କିଏ ହେବ ନୂଆ ବିଶ୍ବ ବିଜେତା? ଇ˚ଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ ଫାଇନାଲ୍‌

କଟକ: ବର୍ତ୍ତମାନ ସୁଦ୍ଧା କ୍ରିକେଟ ବିଶ୍ବକପ୍‌ର ଗତ ୧୧ଟି ସ˚ସ୍କରଣରେ ମାତ୍ର ୫ ଦଳ ବିଜେତା ଭାବେ ଉଭା ହୋଇଛନ୍ତି। ସେଥିମଧ୍ୟରେ ଅଷ୍ଟ୍ରେଲିଆ ସର୍ବାଧିକ ୫ ଥର ବିଜେତା ହୋଇଥିଲା ବେଳେ େଵଷ୍ଟଇଣ୍ଡିଜ ଓ ଭାରତ ଦୁଇଥର ଲେଖାଏଁ ଏବ˚ ପାକିସ୍ତାନ, ଶ୍ରୀଲଙ୍କା ଥରେ ଲେଖାଏଁ ବିଶ୍ବକପ୍‌ ଟ୍ରଫି ହାତେଇଛନ୍ତି। ତେଣୁ ଚଳିତ ବିଶ୍ବକପ୍‌ରେ ଇ˚ଲଣ୍ଡ ଓ ନ୍ୟୁଜିଲାଣ୍ଡ ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ଏଥର ନୂଆ ବିଜେତାକୁ ଦେଖିବାକୁ ମିଳିବ। ହେଲେ କିଏ ଟ୍ରଫି ତୋଳିଧରିବ ତାହାକୁ ନେଇ ଅନେକ ଆଲୋଚନା ଚାଲିଛି। ଏଥିପୂର୍ବରୁ ଇ˚ଲଣ୍ଡ ତିନିଥର (୧୯୭୯, ୧୯୮୭, ୧୯୯୨) ଫାଇନାଲ୍‌କୁ ଯାଇଥିଲା ବେଳେ ନ୍ୟୁଜିଲାଣ୍ଡ ୨୦୧୫ରେ ଫାଇନାଲ୍‌ ଖେଳି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

୧୯୭୫: େଵଷ୍ଟଇଣ୍ଡିଜ୍‌-ଅଷ୍ଟ୍ରେଲିଆ
ବିଶ୍ବକପ୍‌ର ପ୍ରଥମ ସ˚ସ୍କରଣରେ େଵଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ େଵଷ୍ଟଇଣ୍ଡିଜ ୧୭ ରନ୍‌ରେ ବିଜୟୀ ହୋଇ ପ୍ରଥମ ବିଶ୍ବକପ୍‌ ଟ୍ରଫି ହାତେଇଥିଲା। କ୍ଲାଇଭ ଲୟଡଙ୍କ ଧମାକାଦାର ୧୦୨ ରନ୍‌ ଓ ନିଜର ଶେଷ ମ୍ୟାଚ ଖେଳୁଥିବା ରୋହନ କହ୍ନାଇଙ୍କ ୫୫ ରନ୍‌ ସହାୟତାରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ େଵଷ୍ଟଇଣ୍ଡିଜ ୬୦ ଓଭରରେ ୮ ଵିକେଟ ହରାଇ ୨୯୧ ରନ୍‌ କରିଥିଲା। ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ଗାରି ଗିଲମର ୫ ଵିକେଟ ଅକ୍ତିଆର କରିଥିଲେ। ତେବେ ୨୯୨ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ୨୭୪ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ଅଧିନାୟକ ଇଆନ୍‌ ଚାପେଲ ୬୨, ଆଲାନ ଟର୍ଣ୍ଣର ୪୦ ରନ୍‌ କରିଥିଲେ ବି ମଧ୍ୟକ୍ରମର ସହଯୋଗ ନମିଳିବାରୁ ଦଳ ପରାଜୟ ପାଇଁ ବାଧ୍ୟ ହୋଇଥିଲା।

୧୯୭୯: େଵଷ୍ଟଇଣ୍ଡିଜ୍‌-ଇଂଲଣ୍ଡ
ଦ୍ବିତୀୟ ସ˚ସ୍କରଣରେ େଵଷ୍ଟଇଣ୍ଡିଜ ପୁଣି ତାହାର ଦବ୍‌ଦବା କାଏମ ରଖିବା ସହ ଫାଇନାଲ୍‌ରେ ଘରୋଇ ଇ˚ଲଣ୍ଡକୁ ୯୨ ରନ୍‌ରେ ମାତ୍‌ ଦେଇଥିଲା। ଏଥି ସହିତ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌କୁ ନିଜ ପାଖରେ ରଖିପାରିଥିଲା। ଟସ୍‌ ହାରିଥିବା େଵଷ୍ଟଇଣ୍ଡିଜ ୯ ଵିକେଟ ବିନିମୟରେ ୨୮୬ ରନ୍‌ କରିଥିଲା। ଭିଭିଆନ୍‌ ରିଚାର୍ଡ୍ସ (୧୩୮*) ଓ କଲିସ କିଙ୍ଗ (୮୬) ପଞ୍ଚମ ଵିକେଟରେ ୧୩୯ ରନ୍‌ ଯୋଡ଼ିଥିଲେ। ଇ˚ଲଣ୍ଡ ମଧ୍ୟ ମାଇକ୍‌ ବିୟର୍ଲି (୬୪), ଜିଓଫ ବୟକଟ (୫୭), ଗ୍ରାହମ ଗୁଚ (୩୨)ଙ୍କ ମାଧ୍ୟମରେ ଜବରଦସ୍ତ ଲଢ଼ିଥିଲା। ହେଲେ ୧୮୩ ରନ୍‌ ଭିତରେ ଏହି ତିନିଜଣଙ୍କ ଵିକେଟ ଚାଲିଯିବା ପରେ ବ୍ୟାଟି˚କ୍ରମ ସ˚ପୂର୍ଣ୍ଣ ରୂପେ ଭୁଶୁଡି ପଡିଥିଲା ଓ ଘରୋଇ ଦଳ ୧୯୪ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ଜୋଏଲ୍‌ ଗାର୍ଣ୍ଣର ୫ ଵିକେଟ ନେଇ ଇଣ୍ଡିଜ୍‌ ଦଳକୁ ପୁଣି ବିଶ୍ବବିଜେତା କରାଇବାରେ ଅନ୍ୟତମ ଭୂମିକା ନେଇଥିଲେ।

