କିଏ ପସନ୍ଦର ଦିନିକିଆ ୱିକେଟରକ୍ଷକ? ଈଶାନ-ରାହୁଲଙ୍କୁ ନେଇ ବିତର୍କ

ଦୀପ୍ତିରଂଜନ ସାମଲ

ଭୁବନେଶ୍ବର: ଅଷ୍ଟ୍ରେଲିଆ ବିପକ୍ଷରେ ଆହ୍ବାନଭରା ବର୍ଡର-ଗାଭାସ୍କର ଟ୍ରଫି ଜିତିବା ପରେ ଏବେ ଭାରତୀୟ ଦଳର ନଜର ରହିଛି ଦିନିକିଆ ଶୃଙ୍ଖଳା ଉପରେ। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି। ତେଣୁ ବିଶ୍ବକପ୍‌ ପୂର୍ବରୁ ଭାରତ ତାହାର ସବୁ ଦିଗକୁ ମାର୍ଜିତ କରିବାକୁ ଏହି ଶୃଙ୍ଖଳା ମାଧ୍ୟମରେ ସୁଯୋଗ ରହିବ। ଭାରତୀୟ ଦଳରେ ୱିକେଟ୍‌ରକ୍ଷକ ସ୍ଥାନକୁ ନେଇ ସବୁବେଳେ ବିତର୍କ ଲାଗି ରହିଛି। କାରଣ ଦିନିକିଆ ବିଶ୍ବକପ୍‌ ପୂର୍ବରୁ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଖେଳାଯିବ। ବର୍ଡର-ଗାଭାସ୍କର ଟ୍ରଫିରେ କେଏସ୍‌ ଭରତ ଆତ୍ମବିଶ୍ବାସ ଜୁଟାଇବାରେ ବିଫଳ ହୋଇଥିଲା ବେଳେ ଦେଢ ବର୍ଷ ଧରି ଭାରତୀୟ ଦଳ ସହିତ ବୁଲିବା ପରେ ମିଳିଥିବା ସୁଯୋଗର ସେ ଫାଇଦା ଉଠାଇ ପାରିନାହାନ୍ତି। ତେଣୁ କେଏଲ୍‌ ରାହୁଲଙ୍କୁ ଡବ୍ଲୁଟିସି ଫାଇନାଲ୍‌ରେ ୱିକେଟରକ୍ଷକ ଦାୟିତ୍ବ ଦିଆଯିବା ଉପରେ ଅନେକ ପୂର୍ବତନ କ୍ରିକେଟର ମତ ରଖୁଛନ୍ତି। ତେବେ ଦିନିକିଆ ଶୃଙ୍ଖଳାରେ ବି ରାହୁଲଙ୍କୁ ଏହି ଦାୟିତ୍ବ ‌ଦେଇ ପରିସ୍ଥିତି ସହ ଯୋଡ଼ି ହେବାକୁ ବଡ଼ ସୁଯୋଗ ରହିବ। ଅନ୍ୟପଟରେ ଈଶାନ କିଶନ ନିକଟ ଶୃଙ୍ଖଳାଗୁଡ଼ିକରେ ଚମତ୍କାର ପ୍ରଦର୍ଶନ ଦେଇଥିବାରୁ ସେ ମଧ୍ୟ ସୀମିତ ଓଭରରେ ସର୍ବାଧିକ ପସନ୍ଦର ୱିକେଟରକ୍ଷକ ରହିଛନ୍ତି।

ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମା ଖେଳୁନଥିବାରୁ ପାଳି ଆରମ୍ଭ ପାଇଁ ଶୁବମନ ଗିଲ୍‌ଙ୍କ ସହ ଉଭୟ ଈଶାନ ଓ ରାହୁଲ ଯୋଗ୍ୟ। ହେଲେ ଏମାନଙ୍କ ମଧ୍ୟରୁ ଜଣକୁ ଶୀର୍ଷ ସ୍ଥାନରେ ବ୍ୟାଟିଂ କରିବାକୁ ପଡ଼ିବ ଓ ଅନ୍ୟ ଜଣକୁ ମଧ୍ୟକ୍ରମରେ ଖେଳିବାକୁ ହେବ। ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ପାଳି ଆରମ୍ଭ କରି ଦ୍ବିଶତକ ଅର୍ଜନ କରିଥିଲେ ଈଶାନ। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଈଶାନ ମଧ୍ୟକ୍ରମରେ ବ୍ୟାଟିଂ କରିଛନ୍ତି। ଏହାପରଠୁ ସେ ପ୍ରାରମ୍ଭିକ ବ୍ୟାଟର ଭାବେ ପସନ୍ଦିତା ଥିଲେ ବି ଶୁବମନ ଗିଲ୍‌ଙ୍କ ଉପରେ ଦଳ ଅଧିକ ଭରସା ରଖୁଛି। ଗିଲ୍‌ ତାଙ୍କ ଗତ ୬ ପାଳିରେ ପ୍ରାରମ୍ଭିକ ବ୍ୟାଟର ଭାବେ ୭୦, ୨୧, ୧୧୬, ୨୦୮, ୪୦*, ୧୧୨ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିପାଇଁ ଈଶାନଙ୍କୁ ଆଉ ରୋହିତଙ୍କ ସହ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଇନଥିଲା। କିନ୍ତୁ ରୋହିତ ଦଳକୁ ଫେରିବା ପରେ ଈଶାନଙ୍କୁ ମଧ୍ୟକ୍ରମରେ ଖେଳିବାକୁ ସୂର୍ଯ୍ୟକୁମାର ଯାଦବଙ୍କ ସହ ସଂଘର୍ଷ କରିବାକୁ ପଡ଼ିପାରେ। ଅପରପକ୍ଷେ ଋଷଭ ପନ୍ତ୍‌ଙ୍କ ଅନୁପସ୍ଥିତିରେ ରାହୁଲ ୱିକେଟରକ୍ଷକ ସ୍ଥାନ ହାସଲ କରିପାରିବେ କି ନାହିଁ ତାହା ମଧ୍ୟ ଆଲୋଚନାର ପ୍ରସଙ୍ଗ ପାଲଟିଛି। ସଂଯୋଗବଶତଃ ୨୦୨୦ ଜାନୁଆରିରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ସମୟରେ ରାହୁଲଙ୍କୁ ୱିକେଟରକ୍ଷକ ଦାୟିତ୍ବ ମିଳିଥିଲା। ଏହାପରଠୁ ସେ ଦିନିକିଆ ଦଳର ନିୟମିତ ୱିକେଟରକ୍ଷକ ହୋଇଯାଇଥିଲେ। ଏପରିକି ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ବି ଏହି ଭୂମିକାରେ ଆସିଥିବା ଦେଖାଯାଇଥିଲା। ମଧ୍ୟକ୍ରମରେ ବି ରାହୁଲ ଭଲ ଖେଳିଆସିଛନ୍ତି। ୫ ନମ୍ବର ସ୍ଥାନରେ ସେ ୧୬ ମ୍ୟାଚ୍‌ ଖେଳିଥିଲା ବେଳେ ୫୦.୬୧ ହାରରେ ୬୫୮ ରନ୍‌ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ତାଙ୍କର ୧୦୨.୧୭ ଷ୍ଟ୍ରାଇକ୍‌ରେଟ୍‌ ଥିବା‌ବେଳେ ୧ ଶତକ ଓ ୬ ଅର୍ଦ୍ଧଶତକ ସାମିଲ ରହିଛି। ତେଣୁ ଦିନିକିଆରେ ରାହୁଲ ମଧ୍ୟକ୍ରମରେ ଖେଳିବା ସମ୍ଭାବନା ରହୁଛି।

ରାହୁଲ ଓ ଈଶାନଙ୍କ ବ୍ୟତୀତ ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଁ ସଂଘର୍ଷ କରୁଥିବା ସଞ୍ଜୁ ସାମସନ୍‌ଙ୍କୁ ମଧ୍ୟ ଭବିଷ୍ୟତର ୱିକେଟରକ୍ଷକ ଭାବେ ବିବେଚନା କରାଯାଉଛି। ସଞ୍ଜୁ ମାତ୍ର ୧୧ ଦିନିକିଆ ଖେଳିଥିଲା ବେଳେ ୬୬.୦୦ ହାରରେ ୩୩୦ ରନ୍‌ କରିଛନ୍ତି। ମାତ୍ର ଗୋଟିଏ ମ୍ୟାଚ୍‌କୁ ଛାଡ଼ିଦେଲେ ଅନ୍ୟ ୧୦ଟିରେ ସେ ୱିକେଟରକ୍ଷକ ଥିଲେ ଓ ଦୁଇଥର ଅର୍ଦ୍ଧଶତକ ମାରିଛନ୍ତି। ଗତବର୍ଷ ଦକ୍ଷିଣଆଫ୍ରିକା ବିପକ୍ଷରେ ସେ ୮୬* ରନ୍‌ର ଶ୍ରେଷ୍ଠ ପାଳି ଖେଳିଥିଲେ। ‌ୱିକେଟ୍‌ ପଛରେ ୭ କ୍ୟାଚ୍‌ ଓ ୨ ଷ୍ଟମ୍ପିଂ ତାଙ୍କ ନାମରେ କରିସାରିଛନ୍ତି।

