ହ୍ବାଇଟ୍ ଷ୍ଟାର୍କସ ଜିତିଲା ୱିନର୍ସ ପ୍ରିମିୟର ଲିଗ୍

ଭୁବନେଶ୍ବର: ୱିନର୍ସ ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣରେ ଓଡ଼ିଶା ହ୍ବାଇଟ୍ ଷ୍ଟାର୍କସ ବିଜେତା ଆଖ୍ୟା ଅର୍ଜନ କରିଛି। ମଞ୍ଚେଶ୍ବର ସ୍ଥିତ ଇଡ୍‌କୋ ପଡ଼ିଆରେ ବୁଧବାର ଖେଳାଯାଇଥିବା ଫାଇନାଲ୍‌ରେ ୯୮ ରନ୍‌ରେ ଛତିଶଗଡ଼ ବୁଲ୍ ଫାଇଟର୍ସକୁ ହରାଇ ୱିନର୍ସ ଦଳ ଏହି ସଫଳତା ଲାଭ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଷ୍ଟାର୍କସ ଦଳ ନିର୍ଧାରିତ ୨୦ ଓଭରରେ ୧୬୫ ରନ୍ କରିଥିଲା। ସୁବାଷ ପାତ୍ର ୩୮ ଓ କମଳାକାନ୍ତ ବେହେରା ୨୬ ରନ୍ କରିଥିଲେ। ଏହାର ଜବାବରେ ଛତିଶଗଡ଼ ଦଳ ୧୬.୨ ଓଭରରେ ମାତ୍ର ୬୭ ରନ୍ କରି ପାରିଥିଲା। ବିଜୟୀ ଦଳର ଅଲରାଉଣ୍ଡର କମଳାକାନ୍ତ ବେହେରା (୨୬ ରନ୍‌, ୨ ୱିକେଟ୍‌) ଫାଇନାଲ୍ ସହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଅକ୍ଷୟ ମହାନ୍ତି ଓ ତପନ ବେହେରା ଖେଳ ପରିଚାଳନା କରିଥିଲେ। ୱିନର ସପୋର୍ଟ ସିଷ୍ଟମ ସେଭ୍ ସପର ପରିଚାଳନା ନିର୍ଦେଶକ ବିକ୍ରମ ମହାଜନ ମୁଖ୍ୟ ଅତିଥି ଏବଂ ଶ୍ରୀମତୀ ବିନୁ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳକୁ ୧ ଲକ୍ଷ ଟଙ୍କା ସହ ଟ୍ରଫି ଏବଂ ଉପବିଜେତା ଦଳକୁ ୫୦୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଜୁଡ୍ ଫର୍ନାଣ୍ଡିସ୍ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର