ମୁମ୍ବାଇ: ଗୋଇଠିରେ ବଲ୍ ବାଜିବାରୁ ଦୁଇଟି ମ୍ୟାଚ୍ରେ ଖେଳିପାରି ନଥିବା ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ସେମିଫାଇନାଲ୍ ପୂର୍ବରୁ ଦଳକୁ ଫେରିବା ଆଶା କରାଯାଉଛି। ହେଲେ ତାଙ୍କ ଅନୁପସ୍ଥିତିରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ମହମ୍ମଦ ସାମି ଓ ସୂର୍ଯ୍ୟକୁମାର ଯାଦବ ଏବେ ଭଲ ଲୟରେ ଅଛନ୍ତି। ତେଣୁ ଥରେ ସେ ସୁସ୍ଥ ହୋଇ ଦଳକୁ ଫେରିଲେ କାହା ସ୍ଥାନ ନେବେ ତାହାକୁ ନେଇ ଏବେ ତର୍ଜମା ଚାଲିଛି।
ସାମି ପ୍ରଥମ ୪ ମ୍ୟାଚ୍ରେ ଖେଳି ନଥିଲେ। ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗ ମିଳିବାରୁ ୫ ୱିକେଟ୍ ସଫଳତା ପାଇଥିଲେ ଓ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ରେ ସେ ୪ ୱିକେଟ୍ ପାଇଥିଲେ। ସେହିପରି ସୂର୍ଯ୍ୟ ମଧ୍ୟ ଇଂଲଣ୍ଡ ବିପକ୍ଷରେ କିଛି ଭଲ ସଟ୍ ଖେଳିଥିଲେ। ବିପର୍ଯ୍ୟୟରେ ପଡ଼ିଥିବା ଭାରତୀୟ ଦଳକୁ ସେ ଉଦ୍ଧାର କରିଥିଲେ। ଅର୍ଦ୍ଧଶତକ କରିପାରି ନଥିଲେ ମଧ୍ୟ ରୋହିତ ଶର୍ମାଙ୍କ ପରେ ସୂର୍ଯ୍ୟଙ୍କ ଅବଦାନ ବହୁତ ବଡ଼ ଥିଲା।
ପୂର୍ବତନ ଅଲରାଉଣ୍ଡର ମଦନ ଲାଲ୍ଙ୍କ ମତରେ, ଭାରତ ପାଖରେ ୫ ବୋଲର ଅଛନ୍ତି ଏବଂ ସମସ୍ତେ ଭଲ ପ୍ରଦର୍ଶନ ଦେଉଛନ୍ତି। ହାର୍ଦିକ ଷଷ୍ଠ ବୋଲର ଭୂମିକା ନିର୍ବାହ କରୁଥିଲେ। ସେ ବ୍ୟାଟିଂ ମଧ୍ୟ ଭଲ କରୁଛନ୍ତି। ଗତ କିଛି ବର୍ଷ ହେବ ହାର୍ଦିକ ନିଜ ପ୍ରତିଭା ବଳରେ ଭାରତୀୟ ଦଳର ପ୍ରମୁଖ ଅଙ୍ଗ ପାଲଟି ଯାଇଛନ୍ତି। ଭାରତୀୟ ଦଳକୁ ସେ ଉଚିତ ସନ୍ତୁଳନ ପ୍ରଦାନ କରୁଛନ୍ତି। ସେ କେବେବି ଅଧିନାୟକଙ୍କୁ ନିରାଶ କରିନାହାନ୍ତି। ଅଧିନାୟକ ଚାହିଲେ ୫ ବୋଲର ଓ ୫ ବ୍ୟାଟର୍ଙ୍କୁ ନେଇପାରିବେ ଏବଂ ପାଣ୍ଡ୍ୟା ଉଭୟ ବ୍ୟାଟିଂ ଓ ବୋଲିଂ କରିପାରିବେ। ତେଣୁ ସେ ଯଦି ଦଳକୁ ଆସନ୍ତି, ତା’ହେଲେ ଶ୍ରେୟସ ଆୟରଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ମଦନ ଲାଲ ଅନୁମାନ କରିଛନ୍ତି। ଶ୍ରେୟସ ବିଶ୍ବକପ୍ରେ ସେଭଳି ପ୍ରଦର୍ଶନ ଦେଇପାରି ନାହାନ୍ତି। ସର୍ଟ ପିଚ୍ ବଲ୍ରେ ଯେଉଁଭଳି ଭାବେ ସେ ଆଉଟ୍ ହେଉଛନ୍ତି, ତାହା ଭଲ ଲାଗୁନି। ତାଙ୍କୁ ବାହାରେ ବସାଇ ସୂର୍ଯ୍ୟକୁମାରଙ୍କୁ ୫ ନମ୍ବର ଓ ପାଣ୍ଡ୍ୟାଙ୍କୁ ୬ ନମ୍ବର ସ୍ଥାନରେ ବ୍ୟାଟିଂ ଦେଲେ ଠିକ୍ ରହିବ ବୋଲି ମଦନ ଲାଲ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/hardik-pandya.jpg)