ଈଶାନଙ୍କ ଭଳି ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦିଆଯାଉ
ଦିନିକିଆରେ ଈଶାନ କିଶନଙ୍କୁ ୱିକେଟରକ୍ଷକ ଦାୟିତ୍ବ ଦେଲେ ଭଲ ହେବ। ସେ ଯେଉଁଭଳି ସଟ୍‌ ଖେଳୁଛନ୍ତି, ତାଙ୍କ ଉପରେ ଚୟନକର୍ତ୍ତା ଭରସା ରଖିଛନ୍ତି। ବର୍ତ୍ତମାନ ଯୁବ ଖେଳାଳିଙ୍କୁ ଦଳ ଅଧିକ ସୁଯୋଗ ଦେବା ଦରକାର। ଯଦି ରାହୁଲଙ୍କୁ ଟେଷ୍ଟ ଦଳରେ ନିଆଯାଉଛି, ସେ ସମୟରେ ଈଶାନଙ୍କୁ ଦିନିକିଆରେ ବିଶେଷଜ୍ଞ ୱିକେଟରକ୍ଷକ କରାଯିବା ଉଚିତ୍‌। ଏହାଫଳରେ ଦଳର ବେଞ୍ଚଷ୍ଟ୍ରେନ୍ଥ ବଢିବ। ଏହି ଖେଳାଳିମାନେ ହିଁ ବିଶ୍ବକପ୍‌ ବେଳକୁ ଭାରତକୁ ଆଗକୁ ନେଇପାରିବେ। ଯେହେତୁ ଏବେ ପନ୍ତ୍‌ ଅନୁପସ୍ଥିତ ଅଛନ୍ତି ତେଣୁ ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଦଳ ପରୀକ୍ଷା କରିବା ଠିକ୍‌ ହେବ।
-ସୌରଜିତ ମହାପାତ୍ର, ପୂର୍ବତନ ରଣଜୀ ଖେଳାଳି

ରାହୁଲ ୱିକେଟରକ୍ଷକ ହୁଅନ୍ତୁ, ଈଶାନ ପାଳି ଆରମ୍ଭ କରନ୍ତୁ
ଟେଷ୍ଟରେ ଭଲ ‌ନଖେଳିଲେ ବି ଦିନିକିଆରେ ରାହୁଲ ୱିକେଟ୍‌ରକ୍ଷକ ପାଇଁ ମୋର ପ୍ରଥମ ପସନ୍ଦ। ଯେହେତୁ ରୋହିତ ପ୍ରଥମ ମ୍ୟାଚ୍‌ ଖେଳୁନାହାନ୍ତି, ତେଣୁ ପାଳି ଆରମ୍ଭ ପାଇଁ ଉଭୟ ରାହୁଲ ଓ ଈଶାନଙ୍କ ଅଭିଜ୍ଞତା ଥିବାରୁ ମ୍ୟାଚ୍‌ରେ ଦୁଇଜଣଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ। ଈଶାନଙ୍କୁ ପାଳି ଆରମ୍ଭ କରିବାକୁ ଛଡ଼ାଯାଉ ଏବଂ ରାହୁଲ ମଧ୍ୟକ୍ରମରେ ବ୍ୟାଟିଂ କରିବା ସହ ୱିକେଟ୍‌ରକ୍ଷକ ହେଲେ ଭାରତକୁ ଫାଇଦା ମିଳିବ।
-ପାନାଲାଲ ବୋଷ, ପୂର୍ବତନ ରଣଜୀ ୱିକେଟରକ୍ଷକ