୧୯୮୩: ଭାରତ-ଇଣ୍ଡିଜ୍‌
ତୃତୀୟ ସ˚ସ୍କରଣ ଫାଇନାଲ୍‌ରେ େଵଷ୍ଟଇଣ୍ଡିଜ ସହିତ ଭାରତର ସାମ୍ନାସାମ୍ନି ହୋଇଥିଲା। ଏଥର ପରମ୍ପରା ଭାଙ୍ଗି ଭାରତ ନୂଆ ବିଜେତା ଭାବେ ଉଭା ହୋଇଥିଲା। ଫାଇନାଲ୍‌ରେ େଵଷ୍ଟଇଣ୍ଡିଜ୍‌କୁ ୪୩ ରନ୍‌ରେ ହରାଇ ଭାରତ ଏକ ନୂଆ ଶକ୍ତି ଭାବେ ଛିଡ଼ା ହୋଇଥିଲା। େଵଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କପିଳ ଦେବଙ୍କ ନେତୃତ୍ବଧୀନ ଭାରତ ପ୍ରାରମ୍ଭିକ କ୍ଷତି ସହିବା ପରେ କୃଷ୍ଣାମଚାରି ଶ୍ରୀକାନ୍ତଙ୍କ ୩୮, ମହିନ୍ଦର ଅମରନାଥଙ୍କ ୨୬ ଓ ସନ୍ଦୀପ ପାଟିଲଙ୍କ ୨୭ ରନ୍‌ ସହାୟତାରେ ୧୮୩ ରନ୍‌ କରିଥିଲା। ଫଳରେ ଶକ୍ତିଶାଳି ତଥା ହ୍ୟାଟ୍ରିକ୍‌ ବିଶ୍ବକପ୍‌ ବିଜୟ ଆଶାରେ ଥିବା େଵଷ୍ଟଇଣ୍ଡିଜ ସମ୍ମୁଖରେ ୧୮୪ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଶକ୍ତିଶାଳୀ େଵଷ୍ଟଇଣ୍ଡିଜର ବ୍ୟାଟି˚କ୍ରମକୁ ଭାରତୀୟ ବୋଲରମାନେ ତିଷ୍ଠିବାର ସୁଯୋଗ ଦେଇନଥିଲେ। େଵଷ୍ଟଇଣ୍ଡିଜ ମାତ୍ର ୧୪୦ ରନ୍‌ରେ ଆଣ୍ଠେଇବାକୁ ବାଧ୍ୟ ହୋଇଥିଲା। ଅମରନାଥ, ମଦନ ଲାଲ ତିନିଟି ଲେଖାଏଁ, ବଲ୍‌ବିନ୍ଦର ସିଂହସାନ୍ଧୁ ୨, କପିଳ ଦେବ ଓ ରୋଜର ବିନ୍ନି ଗୋଟିଏ ଲେଖାଏଁ ଵିକେଟ୍‌ ନେଇ ଭାରତକୁ ପ୍ରଥମ ଥର ବିଶ୍ବ ବିଜେତା କରାଇଥିଲେ।

୧୯୮୭: ଅଷ୍ଟ୍ରେଲିଆ-ଇଂଲଣ୍ଡ
ବିଶ୍ବକପ୍‌ର ଚତୁର୍ଥ ସ˚ସ୍କରଣରେ ଇ˚ଲଣ୍ଡ ଓ ଅଷ୍ଟ୍ରେଲିଆ ଦ୍ବିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଥିଲେ। କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ଏହି ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୭ ରନ୍‌ରେ ଇ˚ଲଣ୍ଡକୁ ହରାଇଥିଲା। ଅଷ୍ଟ୍ରେଲିଆ ୫ ଵିକେଟ ବିନିମୟରେ ୨୫୩ ରନ୍‌ କରିଥିଲା। ଡେଭିଡ୍‌ ବୁନ୍‌ ୭୫, ମାଇକ୍‌ ଭେଲେଟା ୪୫* ରନ୍‌ର ଯୋଗଦାନ କରିଥିଲେ। ଜବାବରେ ଇ˚ଲଣ୍ଡ ଭଲ ସ˚ଘର୍ଷ କରିଥିଲେ ବି ୨୪୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଲ୍‌ ଆଥେ ୫୮, ମାଇକ୍‌ ଗ୍ୟାଟି˚ ୪୧, ଆଲାନ ଲାମ୍ବ ୪୫ ରନ୍‌ କରି ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌କୁ ନେଇଥିଲେ ସୁଦ୍ଧା ନିମ୍ନକ୍ରମରୁ ରନ୍‌ ବାହାରିପାରିନଥିଲା।

