କିଏ ଜିତିବ ଡବ୍ଲ୍ୟୁଟିସି ଫାଇନାଲ୍‌? ଦଶନ୍ଧି ତଳ ପରିକଳ୍ପନା, ପିସିଟି ପଦ୍ଧତିରେ ଫାଇନାଲିଷ୍ଟ ଚୟନ

ଭାରତର ଫାଇନାଲ୍ ପଥ, ନ୍ୟୁଜିଲାଣ୍ଡର ଫାଇନାଲ୍ ପଥ

ସାଉଥମ୍ପଟନ୍: ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ପୂର୍ବରୁ ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ଏହି ପ୍ରତୀକ୍ଷିତ ଲଢ଼େଇ ଏବେ ସାଉଥମ୍ପଟନ୍‌ର ଏଜେସ୍ ବା‌ୱେଲ୍‌ରେ ଖେଳାଯିବ। ପାଞ୍ଚ ଦିନିଆ ମୁକାବିଲା ଜୁନ୍ ୧୮ ତାରିଖରୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଏକ ଦୁଇ ଟିକିଆ ଶୃଙ୍ଖଳା ଖେଳୁଛି। ଭାରତ କିନ୍ତୁ ସିଧାସଳଖ ପଡ଼ିଆକୁ ଓହ୍ଲାଇବ। ବରଂ ଏହି ମ୍ୟାଚ୍ ପରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ଏକ ପାଞ୍ଚ ଟିକିଆ ଶୃଙ୍ଖଳା ଖେଳିବ। ଆଇପିଏଲ୍‌ ଅଧାରୁ ବାତିଲ ହେବା ପରେ ବିନା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଅଭ୍ୟାସରେ ହିଁ ଏହି ଅବତୀର୍ଣ୍ଣ ହେବ।

ଏହା ପୂର୍ବରୁ କରୋନା ସଙ୍କଟ ପାଇଁ ଭାରତୀୟ ଖେଳାଳିମାନେ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୧୮ ଦିନ ସଙ୍ଗରୋଧ ଓ ଜୈବବଳୟ ଭିତରେ ରହିବେ। ନ୍ୟୁଜିଲାଣ୍ଡ ଖେଳାଳି କିନ୍ତୁ ଇଂଲଣ୍ଡ ପହଞ୍ଚି ପ୍ରଥମ ଟେଷ୍ଟ୍‌ ଖେଳିଲେଣି। ସଂପ୍ରତି ଭାରତ ଓ ନ୍ୟୁଜିଲାଣ୍ଡ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିବାରୁ କିଏ ଡବ୍ଲ୍ୟୁଟିସିର ପ୍ରଥମ ବିଜେତା ହେବ, ସେ ଭବିଷ୍ୟବାଣୀ କରିବା ବି‌ଶେଷଜ୍ଞଙ୍କ ପାଇଁ ବି କଷ୍ଟକର ହୋଇ ଯାଇଛି। ଉଭୟ ଦଳରେ ଏକାଧିକ ମ୍ୟାଚ୍ ବିଜୟୀ ଖେଳାଳି ରହିବା ମୁକାବିଲାକୁ ଅଧିକ ରୋଚକ କରି ଦେଇଛି।

ଦଶନ୍ଧି ତଳ ପରିକଳ୍ପନା
ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ପରିକଳ୍ପନା ଦୀର୍ଘ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୦ରେ କରିଥିଲା ଆଇସିସି। ୨୦୧୩ ଓ ୨୦୧୭ ମସିଆରେ ଆ‌‌ୟୋଜନ ପ୍ରୟାସ କରି ବିଫଳ ହୋଇଥିଲା। ଶେଷ‌ରେ ୨୦୧୯ ମସିହା ଅଗଷ୍ଟ ପହିଲାରୁ ଖେଳାଯାଇଥିବା ଇଂଲଣ୍ଡ ଅଷ୍ଟ୍ରେଲିଆ ତତ୍‌କାଳୀନ ଆସେସ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରୁ ଏହାର ଶୁଭାରମ୍ଭ ହୋଇଥିଲା। କରୋନା ଆତଙ୍କ ପାଇଁ ସୂଚୀରେ ଥିବା ଅନେକ ଶୃଙ୍ଖଳା ବାତିଲ କିମ୍ବା ସ୍ଥଗିତ ହେବା ପରେ ନୂଆ ପଏଣ୍ଟ୍‌ ବ୍ୟାବସ୍ଥାକୁ ଲାଗୁ କରାଯାଇ ଭାରତ ଓ ନ୍ୟୁଜିଲାଣ୍ଡକୁ ଫାଇନାଲିଷ୍ଟ ଘୋଷଣା କରାଯାଇଥିଲା। ଚାମ୍ପିଅନସିପ୍ ଚଳିତବର୍ଷ ଜୁନ୍ ମାସରେ ସାଉଥମ୍ପଟନ୍‌ର ରୋଜ୍‌ ବାୱେଲଠାରେ ଶେଷ ହେବ। ଏଥିରେ ଟେଷ୍ଟ୍ ମାନ୍ୟତା ଲାଭ କରିଥିବା ୧୨ ଭିତରୁ ୯ ଦଳ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳ ଅନ୍ୟ ୮ ଦଳ ମଧ୍ୟରୁ ୬ଟି ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ଖେଳିବାର ଥିଲା। ହେଲେ ଏହା ସମ୍ଭବ ହୋଇ ପାରିଲାନି।

ପିସିଟି ପଦ୍ଧତିରେ ଫାଇନାଲିଷ୍ଟ ଚୟନ
କରୋନା ମହାମାରୀ ପାଇଁ ଗତବର୍ଷ ଡବ୍ଲ୍ୟୁଟିସି ସୂଚୀ ପୂରା ବିଗିଡ଼ି ଯାଇଥିଲା। ଅନେକ ପ୍ରତିଯୋଗିତା ଖେଳ ହୋଇ ପାରି ନଥିଲା। ଫଳରେ ଫାଇନାଲିଷ୍ଟ ବାଛିବା ଲାଗି ଆଇସିସି ନିଆରା ପିସିଟି ପଦ୍ଧତି ପ୍ରଚଳନ କରିଥିଲା। ତଦନୁଯାୟୀ ଦଳଗୁଡ଼ିକ ଅର୍ଜନ କରିଥିବା ପଏଣ୍ଟ୍‌ ପରିବର୍ତ୍ତେ ସେମାନେ ପ୍ରତିଦ୍ବନ୍ଦ୍ବିତା କରିଥିବା ମ୍ୟାଚ୍‌ ଏବଂ ବିଜୟୀ ‌ହୋଇଥିବା ମ୍ୟାଚ୍‌ର ପ୍ରତିଶତ ବାହାର କରାଯାଇ ପିସିଟି ନିର୍ଣ୍ଣୟ କରାଯାଇଥିଲା। ଏହି ପିସିଟିରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ପ୍ରଥମେ ନ୍ୟୁଜିଲାଣ୍ଡ ଓ ପରେ ଭାରତ ଫାଇନାଲ୍‌ ‌ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥି‌ଲେ। ଭାରତ ୭୨ ପିସିଟି ପାଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ନ୍ୟୁଜିଲାଣ୍ଡ ୭୦ ପିସିଟିରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା।