ଦଳର ଭବିଷ୍ୟତ ପାଇଁ ଈଶାନଙ୍କୁ ୱିକେଟ ପଛରେ ରଖାଯାଉ
ପୂର୍ବରୁ ଈଶାନ ଓ ରାହୁଲଙ୍କ ପାଖରେ ପାଳି ଆରମ୍ଭ କରିବା ଅଭିଜ୍ଞତା ରହିଛି। ତେଣୁ ରୋହିତଙ୍କ ଅନୁପସ୍ଥିତିରେ ଶୀର୍ଷରେ ବ୍ୟାଟିଂ କରିବା ପାଇଁ ଭାରତ ପାଖରେ ଏକାଧିକ ବିକଳ୍ପ ରହିଛି। କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ରାହୁଲଙ୍କୁ ପାଳି ଆରମ୍ଭ କରିବାକୁ ଦିଆଗଲେ ଠିକ୍‌ ହେବ। ଭାରତୀୟ ଦଳର ଭବିଷ୍ୟତ ଗଢିବା ପାଇଁ ଈଶାନଙ୍କୁ ୱିକେଟରକ୍ଷକ ଦାୟିତ୍ବ ଦିଆଗଲେ ଠିକ୍‌ ହେବ।
-ବସନ୍ତ ମହାନ୍ତି, ପୂର୍ବତନ ରଣଜୀ କ୍ରିକେଟର

ମଧ୍ୟକ୍ରମରେ ରାହୁଲ ଖେଳିଲେ ସନ୍ତୁଳନ ରହିବ
ରାହୁଲ ଦିନିକିଆରେ ଭଲ ରନ୍‌ ବାହାର କରିପାରୁଛନ୍ତି। ମଧ୍ୟକ୍ରମରେ ସେ ଖେଳିଲେ ଭାରତୀୟ ଦଳର ସନ୍ତୁଳନ ରକ୍ଷା ହେବ। ରୋହିତ ଶର୍ମା ମଧ୍ୟ ପୂର୍ବରୁ ରାହୁଲଙ୍କ ଉପରେ ଆସ୍ଥା ରଖିଆସିଛନ୍ତି। କିନ୍ତୁ ଈଶାନ ଅଳ୍ପ କିଛି ପାଳିକୁ ଛାଡ଼ିଦେଲେ ସେଭଳି କୌଣସି ବଡ଼ ସ୍କୋର କରିପାରିନାହାନ୍ତି। ତଥାପି ରୋହିତ ନଥିବାରୁ ଉଭୟଙ୍କୁ ସୁଯୋଗ ମିଳିପାରେ। କିନ୍ତୁ ରୋହିତ ଆସିଲେ ରାହୁଲ ହିଁ ପ୍ରଥମ ପସନ୍ଦ ୱିକେଟରକ୍ଷକ ହେବେ।
-ପବନ ଅଗ୍ରୱାଲ, ପୂର୍ବତନ ରଣଜୀ କ୍ରିକେଟର

ବିଶ୍ବକପ୍‌ରେ ଈଶାନ ଭାରତର ବଡ଼ ଅସ୍ତ୍ର ହୋଇପାରନ୍ତି
ଟେଷ୍ଟ କ୍ରିକେଟ୍‌ ପାଇଁ ରାହୁଲ ଉପଯୁକ୍ତ ୱିକେଟରକ୍ଷକ। କିନ୍ତୁ ଯତେବେଳେ ଦିନିକିଆ କଥା ଆସୁଛି, ଈଶାନଙ୍କ ନାମ ଆଗକୁ ଆସିବ। କାରଣ ଭାରତୀୟ ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ। ଧୋନିଙ୍କ ସମୟରେ ୱିକେଟରକ୍ଷକ ସ୍ଥାନକୁ ନେଇ କିଛି ଚିନ୍ତା କରାଯାଇପାରୁନଥିଲା। ହେଲେ ଏବେ ଭଲ ପ୍ରତିଦ୍ବନ୍ଦ୍ବିତା ହେଉଛି। ଦିନିକିଆର ଆବଶ୍ୟକତା ଅନୁସାରେ ଈଶାନ ସଟ୍‌ ଖେଳୁଛନ୍ତି। ବିଶ୍ବକପ୍‌କୁ ନଜରରେ ରଖିଲେ ସେ ଭାରତର ବଡ଼ ଅସ୍ତ୍ର ହୋଇପାରନ୍ତି। ଶୁକ୍ରବାରଠୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃ୍ଙ୍ଖଳା ଏହି ଆଲୋଚନା ଉପରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।
-ବିଷ୍ଣୁଦେବ ମହାନ୍ତି, ପୂର୍ବତନ ରଣଜୀ ୱିକେଟରକ୍ଷକ

ସମ୍ବନ୍ଧିତ ଖବର