ଲାହୋର: ପ୍ରାୟ ସାଢ଼େ ୪ ମାସ ପରେ ପାକିସ୍ତାନ ନେତୃତ୍ବ ପଦକୁ ଫେରିଛନ୍ତି ବ୍ୟାଟର୍ ବାବର ଆଜମ। ଗତବର୍ଷ ନଭେମ୍ବରରେ ଭାରତରେ ବିଶ୍ବକପ୍ ବିପର୍ଯ୍ୟୟ ପରେ ବାବର ସମସ୍ତ ଫର୍ମାଟ୍ ନେତୃତ୍ବରୁ ଓହରିଯାଇଥିଲେ। ସମସ୍ତ ଫର୍ମାଟ୍ରେ ନେତୃତ୍ବ ନେବାକୁ ସେ ପୁଣି ଆଗ୍ରହୀ ଥିଲେ ମଧ୍ୟ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏହା ଦେଇନାହିଁ। ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ବକପ୍ରେ ପାକିସ୍ତାନ ନକ୍ ଆଉଟ୍ ଯୋଗ୍ୟତା ଅର୍ଜନ କରିପାରିନଥିଲା। ବାବର ଅଧିନାୟକତ୍ବ ଛାଡ଼ିବା ପରେ ସାହିନ୍ ସାହା ଆଫ୍ରିଦିଙ୍କୁ ଟ୍ବେଣ୍ଟି-୨୦ ଦଳର ଏବଂ ସାନ ମାସୁଦଙ୍କୁ ଟେଷ୍ଟ୍ ଦଳର ନେତୃତ୍ବ ଭାର ଦିଆଯାଇଥିଲା। ଜାନୁଆରିରେ ନ୍ୟୁଜିଲାଣ୍ଡ୍ ଗସ୍ତରେ ଆଫ୍ରିଦିଙ୍କ ଦଳ ୧-୪ରେ ପରାସ୍ତ ହୋଇଥିଲା। ଏବେ ବାବରଙ୍କୁ କେବଳ ଧଳାବଲ୍ (ଟ୍ବେଣ୍ଟି-୨୦ ଓ ଦିନିକିଆ) ଦଳର ଅଧିନାୟକ ନିଯୁକ୍ତ କରାଗଲା ବୋଲି ପିସିବି ଚୟନ ସମିତି ଅଧ୍ୟକ୍ଷ ମୋହସିନ୍ ନକ୍ଭି ରବିବାର ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ବାବରଙ୍କ ଦାୟିତ୍ବ ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଆରମ୍ଭ ହେବ। ଏହା ଆସନ୍ତା ମାସରେ ଖେଳାଯିବ। ଏଥି ସହିତ ଜୁନ୍ ମାସରେ ବାବରଙ୍କ ଅସଲ ପରୀକ୍ଷା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ହେବ।
ଅନ୍ୟପକ୍ଷରେ ଆଡାମ ଭୋଗ୍ସ, ଲ୍ୟୁକ୍ ରୋଞ୍ଚି, ସେନ୍ ୱାଟସନ୍ ଓ ମାଇକ୍ ହେସନଙ୍କ ଭଳି ପ୍ରଶିକ୍ଷକ ତଥା ପୂର୍ବତନ ଖେଳାଳି ପାକିସ୍ତାନର ପ୍ରଶିକ୍ଷକ ହେବାକୁ ମନା କରିବା ପିସିବିକୁ ଅଡ଼ୁଆରେ ପକାଇଛି। ବୋର୍ଡ ଏବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟନ ଏବଂ ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର୍ ଜାସନ ଜିଲେସ୍ପିଙ୍କ ସହ ଆଲୋଚନା ଆରମ୍ଭ କରିଛି।