ଲଣ୍ଡନ୍: ଦିନିକିଆ କ୍ରିକେଟ୍ର କ୍ରମବର୍ଦ୍ଧିଷ୍ଣୁ ରନ୍ ଗତି କାରଣରୁ ଏଥର ବିଶ୍ବକପ୍ରେ ୫୦୦ ରନ୍ ଟପିଯିବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷ କରି ଇଂଲଣ୍ଡର ଛୋଟିଆ ସୀମାରେଖା ଏବଂ ପଟ୍ଟା ପିଚ୍ କାରଣରୁ ଏଭଳି କୁହାଯାଇଛି। ୫୦୦+ ରନ୍ ଅସମ୍ଭବ ମନେ ହେଉଥିଲେ ବି ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇ ହେଉ ନାହିଁ। ଏହି ଅବସରରେ ମ୍ୟାଚ୍ର ଶ୍ରେଷ୍ଠ ଫିନିସର୍ ଭୂମିକାକୁ ନେଇ ମଧ୍ୟ ଚର୍ଚା ଆରମ୍ଭ ହୋଇଛି। ଫିନିସର୍ ଭୂମିକା ଏତେ ସହଜ କାମ ନୁହେଁ, କାରଣ ସମ୍ପୃକ୍ତ ଖେଳାଳିକୁ ପରିସ୍ଥିତି ଅନୁସାରେ ଖେଳିବା ସହିତ ସୀମିତ ସମୟ ମଧ୍ୟରେ ପ୍ରଭାବ ଛାଡ଼ିବାକୁ ପଡ଼ିଥାଏ। ପ୍ରତି ଦଳରେ ଏଭଳି ଜଣେ ଦୁଇ ଜଣ ଖେଳାଳି ରହିଛନ୍ତି ଯେଉଁମାନେ ବିଶ୍ବକପ୍ ଆସିଛନ୍ତି। ଡେଥ୍ ଓଭର (ଶେଷାନ୍ତ) ଗୁଡ଼ିକରେ ଫିନିସର ମାନେ ନିଶ୍ଚିତ ବଡ଼ ଭୂମିକା ତୁଲାଇବେ ବୋଲି ପ୍ରତି ଦଳ ଆଶା ବାନ୍ଧିଛନ୍ତି। ଏ କ୍ଷେତ୍ରରେ ଇଂଲଣ୍ଡ ଆଗୁଆ ରହିଛି। ବିଭିନ୍ନ ଦଳକୁ ନେଇ ପ୍ରସ୍ତୁତ ମାନ୍ୟତା ମାପକାଠି ନିମ୍ନରେ ପ୍ରଦତ୍ତ କରାଗଲା।
ଇଂଲଣ୍ଡ (୯.୫/୧୦)
ଘରୋଇ ଦଳ ଭାବେ ଇଂଲଣ୍ଡ ଦୃଢ଼ ଦାବିଦାର ରହିଛି ବିଶ୍ବକପ୍ ଜିତିବାକୁ। ଦଳର ବ୍ୟାଟିଂ ବି ଶକ୍ତିଶାଳୀ ରହିଛି। ଭଲ ଶୀର୍ଷକ୍ରମ ବ୍ୟାଟସମ୍ୟାନ୍ ରହିଛନ୍ତି। ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍, ମୋଇନ୍ ଅଲୀ ହେଉଛନ୍ତି ଏଭଳି ୩ ଜଣ ଖେଳାଳି ଯେଉଁମାନେ ମାତ୍ର କିଛି ଓଭର ଭିତରେ ମ୍ୟାଚ୍ର ମୋଡ଼ ବଦଳାଇ ପାରିବେ। ବର୍ତମାନ ଯୁଗରେ ବଟଲର୍ ହେଉଛନ୍ତି ଜଣେ ଭୟଙ୍କର ତଥା ବିଧ୍ବଂସୀ ବ୍ୟାଟସମ୍ୟାନ୍। ବେଶ ସ୍ଥିର ପ୍ରଦର୍ଶନ ମଧ୍ୟ ଦେଇ ଆସୁଛନ୍ତି। କ୍ରିସ୍ ୱକ୍ସ, ଟମ୍ କରନ୍, ଜୋଫ୍ରା ଆର୍ଚର, ଲିଆମ୍ ପ୍ଲଙ୍କେଟଙ୍କ ସହିତ ଆଦିଲ ରସିଦ୍ ବି ବ୍ୟାଟିଂରେ ଭଲ କରିବାର କ୍ଷମତା ରଖିଛନ୍ତି। ମାର୍କ ଉଡ୍ଙ୍କୁ ଛାଡ଼ିଦେଲେ ଇଂଲଣ୍ଡର ବ୍ୟାଟିଂ ଗଭୀରତା ୧୦ ନମ୍ବର ପର୍ଯ୍ୟନ୍ତ ରହିଛି ଯାହା ଦଳକୁ ଦାବିଦାର ରଖିବାର ଅନ୍ୟତମ କାରଣ।ଭାରତ (୮/୧୦)
ଭାରତୀୟ ଦଳକୁ ଶ୍ରେଷ୍ଠ ଫିନିସର୍ ରୂପରେ ମିଳିଛନ୍ତି ୱିକେଟରକ୍ଷକ ବ୍ୟାଟସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି। ଏହା ଭାରତୀୟ ଦଳ ପାଇଁ ଆଶୀର୍ବାଦ ଭଳି। ଥଣ୍ଡା ମିଜାଜ ଏବଂ ଚତୁର ବ୍ୟାଟିଂ ପାଇଁ ଏହି ଖେଳାଳି ନିଜକୁ ଫିନିସିଂ କଳାର କାରିଗର ଭାବେ ଉଭା କରାଇଛନ୍ତି। ୨୦୧୮ ମସିହାରେ ସେ ଭଲ କରୁନଥିଲେ, କିନ୍ତୁ ୨୦୧୯ରେ ସେ ଚମତ୍କାର ଫର୍ମରେ ରହିଛନ୍ତି। ଚମତ୍କାର ଆଇପିଏଲ୍ ଋତୁ ପରେ ବିଶ୍ବକପ୍ରେ ସେ ନିଶ୍ଚିତ ଭାରତ ପାଇଁ ପ୍ରମୁଖ ଭୂମିକା ତୁଲାଇବାକୁ ଯାଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ହାର୍ଦିକ ପାଣ୍ଡ୍ୟାଙ୍କ ଛକା ମାରିବା କ୍ଷମତା ତାଙ୍କୁ ଡେଥ୍ ଓଭରଗୁଡ଼ିକରେ ଫିନିସର୍ ଭୂମିକା ତୁଲାଇବାର ପ୍ରତିଷ୍ଠା ଦେଇଛି। ସ୍ପିନ୍ ଏବଂ ପେସ୍ ବୋଲିଂ ବିପକ୍ଷରେ ସେ ଭଲ ଖେଳିଥାନ୍ତି। ଅନ୍ୟମାନଙ୍କ ମଧ୍ୟରେ କେଦାର ଯାଦବ ଏବଂ ରବୀନ୍ଦ୍ର ଜାଦେଜା ମଧ୍ୟ ପାଳି ଶେଷ କରିବାରେ ପ୍ରମୁଖ ଭୂମିକା ତୁଲାଇବା ଦକ୍ଷତା ରଖିଛନ୍ତି।ଦକ୍ଷିଣ ଆଫ୍ରିକା (୮/୧୦)
ଚୋକର୍ସ ଦାଗ ଲିଭାଇବା ସହିତ ପ୍ରଥମ ଥର ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ରହିବ ଦକ୍ଷିଣ ଆଫ୍ରିକା। ଡେଭିଡ୍ ମିଲର୍ ନିଶ୍ଚିତ ଦଳର ଫିନିସର୍ ଭୂମିକା ତୁଲାଇବେ। ଏହି ବାମହାତୀ ବ୍ୟାଟସମ୍ୟାନ୍ ମ୍ୟାଚ୍ରେ ଗିୟର୍ ପକାଇ ନିଜ ଇଚ୍ଛାରେ ବାଉଣ୍ଡରି ମାରିବା ଦକ୍ଷତା ରଖିଛନ୍ତି। ତାଙ୍କ ଫର୍ମ ମଧ୍ୟ ଦକ୍ଷିଣ ଆଫ୍ରିକା ଅଭିଯାନରେ ନିର୍ଣ୍ଣାୟକ ହେବ। ତାଙ୍କ ବ୍ୟତୀତ ଆନ୍ଦିଲ ଫେଲୁକ୍ବୋୟୋ, କ୍ରିସ୍ ମୋରିସ୍ ଏବଂ ଡ୍ବାନ୍ ପ୍ରିଟୋରିୟସ୍ ପ୍ରଭାବ ଛାଡ଼ିପାରିବେ। ଏପରିକି ଡେଲ୍ ଷ୍ଟେନ୍ ଏବଂ କାଗିସୋ ରାବାଦାଙ୍କ ବ୍ୟାଟିଂ କିଛି ଖରାପ ନ ଥିବାରୁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଗଭୀରତା ଭଲ ରହିଛି।ୱେଷ୍ଟଇଣ୍ଡିଜ (୮/୧୦)
ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ ପାଇଁ ଆନ୍ଦ୍ରେ ରସେଲଙ୍କ ପ୍ରତ୍ୟାବର୍ତନ ଉତ୍ସାହ ଯୋଗାଇଛି। କେକେଆର୍ ପାଇଁ ଚମତ୍କାର ଆଇପିଏଲ୍ ଋତୁ ପରେ ଏବେ ସେ ୱେଷ୍ଟଇଣ୍ଡିଜ୍ ପାଇଁ ସ୍ବତନ୍ତ୍ର ରହିବେ। ନିଜର ବିଧ୍ବଂସୀ ବ୍ୟାଟିଂ ଫର୍ମକୁ ଜାରି ରଖି ସେ ଜାତୀୟ ଦଳ ପାଇଁ ମ୍ୟାଚ୍ ଜିତନ୍ତୁ ବୋଲି ତାଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି। ରସେଲଙ୍କ ବ୍ୟତୀତ ଜାସନ୍ ହୋଲଡର, କାର୍ଲୋସ୍ ବ୍ରାଥୱେଟ ଏବଂ ନିକୋଲାସ୍ ପୁରନ ମଧ୍ୟ ଫିନିସର୍ ଭୂମିକା ତୁଲାଇବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ଏମାନେ ଏକାଠି କ୍ଲିକ୍ କଲେ ୱେଷ୍ଟଇଣ୍ଡିଜ୍ ବଡ଼ ସ୍କୋର୍ କରିବା ଥୟ। ବଡ଼ ସଟ ଖେଳିବାରେ ଏହି ଦଳ ଧୂରନ୍ଧର ଥିବାରୁ ୱେଷ୍ଟଇଣ୍ଡିଜ୍ ମଧ୍ୟ ବିପଜ୍ଜନକ ଭାବେ ଉଭା ହେବାର ସମ୍ଭାବନା ରହିଛି।ଅଷ୍ଟ୍ରେଲିଆ (୭.୫/୧୦)
ଗତ ଥରର ବିଜେତା ଅଷ୍ଟ୍ରେଲିଆ ଏଥର ବି ଦାବିଦାର ଦଳ। ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍ ଏବଂ ଆଲେକ୍ସ କ୍ୟାରି ହେଉଛନ୍ତି ସେହି ୩ ଖେଳାଳି ଯାହାଙ୍କ ଉପରେ କଙ୍ଗାରୁ ଦଳ ଫିନିସର୍ ଭୂମିକା ଆଶାରେ ରହିବ। ମ୍ୟାକ୍ସୱେଲ୍ ସବୁଠୁ ବଡ଼ ଖେଳାଳି ରହିଛନ୍ତି ଏ କ୍ଷେତ୍ରରେ। ତାଙ୍କ ୩୬୦ ଡିଗ୍ରି ବ୍ୟାଟିଂ ଦକ୍ଷତା ଏବଂ ବଡ଼ ବଡ଼ ଛକା କ୍ଷମତା ସବୁଠୁ ନିର୍ଣ୍ଣାୟକ ହେବ। ଷ୍ଟୋଇନିସ ଏବଂ କ୍ୟାରି ମଧ୍ୟ ପେସ୍ ଏବଂ ସ୍ପିନ୍ ବିପକ୍ଷରେ ଭଲ ବ୍ୟାଟିଂ କରିବାରେ ମାହିର୍। ଏମାନଙ୍କ ବ୍ୟତୀତ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ନାଥନ୍ କଲଟର୍ ନାଇଲ୍, ନାଥନ୍ ଲାୟନ୍ ବଡ଼ ସଟ୍ ଖେଳିବାର କ୍ଷମତା ରଖିଛନ୍ତି।ନ୍ୟୁଜିଲାଣ୍ଡ୍ (୭.୫/୧୦)
ବ୍ଲାକ୍ କ୍ୟାପ୍ ଦଳ ନ୍ୟୁଜିଲାଣ୍ଡ୍ର ବ୍ୟାଟିଂ ଗଭୀରତା ବେଶ ଲମ୍ବା। ଆଇସିସି ପ୍ରତିଯୋଗିତା ଗୁଡ଼ିକରେ ଏହି ଦେଶକୁ କଳାଘୋଡ଼ା ବିବେଚନା କରାଯାଇଥାଏ। ବାମହାତୀ ଯୋଡ଼ି ହେନରି ନିକଲ୍ସ ଏବଂ ଟମ୍ ଲଥାମ୍ ଯଥାକ୍ରମେ ୫ ଓ ୬ ନମ୍ବରରେ ଖେଳିବାକୁ ଥିବାରୁ ଫିନିସର୍ ଭୂମିକା ତୁଲାଇବେ। ଉଭୟ ଖେଳାଳି ପେସ୍ ଏବଂ ସ୍ପିନ୍ ବିପକ୍ଷରେ ଭଲ ଖେଳିବା ସହିତ ଷ୍ଟ୍ରାଇକ୍ ରୋଟେଟ୍ କରିବାରେ ମଧ୍ୟ ଅଭିଜ୍ଞ। ପାଳି ଶେଷ ଆଡ଼କୁ ଏମାନେ ବଡ଼ ବଡ଼ ସଟ୍ ଖେଳିପାରନ୍ତି। ଜେମ୍ସ ନିଶାମ, କଲିନ୍ ଡି ଗ୍ରାଣ୍ଡହୋମ୍, ମିଚେଲ ସାଣ୍ଟନର୍ ମଧ୍ୟ ବିଜୁଳି ବେଗରେ ବ୍ୟାଟିଂ କରିପାରନ୍ତି। କିନ୍ତୁ ଅସ୍ଥିର ପ୍ରଦର୍ଶନ ଏମାନଙ୍କ ଚିନ୍ତାର କାରଣ। ତଥାପି ଏମାନଙ୍କ ମଧ୍ୟରୁ ଜଣେ ବି ଭଲ ଖେଳିଲେ ନ୍ୟୁଜିଲାଣ୍ଡ୍ ଫାଇଦା ଉଠାଇ ପାରିବ।ପାକିସ୍ତାନ (୭/୧୦)
ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଦଳର ପ୍ରମୁଖ ଖେଳାଳି ରହିବେ। ତାଙ୍କ ପାଇଁ ଦଳର ଫିନିସର୍ ଭୂମିକା ତୁଲାଇବାରେ ଏବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ଆସି ପହଞ୍ଚିଛି। ପାକିସ୍ତାନକୁ ଯଦି ୧୯୯୨ ମସିହା ମୁକୁଟ ବିଜୟ ପ୍ରଦର୍ଶନର ପୁନରାବୃତ୍ତି କରିବାକୁ ଈଚ୍ଛା ତେବେ ସର୍ଫରାଜଙ୍କୁ ଶେଷ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇବାକୁ ପଡ଼ିବ। ଅସିଫ ଅଲୀ ଆଉ ଜଣେ ବଡ଼ ସଟ୍ ଖେଳାଳି। ଶେଷାନ୍ତ ଓଭର ଗୁଡ଼ିକରେ ଇମାଦ୍ ୱାସିମଙ୍କ ଅବଦାନ ମଧ୍ୟ ଆଶାଜନକ ରହିବ ବୋଲି ପାକିସ୍ତାନ ଭରସା କରିଛି। ଏହି ବାମହାତୀ ଅଲରାଉଣ୍ଡରଙ୍କଠାରୁ କିନ୍ତୁ ଦଳ ପରିପକ୍ବତା ଆଶା କରିଛି।ବାଂଲାଦେଶ (୬.୫/୧୦)
ବିଶ୍ବକପ୍ରେ ବାଂଲାଦେଶ ପାଇଁ ଫିନିସର୍ ଦାୟିତ୍ବ ତୁଲାଇବେ ସବିର୍ ରହମାନ ଏବଂ ମହମ୍ମଦୁ୍ଲ୍ଲା। ଉଭୟ ଷ୍ଟ୍ରାଇକ୍ ରୋଟେଟ୍ କରିବା ସହିତ ବଡ଼ ସଟ୍ ଖେଳିବା କ୍ଷମତା ରଖିଛନ୍ତି। ଯୁବ ଅଲରାଉଣ୍ଡର୍ ମୋସାଦେକ ହୋସେନ୍ ମଧ୍ୟ କ୍ଲିନ୍ ଷ୍ଟ୍ରାଇକର୍ ଭାବେ ଉଭା ହୋଇଛନ୍ତି। ସମ୍ପ୍ରତି ୱେଷ୍ଟଇଣ୍ଡିଜ୍ ବିପକ୍ଷ ତ୍ରିରାଷ୍ଟ୍ରୀୟ ଫାଇନାଲରେ ୨୦ ବଲ୍ରୁ ଅର୍ଧଶତକ ହାସଲ କରି ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ ମୋସାଦେକ। ଅନ୍ୟମାନଙ୍କ ମଧ୍ୟରେ ମସ୍ରଫ୍ ମର୍ତାଜା, ମହମ୍ମଦ ସାଇଫୁଦିନ, ମେହିଦି ହାସନ୍ ମିରାଜ୍ ମଧ୍ୟ ଶେଷାନ୍ତ ଓଭର ଗୁଡ଼ିକରେ ଭଲ ବ୍ୟାଟିଂ କରିବାର ଭରସା ଦେଇଛନ୍ତି। ନିମ୍ନକ୍ରମ ବ୍ୟାଟସମ୍ୟାନଙ୍କଠାରୁ ସ୍ଥିର ପ୍ରଦର୍ଶନ ଆଶା କରିବ ଦଳ।ଆଫଗାନିସ୍ତାନ (୬.୫/୧୦)
ଆଫଗାନିସ୍ତାନ ଅଧିନାୟକ ଗୁଲାବଦ୍ଦିନ ନାଏବ ଏବଂ ମହମ୍ମଦ ନବି ନିଜ ପାଳି ଜରିଆରେ ଦଳର ଫିନିସର୍ ରହିବେ। ନବି ବିଶ୍ବର ପ୍ରାୟ ସମସ୍ତ ଟି-୨୦ ଲିଗ୍ ଖେଳୁଛନ୍ତି। ତାଙ୍କ ଅଭିଜ୍ଞତା ପାଳି ଶେଷରେ ଦଳ ପାଇଁ ନିର୍ଣ୍ଣାୟକ ଭୂମିକା ତୁଲାଇବ। ବିଗତ କିଛି ବର୍ଷ ହେବ ରସିଦ୍ ଖାନ ମଧ୍ୟ ଭଲ ବ୍ୟାଟିଂ କରିବାର କ୍ଷମତା ଦେଖାଇଛନ୍ତି। କିନ୍ତୁ ନିମ୍ନକ୍ରମଙ୍କ ଅସ୍ଥିରତା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ନିମ୍ନମାନ୍ୟତା ଦଳ ବିପକ୍ଷରେ ଖେଳୁଥିବାରୁ ଦଳର ଶେଷ ଭାଗ ବ୍ୟାଟସମ୍ୟାନ୍ଙ୍କୁ ବିଶ୍ବକପ୍ରେ ବିଶ୍ବର ପ୍ରମୁଖ ଖେଳାଳିଙ୍କ ମୁକାବିଲା କରିବାକୁ ପଡ଼ିବ।ଶ୍ରୀଲଙ୍କା (୬.୫/୧୦)
ସିଂହଳୀ ଦଳର ଶେଷାନ୍ତ ଓଭର ବ୍ୟାଟିଂରେ ଆଞ୍ଜେଲୋ ମାଥ୍ୟୁସ ଏବଂ ତିସରା ପେରେରାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଅତୀତରେ ମାଥ୍ୟୁସ ଏକା ଏକା ବହୁବାର ଶ୍ରୀଲଙ୍କାକୁ ବିଜୟୀ କରାଇଛନ୍ତି, କିନ୍ତୁ ବିଗତ କିଛି ବର୍ଷ ହେବ ସେ ଆହତ ସମସ୍ୟା ଭିତରେ ରହି ଭଲ ପ୍ରଦର୍ଶନ କରିନାହାନ୍ତି। ଏଥର ତାଙ୍କ ଫର୍ମ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ। ତିସରା ପେରେରା କିନ୍ତୁ ଏବେ ପରିପକ୍ବତା ଦେଖାଇଛନ୍ତି। ସେ ମଧ୍ୟ ଜଗିରଖି ବ୍ୟାଟିଂ କରିବାରେ ସିଦ୍ଧହସ୍ତ ଅଛନ୍ତି। ଇସୁରୁ ଉଦାନା ଏବଂ ମିଲିନ୍ଦା ସିରିବର୍ଧନା ବ୍ୟାଟିଂରେ ଭଲ କରୁଥିବାରୁ ଶ୍ରୀଲଙ୍କା ଏହି ଦୁଇ ଜଣଙ୍କଠାରୁ ଭଲ ଅବଦାନ ଆଶା ରଖିଛି। ନତୁବା ପତନମୁଖରେ ଥିବା ଶ୍ରୀଲଙ୍କା କ୍ରିକେଟ୍ ରସାତଳଗାମୀ ହୋଇଯିବ।