ, ବିଜୟ କୁମାର ରାଉତ (ଜାପାନୀ) ଜାତୀୟ ପଦକ ଜିତିଛନ୍ତି। ଏହି ତାଲିକାରେ ଥିବା ନାମଗୁଡିକ ମଧ୍ୟରୁ କଟକର ବିଜୟ କୁମାର ରାଉତଙ୍କ ବ୍ୟତୀତ ସମସ୍ତେ ହେଉଛନ୍ତି ରାଉରକେଲାର। ରାଜ୍ୟରୁ ବାହାରି ଥିବା ୪ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ- ମିନତି ମହାପାତ୍ର, ସୁଶୀଲ କୁମାର ଦାସ, ଦିନେଶ କୁମାର ଓ ସ୍ବସ୍ତି ସିଂହ ରାଉରକେଲାର। ଅର୍ଜୁନ ପୁରସ୍କାର ହାସଲ କରିବାରେ ପ୍ରଥମ ଓଡ଼ିଆ ହେଉଛନ୍ତି ସାଇକ୍ଲିଷ୍ଟ ମିନତି ମହାପାତ୍ର ଅବଶ୍ୟ ସେ ପୁରୀ ଜିଲ୍ଲାର ମୂଳ ଅଧିବାସୀ। କିନ୍ତୁ ରାଉରକେଲାରେ ରହି ସେ ସାଇକ୍ଲିଂକୁ କ୍ୟାରିୟର୍‌ କରିଥିଲେ। ଏଥିରୁ ସାଇକ୍ଲିଂରେ ରାଉରକେଲାର ସ୍ଥାନ କେଉଁଠି, ସହଜରେ ଅନୁମେୟ।

ପୂର୍ବ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ ଓ ବର୍ତ୍ତମାନ ଇସ୍ପାତ କାରଖାନା କ୍ରୀଡ଼ା ବିଭାଗରେ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ସୁଶୀଲ କୁମାର ଦାସ କହନ୍ତି, ରାଉରକେଲା ଆରମ୍ଭରୁ ହିଁ ପ୍ରତିଭାଶାଳୀ ସାଇକ୍ଲିଷ୍ଟ ତିଆରି କରିବା ପାଇଁ ଉର୍ବର ଭୂମି ଭାବେ ଉଭା ହୋଇଛି। ଏହା ପଛରେ ସ୍ବର୍ଗତ ଚନ୍ଦ୍ରଶେଖର ଜେନାଙ୍କ ମୁଖ୍ୟ ଅବଦାନ ରହିଛି। ତାଙ୍କ ଦ୍ବାରା ଲଗା ଯାଇଥିବା ଗଛର ଫଳ ଏଯାଏ ରାଉରକେଲାକୁ ମିଳୁଛି। ଜାତୀୟ ପ୍ରତିଯୋଗିତାକୁ ଓଡ଼ିଶାରୁ ଯାଉଥିବା ଅଧିକାଂଶ ସାଇକ୍ଲିଷ୍ଟ ହେଉଛନ୍ତି ରାଉରକେଲାର। ରାଉରକେଲା ଇସ୍ପାତ କାରଖାନା ଏଥିରେ ଯଥାସମ୍ଭବ ସହାୟତା ଯୋଗାଇ ଆସୁଛି। ସାଇକ୍ଲିଂ ଏକ ବ୍ୟୟବହୁଳ କ୍ରୀଡ଼ା। ଏଥିରେ ବ୍ୟବହାର କରା ଯାଉଥିବା ଗୋଟିଏ ଗୋଟିଏ ସାଇକଲର ଦାମ୍‌ ହେଉଛି ଅତିକମରେ ୨-୩ ଲକ୍ଷ ଟଙ୍କା। ଇସ୍ପାତ କାରଖାନା ଗୋଟିଏ ଅନ୍ତର୍ଜାତୀୟ ସ୍ତରର ସାଇକଲ ଦେଇଛି । ଏହି ସାଇକଲକୁ ଆମର ସମସ୍ତ ପ୍ରତିଯୋଗୀ ଜାତୀୟ ପ୍ରତିଯୋଗୀତାରେ ଉପଯୋଗ କରୁଛନ୍ତି।

ଶ୍ରୀ ଦାସଙ୍କ କହିବା ଅନୁସାରେ, ସାଇକ୍ଲିଂରେ ରାଜ୍ୟରେ ଯଥେଷ୍ଟ ପ୍ରତିଭା ଅଛନ୍ତି। କିନ୍ତୁ ତା’ର ଫାଇଦା ପାଇବାକୁ ହେଲେ ଏଠି ଆବଶ୍ୟକ ସୁବିଧାର ବିକାଶ ଆବଶ୍ୟକ। ସାଇକ୍ଲିଂ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟମାନଙ୍କ ସମକକ୍ଷ ହେବା ପାଇଁ ରାଜ୍ୟରେ, ଏକ ଭେଲୋଡ୍ରମ୍ ନିହାତି ଆବଶ୍ୟକ। ତାହା ରାଉରକେଲାରେ ହେବାର ସବୁ ଯୁକ୍ତି ଅଛି। ରାଜ୍ୟ ସରକାର ରାଉରକେଲାରେ ଅନେକ ବଡ଼ ବଡ଼ ଷ୍ଟାଡିୟମ ତିଆରି କରୁଛନ୍ତି, ଯଦି ଏଠାରେ ଭେଲୋଡ୍ରମ୍ ହୋଇଯାଏ, ତେବେ ପିଲାମାନଙ୍କୁ ଅଭ୍ୟାସ ପାଇଁ ରାଜରାସ୍ତାକୁ ଯିବାକୁ ପଡ଼ିବ ନାହିଁ। ଏହା ଫଳରେ ବିପଦ କମିଯିବ ଓ ଆହୁରି ଅଧିକ ସଂଖ୍ୟାରେ ପିଲା ସାଇକ୍ଲିଂ ପ୍ରତି ଆକୃଷ୍ଟ ହେବେ। ପୁଣି ଏଠାରେ ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ କରିବା ମଧ୍ୟ ସମ୍ଭବ ହେବ। ଭେଲୋଡ୍ରମ୍ ସହିତ ଚାରିଟି ଟ୍ରେକ ସାଇକଲ, ଚାରିଟି ରୋଡ଼ ସାଇକଲ, ଗୋଟିଏ ୱାଟ୍‌ବାଇକ୍ ଓ ତିନି ସିଲିଣ୍ଡର୍‌ ରୋଲର୍‌ ସୁବିଧା ଆବଶ୍ୟକ। ଏସବୁ ସୁବିଧା ହେଲେ ରାଉରକେଲାରୁ ନିୟମିତ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ ବାହାରିବେ। ଅନେକ ଅଭାବ ସତ୍ତ୍ବେ ରାଉରକେଲାରୁ କ୍ରମାଗତ ଭାବେ ଜାତୀୟ ସ୍ତରର ଯେତେ ସାଇକ୍ଲିଷ୍ଟ ବାହାରୁଛନ୍ତି, ତାକୁ ଦୃଷ୍ଟିରେ ରଖି, କ୍ରୀଡ଼ାପ୍ରେମୀ ରାଜ୍ୟ ସରକାର ରାଉରକେଲାକୁ ଅଗ୍ରାଧିକାର ଦେଇ ଏଠାରେ ସାଇକଲ ଚାଳନା କ୍ରୀଡ଼ା ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରତି ବିଚାର କରିବା ଆବଶ୍ୟକ ବୋଲି ଏଠାକାର କ୍ରୀଡ଼ାପ୍ରେମୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର