ବ୍ରଡଙ୍କ ପରେ କିଏ? ନିକଟରେ କେହି ନାହାନ୍ତି

ଷ୍ଟୁଆର୍ଟ ବ୍ରଡ୍ ବିଶ୍ବର ଚତୁର୍ଥ ଦ୍ରୁତ ବୋଲର ଭାବେ ଟେଷ୍ଟ୍ କ୍ରିକେଟ୍‌ରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ନିକଟ ଭବିଷ୍ୟତରେ କିନ୍ତୁ କୌଣସି ଦ୍ରୁତ ବୋଲର ଏହି ମାଇଲଖୁଣ୍ଟ ଛୁଇଁବା ସମ୍ଭାବନା କମ୍ ରହିଛି। ୫୦୦ ୱିକେଟ୍ ନେବା ଲାଗି ଯେ କୌଣସି ଦ୍ରୁତ ବୋଲରଙ୍କୁ ପାଖାପାଖି ଦେଢ଼ ଦଶନ୍ଧି ସମୟ ଲାଗୁଥିଲା ବେଳେ ସଂପ୍ରତି ବିଶ୍ବ କ୍ରିକେଟ୍‌ରେ ସକ୍ରିୟ ଥିବା ଦ୍ରୁତ ବୋଲରମାନେ ଏତେ ସମୟ ଖେଳିବା ଏବଂ ଏତେ ୱିକେଟ୍ ହାସଲ କରିବାର ସମ୍ଭାବନା କମ୍ ରହିଛି। ବ୍ରଡ୍ ନିଜ ଖେଳ ଜୀବନର ଚତୁର୍ଦଶ ଏବଂ ଆଣ୍ଡରସନ୍ ଅଷ୍ଟାଦଶ ବର୍ଷରେ ୫୦୦ତମ ୱିକେଟ୍ ହାସଲ କରିଥି‌ଲେ। ମ୍ୟାଗ୍ରା ଓ ୱାଲ୍ସଙ୍କ କ୍ଷେତ୍ରରେ ଏହା ଯଥାକ୍ରମେ ୧୫ ଓ ୧୭ ବର୍ଷ ଥିଲା। ଏବେକାର ଦ୍ରୁତ ବୋଲରଙ୍କ ମଧ୍ୟରେ ବ୍ରଡଙ୍କ ପଛରେ ଥିବା ଭାରତୀୟ ବୋଲର ଈଶାନ୍ତ ଶର୍ମା ମାତ୍ର ୨୯୭ ୱିକେଟ୍ ନେଇଛନ୍ତି। ୫୦୦ ୱିକେଟ୍ କ୍ଲବ୍‌ରେ ସାମିଲ ହେବାରେ ଦୁଇ ଜଣ ସ୍ପିନର ଅବଶ୍ୟ ଦାବିଦାର ଅଛନ୍ତି। ସେହି ଦୁଇ ସ୍ପିନର ହେଲେ ଅଷ୍ଟ୍ରେଲିଆର ନାଥନ ଲା‌ୟନ ଓ ଭାରତର ଆର ଅଶ୍ବିନ। ୩୨ ବର୍ଷୀୟ ଲାୟନ ୯୬ ଟେଷ୍ଟ୍ ମ୍ୟାଚ୍ ଖେଳି ସାରିଥିଲା ବେଳେ ତାଙ୍କ ୱିକେଟ୍ ସଂଖ୍ୟା ୩୯୦ ରହିଛି। ସେପଟେ ଅଶ୍ବିନ ୭୧ ମ୍ୟାଚ୍ ଖେଳି ୩୬୫ ୱିକେଟ୍ କରାୟତ କରିଛନ୍ତି। ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍‌ (୪୩୯)ଙ୍କ ପାଖରେ ୫୦୦ ୱିକେଟ୍ ଛୁଇଁବାର ସୁଯୋଗ ଥିଲା। ତେବେ ସୀମିତ ଓଭର କ୍ରିକେଟ୍ ଜୀବନକୁ ଅଧିକ ଲମ୍ବା କରିବା ଲାଗି ସେ ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରିସାରିଛନ୍ତି। ବ୍ରଡଙ୍କ ପଛକୁ ଥିବା ଅନ୍ୟ ଦ୍ରୁତ ବୋଲରମାନେ ଏବେ ୱିକେଟ୍ ନେବାରେ କେଉଁଠି ଓ କେମିତି ଅଛନ୍ତି, ଆସନ୍ତୁ ତା’ ଉପରେ ନଜର ପକାଇବା।

ଈଶାନ୍ତ ଶର୍ମା, ବୟସ ୩୧, ୱିକେଟ୍ ୨୯୭
ସକ୍ରିୟ ଦ୍ରୁତ ବୋଲରଙ୍କ ମଧ୍ୟରେ ଈଶାନ୍ତ ଶର୍ମା ବ୍ରଡ୍‌ଙ୍କ ପଛକୁ ରହିଛନ୍ତି। ତେବେ ଈଶାନ୍ତ ଓ ବ୍ରଡ୍‌ଙ୍କ ମଧ୍ୟରେ ୨୦୩ ୱିକେଟ୍‌ର ବ୍ୟବଧାନ ରହିଛି। ୩୧ ବର୍ଷୀୟ ଈଶାନ୍ତ ୧୪ ବର୍ଷର ଟେଷ୍ଟ୍‌ ଜୀବନ ଭିତରେ ୯୭ ମ୍ୟାଚ୍ ଖେଳି ୨୯୭ ୱିକେଟ୍ ଅକ୍ତିଆର କରିଛନ୍ତି। ସଂପ୍ରତି ସେ ଭାରତୀୟ ଟେଷ୍ଟ୍ ଦଳର ନିୟମିତ ସଦସ୍ୟ ନଥିବାରୁ ୫୦୦ ୱିକେଟ୍ ପୂରଣ ହୁଏତ ତାଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇପାରେ। ୨୦୧୫ରୁ ୨୦୧୭ ମଧ୍ୟରେ ଈଶାନ୍ତଙ୍କ ଫର୍ମ ମଧ୍ୟ ତାଙ୍କ ସାଥ୍ ଦେଇ ନଥିଲା। ଏହି ଦୁଇ ବର୍ଷ ଭିତରେ ସେ ମାତ୍ର ୩୯ ୱିକେଟ୍ ନେଇଥିଲେ। ୨୦୧୮ ପରଠୁ କିନ୍ତୁ ସେ ପୁନର୍ବାର ଭଲ ପ୍ରଦର୍ଶନ ଦେବା ଆରମ୍ଭ କରିଥିଲେ। ୨୦୧୮ରେ ୧୧ ଟେଷ୍ଟ୍ ଖେଳି ଈଶାନ୍ତ ୪୧ ୱିକେଟ୍ ନେଇଥିଲେ। ୨୦୧୯ରେ ମାତ୍ର ୬ ଟେଷ୍ଟ୍ ଖେଳି ୧୫.୫୬ ହାରରେ ୨୫ ୱିକେଟ୍ ନେଇଥିଲେ।

ଟିମ୍ ସାଉଦି, ବୟସ ୩୧, ୱି‌କେଟ୍ ୨୮୪
ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ୍ ସାଉଦି ୭୩ ‌ଟେଷ୍ଟ୍ ଖେଳି ୨୮୪ ୱିକେଟ୍‌ରେ ଅଛନ୍ତି। କେବଳ ୨୦୧୭ ମସିହାକୁ ଛାଡ଼ି ୨୦୧୨ ମସିହା ପରଠାରୁ ସାଉଦି ପ୍ରତିବର୍ଷ ୨୫ରୁ ଅଧିକ ଲେଖାଏଁ ୱିକେଟ୍ କରାୟତ କରିଆସୁଛନ୍ତି। ତେବେ ୩୧ ବର୍ଷ ବୟସ୍କ ସାଉଦିଙ୍କ ପାଇଁ ୫୦୦ ୱିକେଟ୍ ପୂରଣ କରିବା କାଠିକର ପାଠ ହେବ। ବୟସ ତାଙ୍କ ସପକ୍ଷରେ ନଥିଲା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ତୁଳନାତ୍ମକ ଭାବେ କମ୍ ଟେଷ୍ଟ୍ ମ୍ୟାଚ୍ ଖେଳୁଛି। ସର୍ବାଧିକ ୪ରୁ ୫ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଭିତରେ ସେ ଆଉ ୨୧୬ ୱିକେଟ୍‌ ନେବା ଏକ ପ୍ରକାର ଅସମ୍ଭବ।

