ମୁମ୍ବାଇ: ଦିନିକିଆ ବିଶ୍ବକପ୍‌ରେ ଅନ୍ୟମାନଙ୍କ ଅପେକ୍ଷା ‌ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଭାରତୀୟ ଦଳ ଫାଇନାଲ୍‌ରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆଠୁ ପରାଜିତ ହୋଇଥିଲା। ଏହି ପରାଜୟ ପରେ ସମସ୍ତ ଖେଳାଳି ଦୁଃଖରେ ଥିବା ବେଳେ ଧଳା ବଲ୍‌ କ୍ରିକେଟ୍‌ର ଭବିଷ୍ୟତ ଉପରେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଖୁବ୍‌ ଶୀଘ୍ର ବିସିସିଆଇ ଆଲୋଚନା କରିବାକୁ ଯାଉଥିବା ଜଣାପଡ଼ିଛି। ଆସନ୍ତା ୪ ବର୍ଷ ପାଇଁ ଦଳର ଗଠନ ଓ ରୂପରେଖ କେମିତି ହେବ ତାହା ଉପରେ ଆଲୋଚନା ହେବ। ବିଶେଷ କରି ପରବର୍ତ୍ତୀ ଅଧିନାୟକ କିଏ ହେବ ଓ ତାଙ୍କୁ କିପରି ଗଢ଼ାହେବ ତାହା ମୁଖ୍ୟ ପ୍ରସଙ୍ଗ ରହିବ।

Advertisment

ବିସିସିଆଇର ଜଣେ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ‌ଟ୍ବେଣ୍ଟି-୨୦ ପାଇଁ ଭିନ୍ନ ଅଧିନାୟକ ବଛାଯିବା ବିଷୟରେ ରୋହିତଙ୍କ ସମ୍ମତି ରହିଛି। କିନ୍ତୁ ଦିନିକିଆ କ୍ରିକେଟ୍‌ରେ ତାଙ୍କ ଭବିଷ୍ୟତ କ’ଣ ହେବ ତାହା ଗୁରୁତ୍ବପୂର୍ଣ୍ଣ। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବିଶ୍ବକପ୍‌ ବେଳକୁ ରୋହିତଙ୍କ ବୟସ ପାଖାପାଖି ୪୦ ବର୍ଷ ହୋଇଯାଇଥିବ। ଏହାପୂର୍ବରୁ ଆଇସିସିର ବଡ଼ ଇଭେଣ୍ଟ ହେଉଛି ଚାମ୍ପିଅନ୍ସ ଟ୍ରଫି। ୨୦୨୫ରେ ହେବାକୁ ଥିବା ଏହି ଇଭେଣ୍ଟ ପାକିସ୍ତାନରେ ଖେଳାଯିବ। ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରେ ଭାରତ ୩ ଦିନିକିଆ ଓ ୨ ଟେଷ୍ଟ ମ୍ୟାଚ୍ ଖେଳିବ। ଦକ୍ଷିଣ ଆଫ୍ରିକାର ପରିବେଶକୁ ଜାଣିବା ପାଇଁ ଯୁବ କ୍ରିକେଟର୍‌ଙ୍କ ପାଖରେ ଏହା ଭଲ ସୁଯୋଗ ରହିବ। ତେବେ ଦିନିକିଆ କ୍ରିକେଟ୍‌ ଉପରେ ବିସିସିଆଇ ଏବେ ଅଧିକ କିଛି ଚିନ୍ତା କରିବା ପରିବର୍ତ୍ତେ ଆଇପିଏଲ୍‌ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଶେଷ ହେବା ପରେ ଏହା ଉପରେ ଦୀର୍ଘସୂଚୀ ଯୋଜନା କରିପାରେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ରୋହିତ କେବଳ ଟେଷ୍ଟ ଫର୍ମାଟ ଉପରେ ଧ୍ୟାନ ନିବେଶ କରିବାକୁ ଚାହୁଥିବା କୁହାଯାଉଛି।

ରାହାଣେଙ୍କ ଟେଷ୍ଟ କ୍ୟାରିୟର ଉପରେ ବିପଦ
ପୂର୍ବତନ ଟେଷ୍ଟ ଅଧିନାୟକ ଅଜିଙ୍କ୍ୟ ରାହାଣେ ଟେଷ୍ଟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରିପାରନ୍ତି। କାରଣ ଗତ ଜୁନ୍‌ରେ ହୋଇଥିବା ଡବ୍ଲୁଟିସି ଫାଇନାଲ୍‌ ପାଇଁ ତାଙ୍କୁ ଦଳକୁ ଫେରାଇ ଅଣାଯାଇଥିଲେ ବି ଦଳ କିଛି ଫାଇଦା ପାଇପାରି ନଥିଲା। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ତାଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ୍‌ ରହିଛି। ଚୟନ ସମିତି‌ ଲମ୍ବା ସମୟ ଧରି ଖେଳିପାରୁଥିବା ଯୁବ କ୍ରିକେଟର୍‌ଙ୍କୁ ଅଧିକ ସୁ‌ଯୋଗ ଦେବା ପାଇଁ ଚିନ୍ତା କରୁଛି। ଶ୍ରେୟସ ଆୟର ଟେଷ୍ଟ ଦଳକୁ ଫେରୁଥିବାରୁ ଶୁବମନ ଗିଲ୍‌ ତୃତୀୟ ସ୍ଥାନରେ ଖେଳିବା ସମ୍ଭାବନା ବଢ଼ିଯାଉଛି। କେ‌ଏଲ୍ ରାହୁଲଙ୍କୁ ୱିକେଟ୍‌ରକ୍ଷକ ଭାବେ ଦଳରେ ନିଆଯାଇପାରେ ବୋଲି ଜଣେ ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି।