ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ବସିଥିବା ଖେଳାଳି ହାଟ ରବିବାର ଶେଷ ହୋଇଛି। ଦୁଇ ଦିନରେ ଆଇପିଏଲ୍‌ର ୧୦ ଫ୍ରାଞ୍ଚାଇଜ ୫୫୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ କରି ୨୦୪ ଜଣ ଖେଳାଳିଙ୍କୁ କିଣିଛନ୍ତି। ସେଥିମଧ୍ୟରେ ରହିଛନ୍ତି ୧୦୭ ଅନ୍ତର୍ଜାତୀୟ ଏବଂ ୯୭ ଅଣଅନ୍ତର୍ଜାତୀୟ କ୍ରିକେଟର୍। ୧୩୭ ଭାରତୀୟ ଏବଂ ୬୭ ବିଦେଶୀ ଖେଳାଳି। ତେବେ ଏଥର ଆଇପିଏଲ୍ ନିଲାମରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା। ୨୦୦୮ ମସିହାରେ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ଲାଗି ଉତ୍ତର ପ୍ରଦେଶର ବାମହାତୀ ବ୍ୟାଟର୍‌ ସୁରେଶ ରାଇନା ବିକ୍ରି ହୋଇନାହାନ୍ତି।

Advertisment

ଆଇପିଏଲ୍‌ର ଅନ୍ୟତମ ସଫଳ ତଥା କିଂବଦନ୍ତି ତାରକାର ମାନ୍ୟତା ଲାଭ କରିଥିବା ରାଇନା ଚେନ୍ନାଇ ସୁପରକିଙ୍ଗ୍ସ(ସିଏସକେ) ବ୍ୟାଟିଂକ୍ରମର ମେରୁଦଣ୍ଡ ଥିଲେ। ୨୦୧୬ ଏବଂ ୨୦୧୭ ଋତୁ ଛାଡ଼ିକରି (ଯେବେ ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲ୍‌ରୁ ବାସନ୍ଦ ହୋଇଥିଲା) ରାଇନା ପ୍ରତିଟି ଋତୁରେ ଚେନ୍ନାଇର ପ୍ରତିନିଧିତ୍ବ କରିଥିଲେ। ହେଲେ ଏଥର ସିଏସକେ ତାଙ୍କୁ ନକିଣିବା ପରେ ଏହା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ୟ୍ୟ କରିିଥିଲା। ତେବେ ଅନେକ ତର୍କବିତର୍କ ପରେ ସିