ସିଲି ପଏଣ୍ଟ୍‌ ଗୋଲାପୀ କାହିଁକି?

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଶନିବାର ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ସ୍ତନ କର୍କଟ ରୋଗୀଙ୍କୁ ସମର୍ଥନ ଏବଂ ଏହି ବିଷୟରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସେମାନେ ଏଭଳି ଏକ ଅଭିନବ ଉପାୟ କରିଥିଲେ। ଦକ୍ଷିଣ ଆଫ୍ରିକାର ପ୍ରତି ୨୯ ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଏହି ଭୟଙ୍କର ରୋଗରେ ପୀଡ଼ିତ ହେଉଥିବାରୁ ସେହି ଦେଶର କ୍ରିକେଟର ଦୀର୍ଘ ଦିନ ତଳୁ ଏଥିନେଇ ସଚେତନତା ସୃଷ୍ଟି କରି ଆସୁଛନ୍ତି। ପାଖା ପାଖି ୫ ବର୍ଷ ତଳୁ ଅର୍ଥାତ୍‌ ୨୦୧୩ ମସିହାରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଏଭଳି ପଦକ୍ଷେପ ନେଇ ଆସୁଛି। ସେବେଠାରୁ ଏହି ଦଳ ପାଞ୍ଚଟି ଗୋଲାପୀ ଦିନିକିଆ ଖେଳି ସାରିଥିଲା ବେଳେ ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିନିକିଆ ଥିଲା ଏହି କ୍ରମର ଷଷ୍ଠ ମୁକାବିଲା। ଖେଳଳିମାନେ ପୂର୍ବ ପାଞ୍ଚଥର ଯାକ ଗୋଲାପୀ ଜର୍ସି ପିନ୍ଧିବା ଦକ୍ଷିଣ ଆଫ୍ରିକା ପାଇଁ ବେଶ୍‌ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା। କାରଣ ଏଭଳି ପୋଷାକ ପିନ୍ଧ ଖେଳିଥିବା ଗତ ପାଞ୍ଚଟି ଯାକ ମ୍ୟାଚ୍‌ରେ (୨୦୧୩ରେ ପାକିସ୍ତାନ, ଭାରତ, ୨୦୧୫ରେ େଓ୍ଵଷ୍ଟଇଣ୍ଡିଜ୍‌ ଏବଂ ୨୦୧୭ରେ ଇଂଲଣ୍ଡ ଓ ଶ୍ରୀଲଙ୍କା) ଦକ୍ଷିଣ ଆଫ୍ରିକା ଏକତରଫା ବିଜୟ ହାସଲ କରିଥିଲା। ସେଥିମଧ୍ୟରୁ ଥରେ ୪୦୦ ରନ୍‌ ଟପିଥିଲା ବେଳେ ତିନି ଥର ୩୦୦ ରନ୍‌ ଅତିକ୍ରମ କରିଥିଲା। ଗୋଲାପୀ ଜର୍ସି ଏବଂ ଏବି ଡିଭିଲିୟର୍ସଙ୍କ ଯୋଡ଼ି ମଧ୍ୟ ଧମାଲ କରିଥିଲା। ୨୦୧୩ରେ ଡିଭିଲିୟର୍ସଙ୍କ ୪୭ ବଲ୍‌ ୭୭ ରନ୍‌ ବଳରେ ହିଁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩୫୮/୪ର ବିଶାଳ ସ୍କୋର କରି ନେଇଥିଲା। ବୃହତ୍‌ ବିଜୟ ବି ହାସଲ କରିଥିଲା। ପାକସ୍ତାନ ବିପକ୍ଷ ଗୋଲାପୀ ଦିନିକିଆରେ ଡିଭିଲିୟର୍ସ ୧୨୮ ରନ୍‌ କରିବା ସହ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଇତିହାସର ଦ୍ରୁତତମ ଶତକ ଅର୍ଜନ କରିଥିଲେ। ସେହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ମାତ୍ର ୨ ଓ୍ଵିକେଟ୍‌ ହରାଇ ୪୩୯ ରନ୍‌ କରିଥିଲା। ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷରେ ଅବଶ୍ୟ ଡିଭିଲିୟର୍ସ ବଡ଼ ସ୍କୋର କରି ପାରି ନଥିଲା।

ସମ୍ବନ୍ଧିତ ଖବର