୧୯୯୨: ପାକିସ୍ତାନ-ଇଂଲଣ୍ଡ
ପଞ୍ଚମ ସ˚ସ୍କରଣରେ ପାକିସ୍ତାନ ୨୨ ରନ୍‌ରେ ଇ˚ଲଣ୍ଡକୁ ହରାଇ ବିଶ୍ବକପ୍‌ କବ୍‌ଜା କରିଥିଲା। ପାକିସ୍ତାନ ଇମ୍ରାନ୍‌ ଖାନ୍‌ଙ୍କ ୭୨, ଜାଭେଜ ମିଆଁଦାଦଙ୍କ ୫୮ ଓ ଇଞ୍ଜାମାମ ଉଲ୍‌ ହକ୍‌ଙ୍କ ୪୨ ରନ୍‌ ସହାୟତାରେ ୬ ଵିକେଟ ବିନିମୟରେ ୨୪୯ ରନ୍‌ କରିଥିଲା। ହେଲେ ଇ˚ଲଣ୍ଡ ନିୟମିତ ଅନ୍ତରାଳରେ ଵିକେଟ ହରାଇବାରୁ ୨୨୭ ରନ୍‌ରେ ଆଉଟ ହେବା ସହ ପୁଣି ଥରେ ବିଶ୍ବକପ୍‌ ଜିତିବା ସ୍ବପ୍ନ ଅଧାରେ ରହିଯାଇଥିଲା। ନେଲ୍‌ ଫେୟାରବ୍ରଦର ଏକାକି ସ˚ଘର୍ଷ କରି ୬୨ ରନ୍‌ରେ ଆଉଟ ହୋଇଥିଲେ। ଵାସିମ ଆକ୍ରମ, ମୁସ୍ତାକ ଅହମ୍ମଦ ତିନିଟି ଲେଖାଏଁ ଵିକେଟ ନେଇଥିଲେ।

୧୯୯୬: ଶ୍ରୀଲଙ୍କା-ଅଷ୍ଟ୍ରେଲିଆ
ଷଷ୍ଠ ସ˚ସ୍କରଣକୁ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିଥିଲା ବେଳେ ଶ୍ରୀଲଙ୍କା ପ୍ରଥମ ଦଳ ଭାବେ ଆୟୋଜକ ହୋଇ ବିଶ୍ବକପ୍‌ ହାତେଇଥିଲା। ଲାହୋରରେ ଅନୁଷ୍ଠିତ ଫାଇନାଲ୍‌ରେ ଶ୍ରୀଲଙ୍କା ୭ ଵିକେଟରେ ଅଷ୍ଟ୍ରେଲିଆକୁ ହରାଇଥିଲା। ପ୍ରଥମେ ବ୍ୟାଟି˚ କରିଥିବା ଅଷ୍ଟ୍ରେଲିଆ ୭ ଵିକେଟ ବିନିମୟରେ ୨୪୧ ରନ୍‌ କରିଥିଲା। ମାର୍କ ଟେଲର ୭୪ ଓ ରିକି ପଣ୍ଟି˚ ୪୫ ରନ୍‌ ଯୋଡିଥିଲେ। ତେବେ ୨୪୨ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ପ୍ରାରମ୍ଭିକ କ୍ଷତି ସହିଥିଲା। ହେଲେ ଅଶାଙ୍କ ଗୁରୁସିହ୍ନା ୬୫, ଅରବିନ୍ଦ ଡି’ ସିଲ୍‌ଭା ୧୦୭* ଓ ଅର୍ଜୁନ ରଣତୁଙ୍ଗା ୪୭* ରନ୍‌ କରି ଦଳକୁ ୪୬.୨ ଓଭରରେ ଜିତାଇଥିଲେ। କୌଣସି ବିଶ୍ବକପ୍‌ ଫାଇନାଲ୍‌ରେ ପିଛା କରି ବିଜୟୀ ହେବାରେ ଏହ ମଧ୍ୟ ପ୍ରଥମ ଘଟଣା ଥିଲା।