ଭାରତର ଫାଇନାଲ୍ ପଥ

ଭାରତ ତା’ର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଅଭିଯାନ ୱେଷ୍ଟଇଣ୍ଡିଜ୍‌କୁ ୱେଷ୍ଟଇଣ୍ଡିଜ୍‌ରେ ୨-୦ରେ ହରାଇ ଆରମ୍ଭ କରିଥିଲା। ଘରୋଇ ପରିବେଶରେ ଖେଳିଥିବା ପରବର୍ତ୍ତୀ ଶୃଙ୍ଖଳାରେ ଭାରତ ୩-୦ରେ ଦକ୍ଷିଣ ଆଫ୍ରିକାକୁ ମୂଳପୋଛ କରିଥିଲା। ପରବର୍ତ୍ତୀ ଘରୋଇ ଦ୍ବିପାକ୍ଷିକ ଶୃଙ୍ଖଳାରେ ପଡ଼ୋଶୀ ବାଂଲାଦେଶକୁ ୨-୦ରେ ଧରାଶାୟୀ କରି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ମଜବୁତ କରି ନେଇଥିଲା ଟିମ୍ ଇଣ୍ଡିଆ। ଡବ୍ଲ୍ୟୁଟିସି ଅନ୍ତର୍ଗତ ପ୍ରଥମ ତିନିଟି ଶୃଙ୍ଖଳାକୁ ଜିତି ହ୍ୟାଟ୍ରିକ୍ କରିଥିବା କୋହଲି ବାହିନୀ କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ବିଦେଶୀ ଶୃଙ୍ଖଳାକୁ ଅପ୍ରତ୍ୟାଶିତ ଭାବେ ୦-୨ରେ ହାରି ଯାଇଥିଲା। ତେବେ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ (୪ ମ୍ୟାଚ୍‌କୁ ୨-୧ରେ ଜିତି) ହାସଲ କରି ପୁଣି ଥରେ ସଫଳତା ଧାରାକୁ ଫେରିଥିଲା। ତଥାପି ଡବ୍ଲ୍ୟୁଟିସି ଫାଇନାଲ୍‌ ଟିକେଟ୍‌ ହାସଲ କରିବା ଲାଗି ଘରୋଇ ପରିବେଶରେ ଖେଳିଥିବା ବିଶ୍ବବିଜେତା ଇଂଲଣ୍ଡକୁ ହରାଇବା ଭାରତ ପାଇଁ ଏକାନ୍ତ ଅପରିହାର୍ଯ୍ୟ ଥିଲା। ଚାରି ଟିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ହାରି ୦-୧ରେ ପଛୁଆ ରହିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୩-୧ରେ ଶୃଙ୍ଖଳା‌ ଜିତିବା ସହ ଇଂଲଣ୍ଡ ପଞ୍ଝାରୁ ଫାଇନାଲ୍ ଟିକେଟ୍‌ ଛଡ଼ାଇ ଆଣିଥିଲା କୋହଲି ବାହିନୀ।

ନ୍ୟୁଜିଲାଣ୍ଡର ଫାଇନାଲ୍ ପଥ

ଶ୍ରୀଲଙ୍କା ବିପକ୍ଷ ଦୁଇଟି ଟିକିଆ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖି ନ୍ୟୁଜିଲାଣ୍ଡ ତା’ର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଅଭିଯାନ ଆରମ୍ଭ କରିଥିଲା। ଏହାପର ଶୃଙ୍ଖଳାରେ କିନ୍ତୁ ଅଷ୍ଟ୍ରେଲିଆଠାରୁ ୦-୩ରେ ପରାଜିତ ହୋଇଥିଲା। ହେଲେ ପର ଘରୋଇ ଶୃଙ୍ଖଳାକୁ ଭାରତକୁ ୨-୦ରେ ମୂଳପୋଛ କରି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଭାରତକୁ ହରାଇବା ପରେ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜ୍‌କୁ ୨-୦ରେ ଧୂଳିଚଟାଇ ପଏଣ୍ଟ୍‌ ତାଲିକାରେ ନିଜ ସ୍ଥିତିକୁ ସୁଦୃଢ଼ କରି ନେଇଥିଲା। ସେହିଭଳି ପାକିସ୍ତାନ ବିପକ୍ଷ ଶେଷ ଶୃଙ୍ଖଳାକୁ ପୁନର୍ବାର ୨-୦ରେ ଜିତି ପ୍ରଥମ ଦଳ ଭାବେ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା।

ସମ୍ବନ୍ଧିତ ଖବର