କଟକ: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ଦୁଇ ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏଫ୍ସି ଓ ଇଷ୍ଟ୍ବେଙ୍ଗଲ ମଧ୍ୟରେ ଶୁକ୍ରବାର ଫାଇନାଲ୍ ମୁକାବିଲା ହେବ। ମଙ୍ଗଳବାର ସେମି ଫାଇନାଲ୍ରେ ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଦଳର ଲଢୁଆ ପ୍ରତ୍ୟାବର୍ତ୍ତନ ଓ ୧୦ ଜଣ ଖେଳାଳିଙ୍କୁ ନେଇ ବି ମ୍ୟାଚ୍ ଜିତିବାକୁ ଚାରିଆଡେ ପ୍ରଶଂସା କରାଯାଇଥିଲା। ଅନ୍ୟପକ୍ଷରେ ଇଷ୍ଟ୍ବେଙ୍ଗଲ ପ୍ରତ୍ୟେକ ମ୍ୟାଚ୍କୁ ସୌଭାଗ୍ୟବଶତଃ ଜିତିବାରେ ସଫଳ ହୋଇଚାଲିଛି। ପ୍ରତ୍ୟେକ ମ୍ୟାଚ୍ରେ ଏକାଧିକ ଗୋଲ୍ ସୁଯୋଗ ହାତଛଡ଼ା କରିଆସୁଥିବାରୁ ଇଷ୍ଟ୍ବେଙ୍ଗଲ ଦଳକୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଛି। କିନ୍ତୁ ବେଙ୍ଗାଲୁରୁ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଏଭଳି ତ୍ରୁଟି ଇଷ୍ଟବେଙ୍ଗଲକୁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଫେଡେରେସନ୍ କପ୍ର ନାମକରଣ ପରିବର୍ତ୍ତନ ହୋଇ ସୁପର କପ୍ ରଖାଯାଇଛି। ବାରବାଟୀ ଷ୍ଟାଡିୟମରେ ଗତବର୍ଷ ଖେଳାଯାଇଥିବା ଫେଡେରେସନ୍ କପ୍ର ବିଦାୟୀ ସଂସ୍କରଣରେ ମୋହନ ବାଗାନକୁ ହରାଇ ବେଙ୍ଗାଲୁରୁ ବିଜେତା ହୋଇଥିଲା। ଯଦିଓ ଚଳିତ ବର୍ଷର ସୁପର କପ୍ରେ ଇଷ୍ଟ୍ବେଙ୍ଗଲ ଫାଇନାଲ୍ ପର୍ଯ୍ୟନ୍ତ ଆସିଛି, କିନ୍ତୁ ଦଳୀୟ ପ୍ରଦର୍ଶନ ଫୁଟବଲ୍ ପ୍ରଶଂସକଙ୍କୁ ଏତେମାତ୍ରାରେ ପ୍ରଭାବିତ କରିପାରିନାହିଁ। ତେଣୁ ବେଙ୍ଗାଲୁରୁ ତାହାର ଆକ୍ରମଣାତ୍ମକ ଶୈଳୀରେ ଖେଳିବାକୁ ଉଦ୍ୟମ କରିପାରେ। ଏହାବ୍ୟତୀତ ଚଳିତ ଋତୁରେ ଉଭୟ ଦଳ ବର୍ତ୍ତମାନ ସୁଦ୍ଧା କୌଣସି ଟ୍ରଫି ଜିତିପାରିନାହାନ୍ତି। ଆଇ-ଲିଗ୍ରେ ଇଷ୍ଟ୍ବେଙ୍ଗଲ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ମିନର୍ଭା ପଞ୍ଜାବ ଟ୍ରଫି ହାତେଇଥିଲା। ସେହିପରି ଆଇଏସ୍ଲ୍ ଫାଇନାଲ୍ରେ ବେଙ୍ଗାଲୁରୁକୁ ହରାଇ ଚେନ୍ନାୟିନ୍ ଏଫ୍ସି ଦ୍ୱିତୀୟ ଥର ବିଜେତା ହୋଇଥିଲା। ତେଣୁ କୌଣସି ଏକ ଟ୍ରଫି ଜିତିବା ପାଇଁ ଉଭୟ ଦଳଙ୍କ ପାଖରେ ଏହା ବଡ଼ ସୁଯୋଗ। ପ୍ରତିଯୋଗିତା ଆରମ୍ଭରୁ ଇଷ୍ଟ୍ବେଙ୍ଗଲ ମୁମ୍ବାଇ ସିଟିକୁ ୨-୧ରେ ହରାଇଥିଲା ବେଳେ କ୍ୱାର୍ଟର ଫାଇନାଲ୍ ଓ ସେମି ଫାଇନାଲ୍ରେ ଆଇଜଲ୍ ଏଫ୍ସି ଓ ଗୋଆକୁ ଯଥାକ୍ରମେ ୧-୦ ଗୋଲ୍ ବ୍ୟବଧାନରେ ପରାସ୍ତ କରିଥିଲା। ସେହିପରି ବେଙ୍ଗାଲୁରୁ ଲିଗ୍ ପର୍ଯ୍ୟାୟରେ ଗୋକୁଲମ୍ କେରଳକୁ ୨-୧ ଗୋଲ, କ୍ୱାର୍ଟରରେ ନେରୋକାକୁ ୩-୧ ଗୋଲ ଏବଂ ମଙ୍ଗଳବାର ଶେଷ ହୋଇଥିବା ସେମିଫାଇନାଲରେ ମୋହନ ବାଗାନକୁ ୪-୨ ଗୋଲରେ ହରାଇଛି। ଫାଇନାଲ୍ ପୂର୍ବରୁ ଦୁଇ ଦିନର ବିରତି ରହିଥିବାରୁ ଏହି ସଂସ୍କରଣର ବିଜେତା କିଏ ହେବ ବା ସୁପର୍ କପ୍ କିଏ ଜିତିବ ଏନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ‘ସମ୍ବାଦ’ ପକ୍ଷରୁ କେତେକ ମହାନ୍ ଫୁଟ୍ବଲର୍ଙ୍କ ଆକଳନ ଉପସ୍ଥାପିତ କରିଛୁ। ଏଥିରେ ଅଧିକାଂଶଙ୍କ ମତ ବେଙ୍ଗାଲୁରୁ ସପକ୍ଷରେ ରହିଛି।
ଦୁଇ ଦଳଙ୍କ ଭିତରେ ବେଙ୍ଗାଲୁରୁ ସବୁଠାରୁ ଅଧିକ ଶକ୍ତିଶାଳୀ। ଇଷ୍ଟ୍ବେଙ୍ଗଲରେ ଯଦିଓ ଭଲ ଖେଳାଳି ଅଛନ୍ତି, କିନ୍ତୁ ଗୋଲ୍ କରିବାର ଦକ୍ଷତା କମ୍ ରହୁଥିବା ଦେଖାଯାଇଛି। ଅନ୍ୟପକ୍ଷରେ ଆଇଏସ୍ଲ୍ ଫାଇନାଲ୍ରେ ଚେନ୍ନାଇଠୁ ହାରିବା ସତ୍ତ୍ୱେ ବେଙ୍ଗାଲୁରୁ ଭଲ ଖେଳିଥିଲା। ଗତକାଲି ମଧ୍ୟ ୧୦ ଜଣଙ୍କୁ ନେଇ ଜିତିବା ପ୍ରଶଂସନୀୟ। ତେଣୁ ଦୁଇଟି ଶ୍ରେଷ୍ଠ ଦଳଙ୍କ ମଧ୍ୟରେ ଯିଏ ଶତପ୍ରତିଶତ ଉଦ୍ୟମ କରିବ ସେ ହିଁ ଜିତିବ।
ମହମ୍ମଦ ସାହିଦ୍ ଜବାର, ଭାରତୀୟ ମହିଳା ଦଳର ପୂର୍ବତନ ପ୍ରଶିକ୍ଷକ
ଇଷ୍ଟ୍ବେଙ୍ଗଲ ଅପେକ୍ଷା ବେଙ୍ଗାଲୁରୁ ଅଧିକ ପସନ୍ଦର ଦଳ। ଫାଇନାଲ୍ ମ୍ୟାଚ୍ ଏକତରଫା ହେବା ସମ୍ଭାବନା ଅଧିକ। ଯଦି ଇଷ୍ଟ୍ ବେଙ୍ଗଲ ବଦଳରେ ଗୋଆ ଫାଇନାଲ୍କୁ ଆସିଥାନ୍ତା, ତାହେଲେ ମ୍ୟାଚ୍ ପ୍ରତିଦ୍ୱନ୍ଦିତାମୂଳକ ହୋଇପାରନ୍ତା। ହେଲେ ଉନ୍ନତମାନର କୌଶଳ ସହ ଖେଳୁଥିବା ବେଙ୍ଗାଲୁରୁକୁ ହରାଇବା ଇଷ୍ଟ୍ବେଙ୍ଗଲ ପକ୍ଷେ ସହଜ ହେବନି।