୧୯୯୯: ଅଷ୍ଟ୍ରେଲିଆ-ପାକିସ୍ତାନ
ଇ˚ଲଣ୍ଡରେ ହୋଇଥିବା ଏହି ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ୮ ଵିକେଟରେ ପାକିସ୍ତାନକୁ ହରାଇ ଦ୍ବିତୀୟ ଥର ବିଶ୍ବକପ୍‌ ଜିତିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୧୩୨ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ସେନ୍‌ ଵର୍ଣ୍ଣ ୪, ଗ୍ଲେନ୍‌ ମ୍ୟାଗ୍ରା ଓ ଟମ୍‌ ମୁଡି ଦୁଇଟି ଲେଖାଏଁ ଵିକେଟ ନେଇଥିଲେ। ସହଜସାଧ୍ୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଆଦାମ ଗିଲକ୍ରିଷ୍ଟ (୫୪) ଓ ରିକି ପଣ୍ଟି˚ (୨୪)ଙ୍କ ଵିକେଟ ହରାଇବା ସତ୍ତ୍ବେ ମାର୍କ ଵ ୩୭* ଓ ଡାରେନ୍‌ ଲେହମାନ ୧୩* ଦଳକୁ ଜିତାଇଥିଲେ।

୨୦୦୩: ଅଷ୍ଟ୍ରେଲିଆ-ଭାରତ
ଦମ୍‌ଦାର ପ୍ରଦର୍ଶନ କରି ଭାରତ ଏହି ସ˚ସ୍କରଣରେ ଫାଇନାଲ୍‌ରେ ପ୍ରବେଶ କରିଥିଲେ ବି ଅଷ୍ଟ୍ରେଲିଆଠୁ ୧୨୫ ରନ୍‌ରେ ପରାଜିତ ହୋଇଥିଲା। ଭାରତର ଦୁର୍ବଳ ବୋଲି˚ ଓ କ୍ଷେତ୍ରରକ୍ଷଣର ଫାଇଦା ଉଠାଇ ପ୍ରଥମେ ବ୍ୟାଟି˚ କରଥିବା ଅଷ୍ଟ୍ରେଲିଆ ୩୫୯ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା। ସେତେବେଳେ ଏହା ବିଶ୍ବକପ୍‌ ଫାଇନାଲ୍‌ର ସର୍ବାଧିକ ରନ୍‌ ଥିଲା। ରିକି ପଣ୍ଟି˚ ୧୪୦*, ଆଦାମ ଗିଲକ୍ରିଷ୍ଟ ୫୭, ଡାମିଏନ୍‌ ମାର୍ଟିନ ୮୮* ରନ୍‌ କରିଥିଲେ। ହେଲେ ଭାରତ ଏହାକୁ ପିଛା କରି ନିୟମିତ ହାରରେ ଵିକେଟ ହରାଇବା ସହ ୨୩୪ ରନ୍‌ରେ ସବୁ ୱିକେଟ୍‌ ହରାଇଥିଲା। ବୀରେନ୍ଦ୍ର ସେହବାଗ ୮୨, ରାହୁଲ ଦ୍ରାବିଡ଼ ୪୭ ରନ୍‌ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ।

୨୦୦୭: ଅଷ୍ଟ୍ରେଲିଆ-ଶ୍ରୀଲଙ୍କା
ଅଷ୍ଟ୍ରେଲିଆ ଏହି ବିଶ୍ବକପ୍‌ରେ ଶ୍ରୀଲଙ୍କାକୁ ୫୭ ରନ୍‌ରେ ପରାସ୍ତ କରିଥିଲା। ଏଥି ସହିତ କ୍ରମାଗତ ତିନି ବିଶ୍ବକପ୍‌ ଜିତିବାରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା। ଲଗାତର ବିଶ୍ବବିଜେତା ହେବାରେ ଏହି ଦଳ ନୂଆ କୀର୍ତ୍ତିମାନ କରିଥିଲା। ଅଷ୍ଟ୍ରେଲିଆ ପାଇଁ ଆଦାମ ଗିଲକ୍ରିଷ୍ଟ ୧୪୯ ରନ୍‌ର ବଡ଼ ପାଳି ଖେଳିବା ସହ ଶ୍ରୀଲଙ୍କା ସମ୍ମୁଖରେ ୨୮୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଶ୍ରୀଲଙ୍କା ସମ୍ମୁଖରେ ପରବିର୍ତିତ ଲକ୍ଷ୍ୟ ୨୬୯ ରନ୍‌ ଧାର୍ଯ୍ୟ ହୋଇଥିଲା। ଜବାବରେ ଏହି ଦଳ ୨୧୫ ରନ୍‌ରେ ଅଟକି ଯାଇଥିଲା। ସନଥ ଜୟସୁରିୟା ୬୩, କୁମାର ସାଙ୍ଗାକାରା ୫୪ ରନ୍‌ ସ˚ଗ୍ରହ କରିଥିଲେ।

