କିଏ ନେବ ସିରାଜଙ୍କ ସ୍ଥାନ? ମିତବ୍ୟୟୀ ଈଶାନ୍ତ ନା ଆକ୍ରମଣାତ୍ମକ ଉ‌ମେଶ

କେପଟାଉନ୍: ମଙ୍ଗଳବାରଠାରୁ କେପ୍‌ଟାଉନ୍‌ରେ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଟେଷ୍ଟ୍‌ରେ କିଏ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନ ନେବ? ଏହି ଚିନ୍ତା ଏବେ ଭାରତୀୟ ଦଳର ନୂଆ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ଘାରିଛି। ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ରୂପରେ ଦୁଇଟି ବିକଳ୍ପ ତାଙ୍କ ପାଖରେ ରହିଛି। ଈଶାନ୍ତ ଏହି କ୍ଷେତ୍ରରେ ବାଜି ମାରି ନେବାର ଆଶା ଅଧିକ ରହିଛି। ସେଞ୍ଚୁରିଅନ୍ ବିଜୟର ଅନ୍ୟତମ ନାୟକ ସିରାଜ ମାଂସପେଶୀ ଯନ୍ତ୍ରଣା ପାଇଁ କେପ୍‌ଟାଉନ୍ ଟେଷ୍ଟ୍‌ରୁ ଆପାତତଃ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନ ନେବା ଦୌଡ଼ରେ ଅଭିଜ୍ଞ ବୋଲର ଈଶାନ୍ତ ଏବଂ ଆକ୍ରମଣାତ୍ମକ ବୋଲିଂ ପାଇଁ ପରିଚିତ ଉମେଶ ସାମିଲ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଏହି ଗୋଟିଏ ସ୍ଥାନ ପାଇଁ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି।

୧୦୦ରୁ ଅଧିକ ଟେଷ୍ଟ୍ ଖେଳିଥିବା ୩୩ ବର୍ଷୀୟ ଈଶାନ୍ତ ନିକଟ ଅତୀତରେ ନିଜ ଦକ୍ଷତାମୂଳକ ପ୍ରଦର୍ଶନ ଦେଇ ପାରିନାହାନ୍ତି। ଅନ୍ୟପକ୍ଷରେ ୫୧ ଟେଷ୍ଟ୍‌ର ଅଭିଜ୍ଞତା ରଖିଥିବା ଉମେଶଙ୍କ ଗତି ମଧ୍ୟ କିଛିଟା ହ୍ରାସ ପାଇଛି। ତେବେ ଦ୍ରାବିଡ଼ ଏବଂ ପିଠି ଯନ୍ତ୍ରଣା ପାଇଁ ଜୋହାନେସବର୍ଗ ଟେଷ୍ଟ୍ ଖେଳି ପାରି ନଥିବା ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ର ମୋଡ଼ ବଦଳାଇବାର ଦକ୍ଷତା ରଖିଥିବା ତଥା ୬ ଫୁଟ ୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ଈଶାନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଉଚ୍ଚତାର ଫାଇଦା ଉଠାଇ ଈଶାନ୍ତ ଘରୋଇ ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇ ପାରିବେ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି। ଜୋହାନେସବର୍ଗରେ ଦକ୍ଷିଣ ଆଫ୍ରିକୀୟ ବୋଲର ମାର୍କୋ ଜାନେସନ୍ ଓ ଡୁଆନେ ଡଲିଭର ବି ଏହା କରିଦେଖାଇଛନ୍ତି। କୋହଲି ଏହି ମ୍ୟାଚ୍‌ରେ ଦଳକୁ ଫେରିବାର ଶତ ପ୍ରତିଶତ ସମ୍ଭାବନା ରହିଛି। କେପ୍‌ଟାଉନ୍‌ରେ ଶୃଙ୍ଖଳା ଫୈସଲା ହେବାର ଥିବାରୁ ବ୍ୟକ୍ତିଗତ ଭାବେ ଏହି ମ୍ୟାଚ୍‌ର ଯଥେଷ୍ଟ ଗୁରୁତ୍ବ ତାଙ୍କ ପାଇଁ ରହିବ। ଏଠାରେ ବିଜୟୀ ହେଲେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ଶୃଙ୍ଖଳା ଜିତିବାରେ କୋହଲି ପ୍ରଥମ ଭାରତୀୟ ଅଧିନାୟକ ହେବେ।

ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ, ପୂର୍ବତନ କ୍ରିକେଟର୍‌ ଦୀପ ଦାସଗୁପ୍ତା ମଧ୍ୟ ଈଶାନ୍ତଙ୍କୁ ଦଳରେ ରଖିବାକୁ ଦ୍ରାବିଡ଼ ଓ କୋହଲିଙ୍କୁ ଆହ୍ବାନ କରିଛନ୍ତି। କେପ୍‌ଟାଉନ୍‌ର ନ୍ୟୁ ଲାଣ୍ଡ୍ସ ଷ୍ଟାଡିୟମ୍ ସମୁଦ୍ର କୂଳରେ ଥିବାରୁ ତାପମାତ୍ରା, ପବନର ବେଗ ଅନୁସାରେ ଈଶାନ ରକ୍ଷଣାତ୍ମକ ଏବଂ ଆକ୍ରମଣାତ୍ମକ ଉଭୟ ପ୍ରକାର ବୋଲିଂ କରିପାରିବେ ‌ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ୩ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ ସ୍ଥିତିରେ ରହିଛନ୍ତି।

ସମ୍ବନ୍ଧିତ ଖବର