ଭକ୍ତବଲ୍ଲଭ ଦାସ, ପୂର୍ବତନ ଫୁଟ୍ବଲ ଖେଳାଳି
ମୋ ପାଇଁ ଇଷ୍ଟ୍ବେଙ୍ଗଲ ନିଶ୍ଚିତ ଭାବେ ପସନ୍ଦିତ ରହିବ। ଯଦିଓ ବେଙ୍ଗାଲୁରୁ ଭଲ ସଂଘର୍ଷ କରୁଛି, କିନ୍ତୁ ସେମିଫାଇନାଲ୍ର ଘଟଣା ସବୁବେଳେ ପୁନରାବୃତ୍ତି ହେବ ବୋଲି କିଛି ମାନେ ନାହିଁ। ଇଷ୍ଟ୍ ବେଙ୍ଗଲର ରକ୍ଷଣଭାଗ ସବୁଠୁ ମଜବୁତ ରହିଛି। ତେଣୁ ଏହା ବିପକ୍ଷରେ ଏଯାଏଁ ମାତ୍ର ଗୋଟିଏ ଗୋଲ୍ ହୋଇଛି। ସେହିପରି କଳିଙ୍ଗ ଷ୍ଟାଡିୟମରେ ଇଷ୍ଟ୍ ବେଙ୍ଗଲ ଦର୍ଶକଙ୍କ ସଂଖ୍ୟା ମଧ୍ୟ ଅଧିକ ରହୁଛି। ତେଣୁ ଏହା ଦଳର ମନୋବଳକୁ ଦୃଢ କରିବ। ବେଙ୍ଗାଲୁରୁର ଆକ୍ରମଣ ଭଲ ହୋଇଥିଲେ ବି ଇଷ୍ଟ୍ବେଙ୍ଗଲ ତାହାର ରଣକୌଶଳ ବଦଳାଇଲେ ମ୍ୟାଚ୍ ଜିତିବା ସମ୍ଭବ ହୋଇପାରିବ।
ରାଜେନ୍ଦ୍ର ପ୍ରସାଦ ସିଂହ, ଭାରତୀୟ ଦଳର ପୂର୍ବତନ ଖେଳାଳି
ବେଙ୍ଗାଲୁରୁ ଶକ୍ତିଶାଳୀ ଦଳ, କିନ୍ତୁ ଇଷ୍ଟ୍ବେଙ୍ଗଲ ମଧ୍ୟ କିଛି ଖରାପ ନୁହେଁ। ଡିଫେନ୍ସ ଓ ମିଡ୍ଫିଲ୍ଡରେ ଇଷ୍ଟ୍ ବେଙ୍ଗଲ ସବୁଠୁ ଆଗରେ ରହିବ। ଏହାସହିତ ଦର୍ଶକଙ୍କ ସମର୍ଥନ ମଧ୍ୟ ରହୁଛି। ସେହି ଉତ୍ସାହରେ ଖେଳିଲେ ଇଷ୍ଟ୍ବେଙ୍ଗଲ ମ୍ୟାଚକୁ ନିଜର କବ୍ଜା କରିପାରିବ। କେବଳ ଫାଇନାଲ୍ରେ ଦଳ ତାହାର ରଣନୀତିରେ କିଛିଟା ପରିବର୍ତ୍ତନ ଆଣିଲେ ବେଙ୍ଗାଲୁରୁକୁ ଚାପରେ ରଖିହେବ। ତଥାପି ପୂର୍ବ ପ୍ରଦର୍ଶନକୁ ଦେଖିଲେ ବେଙ୍ଗାଲୁରୁ ପଲ୍ଲା ଭାରିଥିବା ଭଳି ମନେହେଉଛି।
ଗଙ୍ଗାଧର ବେହେରା, ବରିଷ୍ଠ ଫୁଟ୍ବଲ୍ ପ୍ରଶିକ୍ଷକ
ବେଙ୍ଗାଲୁରୁ ଫାଇନାଲ ଜିତିବା ସମ୍ଭବନା ଅଧିକ। ଅଧିନାୟକ ସୁନୀଲ ଛେତ୍ରୀଙ୍କ ପାଇଁ ଦଳର ମନୋବଳ ବଢିଛି। ସେ ମ୍ୟାଚ୍ ପରିବର୍ତ୍ତନ କରିପାରୁଥିବା କୌଶଳ ଜାଣିଛନ୍ତି। ତଥାପି ଫାଇନାଲ୍ର ଫଳାଫଳ ଏବେଠୁ ଆକଳନ କରିବା ଅସମ୍ଭବ। ଇଷ୍ଟ୍ବେଙ୍ଗଲ ଭଲ ଡିଫେନ୍ସ କରିପାରୁଥିବା ବେଳେ ଯେତେବେଳେ ଆକ୍ରମଣ କରୁଛନ୍ତି, ସମ୍ପୂର୍ଣ୍ଣ ୧୦ ଜଣ ଖେଳାଳି ମିଳିତ ଭାବେ ଆକ୍ରମଣ କରୁଛନ୍ତି। ତେଣୁ ଫାଇନାଲ୍ ମ୍ୟାଚ୍ ପୂର୍ବାପେକ୍ଷା ଅଧିକ ରୋମାଞ୍ଚକର ହେବ।