୨୦୧୧: ଭାରତ-ଶ୍ରୀଲଙ୍କା
ସଚିନ ତେନ୍ଦୁଲକରଙ୍କ ବିଦାୟୀ ବିଶ୍ବକପ୍‌ର ଆୟୋଜକ ଭାବେ ଭାରତ ଏହି ସ˚ସ୍କରଣରେ ଶ୍ରୀଲଙ୍କାକୁ ୬ ଵିକେଟରେ ହରାଇ ଦ୍ବିତୀୟ ଥର ବିଶ୍ବବିଜେତା ହୋଇଥିଲା। ମୁମ୍ବାଇର ଵାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ୍‌ରେ ଶ୍ରୀଲଙ୍କା ୨୭୪ ରନ୍‌ କରିଥିଲା। କୁମାର ସାଙ୍ଗାକାରା ୪୮, ମାହେଲା ଜୟବର୍ଦ୍ଧନେ ୧୦୩* ରନ୍‌ କରିଥିଲେ। ୨୭୫ ରନ୍‌ର ଲକ୍ଷ୍ୟକୁ ପିଛା କରି ଭାରତ ଆରମ୍ଭରୁ ବୀରେନ୍ଦ୍ର ସେହଵାଗ (୦) ଓ ସଚିନ ତେନ୍ଦୁଲକର (୧୮)ଙ୍କ ଵିକେଟ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ମଧ୍ୟକ୍ରମରେ ଗୌତମ ଗମ୍ଭୀର (୯୭), ବିରାଟ କୋହଲି (୩୫), ମହେନ୍ଦ୍ର ସି˚ହ ଧୋନି (୯୧*) ଭାରତକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏଥି ସହିତ ଭାରତୀୟ ଖେଳାଳିମାନେ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କୁ ବିଶ୍ବକପ୍‌ ଭେଟି ଦେଇ ତାଙ୍କ ବିଦାୟୀକୁ ସ୍ମରଣୀୟ କରିଥିଲେ।

୨୦୧୫: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ
ଏଥର ଆୟୋଜକ ଦଳ ଭାବେ ଅଷ୍ଟ୍ରେଲିଆର ପାଳି ଥିଲା। ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୭ ଵିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ପଞ୍ଚମ ଥର ବିଶ୍ବବିଜେତା ହେବାର ଗୌରବ ଅର୍ଜନ କରିଥିଲା। ରସ୍‌ ଟେଲରଙ୍କ ୪୦ ଓ ଗ୍ରାଣ୍ଟ ଏଲିଅଟଙ୍କ ୮୩ ରନ୍‌ ସହଯୋଗରେ ନ୍ୟୁଜିଲାଣ୍ଡ ୧୮୩ ରନ୍‌ କରିଥିଲା। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୧୮୪ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯଦିଓ ଆରୋନ୍‌ ଫିଞ୍ଚ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ, କିନ୍ତୁ ଡେଭିଡ୍‌ ଵାର୍ନରଙ୍କ ୪୫, ଷ୍ଟିଭ୍‌ ସ୍ମିଥଙ୍କ ୫୬*, ମାଇକେଲ କ୍ଲାର୍କଙ୍କ ୭୪ ରନ୍‌ ସହାୟତାରେ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ୩ ଵିକେଟ୍‌ ବିନିମୟରେ ଜିତିଯାଇଥିଲା।

ସମ୍ବନ୍ଧିତ ଖବର