ଟ୍ରେଣ୍ଟ ବୋଲ୍ଟ, ବୟସ ୩୧, ୱିକେଟ୍ ୨୬୭
ଟିମ୍ ସାଉଦିଙ୍କ ନୂଆ ବଲ୍ ସାଥୀ ଟ୍ରେଣ୍ଟ ବୋଲ୍ଟ ହେଉଛନ୍ତି ବିଶ୍ବ କ୍ରିକେଟ୍‌ର ଅନ୍ୟତମ ପ୍ରତିଭାବାନ ଦ୍ରୁତ ବୋଲର। ତେବେ ୫୦୦ ୱିକେଟ୍‌ର ମାଇଲଖୁଣ୍ଟ ଛୁଇଁବା ତାଙ୍କ ପାଇଁ ମଧ୍ୟ ସ୍ବପ୍ନ ପାଲଟି ଯାଇପାରେ। ୩୧ ବର୍ଷୀୟ ବୋଲ୍ଟ ସଂପ୍ରତି ୬୭ ଟେଷ୍ଟ୍ ଖେଳି ୨୬୭ ୱିକେଟ୍ ନେଇଛନ୍ତି। ୫୦୦ ୱିକେଟ୍ ପାଇଁ ତାଙ୍କୁ ଆହୁରି ୨୩୩ ୱିକେଟ୍‌ର ଦରକାର ରହିଛି। ସାଉଦିଙ୍କ ଭଳି ସେ ମଧ୍ୟ ଆଉ ୪ରୁ ୫ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିପାରନ୍ତି। ଏହା ହେଲେ ମଧ୍ୟ ଆଉ ୨୦୦ରୁ ଅଧିକ ୱିକେଟ୍ ନେବା ତାଙ୍କ ପାଇଁ ମଧ୍ୟ ଆଦୌ ସହଜ ହେବନି।

ମିଚେଲ ଷ୍ଟାର୍କ, ବୟସ ୩୦, ୱିକେଟ୍ ୨୪୪
ଅଷ୍ଟ୍ରେଲିଆର ପ୍ରତିଭାବାନ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ସପକ୍ଷରେ ବୟସ ରହିଛି। ତଥାପି ସେ ୫୦୦ ୱିକେଟ୍ ପୂରଣ କରିବା ନେଇ ଯଥେଷ୍ଟ ଆଶଙ୍କା ରହିଛି। ୧୦ ବର୍ଷର କ୍ରିକେଟ୍ ଜୀବନ ଭିତରେ ଏହି ବାମହାତୀ ବୋଲର ୫୭ ଟେଷ୍ଟ୍ ଖେଳି ୨୪୪ ୱିକେଟ୍ ନେଇଛନ୍ତି। ୫୦୦ ୱିକେଟ୍ ପାଇଁ ତାଙ୍କୁ ଆହୁରି ୨୫୬ ୱିକେଟ୍‌ର ଦରକାର ରହିଛି। ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଅଧିକାଂଶ ବର୍ଷ ସେ ୨୫ରୁ ଅଧିକ ୱିକେଟ୍ ନେଇଛନ୍ତି। ଏହି ଧାରା ବଜାୟ ରଖିଲେ ବଳକା ୨୫୬ ୱିକେଟ୍ ହାସଲ କରିବାକୁ ତାଙ୍କୁ ଅନ୍ୟୁନ ୧୦ ବର୍ଷ ଲାଗିବ। ତେବେ ୪୦ ବର୍ଷ ପର୍ଯ୍ୟନ୍ତ ସେ ଟେଷ୍ଟ୍ କ୍ରିକେଟ୍ ଖେଳିବା ସମ୍ଭାବନା ଢେର କମ୍।

ନିଲ୍ ୱାଗନର, ବୟସ ୩୪, ୱିକେଟ୍ ୨୦୬
ଦକ୍ଷିଣ ଆଫ୍ରିକା ଜନ୍ମିତ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ନିଲ୍ ୱାଗନର ୨୦୦ରୁ ଅଧିକ ୱିକେଟ୍ ନେଇସାରିଲେଣି। ତେବେ ବୟସ ତାଙ୍କ ସପକ୍ଷରେ ନାର୍ହି। ୩୪ ବର୍ଷରେ ଉପନୀତ ହୋଇ ସାରିଥିବା ୱାଗନର ୫୦୦ ୱିକେଟ୍‌ଠାରୁ ୨୯୪ ୱିକେଟ୍ ଦୂରରେ ରହିଛନ୍ତି। ଅର୍ଥାତ୍ ୪୮ ଟେଷ୍ଟ୍ ଖେଳି ସେ ମାତ୍ର ୨୦୬ ୱିକେଟ୍ କରାୟତ୍ତ କରିଛନ୍ତି। ନ୍ୟୁଜିଲାଣ୍ଡ ଟେଷ୍ଟ୍ ଦଳର ମଧ୍ୟ ସେ ସ୍ଥାୟୀ ସଦସ୍ୟ ନୁହନ୍ତି। ଏଣୁ କେବଳ ବଡ଼ ଧରଣର କମାଲ ହିଁ ତାଙ୍କୁ ୫୦୦ ୱିକେଟ୍ କ୍ଲବ୍‌ରେ ସାମିଲ କରିବ। ଯାହା ଅସମ୍ଭବ ନହେଲେ ମଧ୍ୟ ବହୁତ କଷ୍ଟକର।

କେମାର ରୋଚ୍, ବୟସ ୩୦, ୱିକେଟ୍ ୨୦୧
ୱେଷ୍ଟଇଣ୍ଡିଜର କେମାର ରୋଚ୍ ବିଶ୍ବର ପ୍ରତିଭାଶାଳୀ ସକ୍ରିୟ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ତେବେ ସେ ୫୦୦ ୱିକେଟ୍ ଛୁଇଁବା କେବଳ ସ୍ବପ୍ନ ମାତ୍ର। ୩୦ ବର୍ଷୀୟ ରୋଚ୍ ୫୯ ଟେଷ୍ଟ୍ ଖେଳି ୨୦୧ ୱିକେଟ୍ ନେଇଛନ୍ତି। ଚଳିତମାସ ପ୍ରାରମ୍ଭରେ ୨୬ ବର୍ଷ ଭିତରେ ପ୍ରଥମ ୱେଷ୍ଟଇଣ୍ଡିଜ୍ ବୋଲର ଭାବେ ରୋଚ୍ ଟେଷ୍ଟ୍ କ୍ରିକେଟ୍‌ରେ ୨୦୦ ୱିକେଟ୍ ପୂରଣ କରିଥିଲେ। ତେବେ ୫୦୦ ୱିକେଟ୍ କ୍ଲବ୍‌ରେ ସାମିଲ ହେବା ଲାଗି ତାଙ୍କୁ ଆହୁରି ୨୯୯ ୱିକେଟ୍ ନେବାକୁ ପଡ଼ିବ। ଯାହା ରୋଚ୍ ଆଜି ପର୍ଯ୍ୟନ୍ତ ନେଇଥିବା ୱିକେଟ୍‌ଠାରୁ ଯଥେଷ୍ଟ ଅଧିକ ମଧ୍ୟ।

ସମ୍ବନ୍ଧିତ ଖବର