ନନ୍ଦକିଶୋର ପଟ୍ଟନାୟକ, ବରିଷ୍ଠ ଫୁଟ୍ବଲ ପ୍ରଶିକ୍ଷକ
ସେମି ଫାଇନାଲ୍ରେ ବେଙ୍ଗାଲୁରୁ ଆରମ୍ଭରୁ ସାମାନ୍ୟ ଧିମାଥିଲା। ଦ୍ୱିତୀୟାର୍ଧରେ ଯେଉଁଭଳି ଭାବେ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତିଛି ତାହା ପ୍ରଶଂସନୀୟ। ଖେଳାଳିମାନଙ୍କର ଟିମ୍ ସ୍ପିରିଟ୍ ଅଛି। ଅନ୍ୟପକ୍ଷରେ ଇଷ୍ଟ୍ବେଙ୍ଗଲ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ ଥିବାରୁ ଫାଇନାଲ୍ରେ ଭଲ ସଂଘର୍ଷ ହେବ। ଉଭୟ ଦଳ ଟ୍ରଫି ପାଇବାକୁ ହକ୍ଦାର। ତଥାପି ଯିଏ ଭଲ ଭଲ ଖେଳିବ ସିଏ ମ୍ୟାଚ୍ ଜିତିବ।
ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଭାରତୀୟ ମହିଳା ଦଳ ପ୍ରଶିକ୍ଷକ
ଚଳିତ ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ରୋମାଞ୍ଚ ଦିନକୁ ଦିନ ବଢ଼ିବାକୁ ଲାଗିଛି। ଫାଇନାଲ୍ରେ ଆଇଲିଗ୍ ଦଳ ଇଷ୍ଟ୍ ବେଙ୍ଗଲକୁ ଭେଟିବ ଆଇଏସ୍ଏଲ୍ ଦଳ ବେଙ୍ଗାଲୁରୁ। ମୋ ମତରେ ଶୁକ୍ରବାର ଫାଇନାଲ୍ରେ ବେଙ୍ଗାଲୁରୁ ପଲ୍ଲା ଭାରି ରହିବ। କାରଣ ଏହା ପାଖରେ ଗୋଲ୍ ରକ୍ଷକ ଗୁରୁପ୍ରୀତ ସିଂହ, ସୁନିଲ ଛେତ୍ରୀ, ମିକୁ ଏବଂ ଉଦାନ୍ତ ସିଂହଙ୍କ ପରି ଅଭିଜ୍ଞ ଖେଳାଳି ରହିଛନ୍ତି। ଅନ୍ୟ ପକ୍ଷରେ କୋଲ୍କାତାର ପୂରାତନ ଦଳ ଇଷ୍ଟ୍ ବେଙ୍ଗଲ୍ ସହଜରେ ବେଙ୍ଗାଲୁରୁକୁ ମଧ୍ୟ ବାଟ ଛାଡ଼ିନପାରେ। ବେଙ୍ଗାଲୁରୁକୁ ଟକ୍କର ଦେବାକୁ ସେହି ଦଳରେ ଗୋଲ୍ ରକ୍ଷକ ଉବେଦ୍, ନାଇଜେରୀୟ ତାରକା ଓମେଗବେମି ଡୁଡୁ, ଲିବେରିଆର ଆଶୁଂମାନ କ୍ରୋମା ଏବଂ ରାଲ୍ଟେ ରହିଛନ୍ତି। ଫଳରେ କଳିଙ୍ଗ ଷ୍ଟାଡିୟମ୍ ଦର୍ଶକ ଏକ ରୋମାଞ୍ଚଭରା ଫାଇନାଲ୍କୁ ଉପଭୋଗ କରିବେ ବୋଲି ମୋର ଆଶା।
ପ୍ରଫୁଲ୍ଲ କୁମାର ମିଶ୍ର, ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ୟୁନିଟ୍-୬ ଦୌଡ଼କୁଦ ସଂଘର ଉପସଭାପତି