ଯେତେବେଳେ କୋହଲିଙ୍କ ସମର୍ପଣ ଭାବ ରିଚାର୍ଡସଙ୍କ ହୃଦୟକୁ ଛୁଇଁଯାଇଥିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ବିଗତ ଦିନର ମହାନ ୱେଷ୍ଟଇଣ୍ଡିଆନ୍ କ୍ରିକେଟର୍‌ ଭିଭିଆନ୍ ରିଚାର୍ଡସଙ୍କୁ ବେଶ୍ ସମ୍ମାନ ଓ ଭକ୍ତି କରନ୍ତି। ରିଚାର୍ଡସ ମଧ୍ୟ କୋହଲିଙ୍କୁ ବେଶ୍ ଭଲ ପାଆନ୍ତି। ଏକଥା ଉଭୟ ଅନେକ ସମୟରେ ଖୋଲାଖୋଲି ଭାବେ କହିଛନ୍ତି। କୋହଲିଙ୍କ ଅସାଧାରଣ କ୍ରିକେଟ୍ ଦକ୍ଷତା ସହ ତାଙ୍କ ଭକ୍ତିପୂର୍ଣ୍ଣ ବ୍ୟବହାର କିଭଳି ଏକଦା ରିଚାର୍ଡସଙ୍କ ହୃଦୟକୁ ଛୁଇଁଯାଇଥିଲା, ସେକଥା ବର୍ଣ୍ଣନା କରିଛନ୍ତି ସେ। ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପ୍ରତିଷ୍ଠିତ ଭାଷ୍ୟକାର ବିବେକ ରାଜଦାନଙ୍କ ସହ ଆଲୋଚନା ବେଳେ କୋହଲିଙ୍କ ମାନବିକତାର ଉଦାହରଣ ଦେବାକୁ ଯାଇ ଏକ ରୋଚକ ଘଟଣା ଉପରୁ ପରଦା ଉଠାଇଥିଲେ ରିଚାର୍ଡସ। ଘଟଣାଟି ରିଚାର୍ଡସ୍‌ ଓ କୋହଲି ଏକାଠି ଆଣ୍ଟିଗୁଆରୁ ଜାମାଇକା ଯାତ୍ରା କରୁଥିଲା ବେଳେ ଘଟିଥିଲା। ଆଉ ପୂରା ଘଟଣାଟି ଥିଲା ଏମିତି।

୨୦୧୯ ମସିହାରେ ଭାରତ ‌ଯେତେବେଳେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା ମ୍ୟାଚ୍‌ଗୁଡ଼ିକ ସେଠାକାର ବିଭିନ୍ନ ଦ୍ବୀପରେ ଖେଳାଯାଉଥିଲା। ଏଣୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ସମସ୍ତଙ୍କ ପାଇଁ ଗୋଟିଏ ବିଶାଳ ବିମାନର ଯୋଗାଡ଼ କରିଥିଲା। ଏଥିରେ ଖେଳାଳି, ଭା‌ଷ୍ୟକାର ଏବଂ ଅଧିକାରୀ ସମସ୍ତେ ଏକାଠି ଯାତ୍ରା କରୁଥିଲେ। ଆଣ୍ଟିଗୁଆରେ ମ୍ୟାଚ୍ ଶେଷ ହେବା ପରେ ଜାମାଇକା ଯିବା ବେଳେ ଖେଳାଳିମାନେ ପ୍ରଥମେ ସଂପୃକ୍ତ ବିମାନରେ ବସିଥିଲେ। ଅନ୍ୟ ଅଧିକାରୀମାନେ ବି ବସି ସାରିଥିଲେ। ରିଚାର୍ଡସ ପହଞ୍ଚିଲା ବେଳକୁ ବିମାନଟି ପୂରା ଭର୍ତ୍ତି ହୋଇଯାଇଥିଲା। ଏଣୁ ତାଙ୍କ ଲଗେଜ୍ ବା ପୁଟୁଳା ରଖିବା ଲାଗି ରିଚାର୍ଡସଙ୍କୁ ଜାଗା ମିଳିନଥିଲା। ସେତେବେଳେ କୋହଲିଙ୍କ ଛଡ଼ା ଅନ୍ୟ କେହି ଛିଡ଼ା ହୋଇନଥିଲେ କିମ୍ବା ରିଚାର୍ଡସଙ୍କୁ ସହ‌ଯୋଗ କରିନଥିଲେ। ଶେଷରେ କୋହଲି ନିଜ ଲଗେଜ୍ କାଢ଼ି ନେଇ ବିମାନର ସିଟ୍ ତଳେ ରଖିଥିଲେ ଏବଂ ରିଚାର୍ଡସଙ୍କୁ ତାଙ୍କ ସ୍ଥାନ ଛାଡ଼ି ଦେଇଥିଲେ। ଏହା ଦେଖି ରିଚାର୍ଡସ ଚକିତ ହୋଇଯାଇଥିଲେ। କାରଣ ସେତେବେଳେ କୋହଲି କେବଳ ଭାରତୀୟ ଦଳର ଅଧିନାୟକ ନଥିଲେ ବରଂ ବିଶ୍ବ କ୍ରିକେଟ୍‌ର ଶ୍ରେଷ୍ଠ ବ୍ୟାଟର୍‌ର ଆଖ୍ୟା ଲାଭ କରିଥିଲେ। କୋହଲିଙ୍କ ଏହି ସମର୍ପଣ ଭାବନା ଦେଖି ରିଚାର୍ଡସ ସେତେବେଳେ ଗଦଗଦ୍ ହୋଇଯାଇଥିଲେ। ତାଙ୍କ ପ୍ରଶଂସକ ପାଲଟି ଯାଇଥିଲେ। ତା’ ସହ ତତକ୍ଷଣାତ୍ କୋହଲିଙ୍କ କାନ୍ଧକୁ ଥାପୁଡ଼ାଇ ତାଙ୍କୁ ଆଶୀର୍ବାଦଭରା କଷ୍ଠରେ ଧନ୍ୟବାଦ ବୋଲି କହିଥିଲେ।

ସମ୍ବନ୍ଧିତ ଖବର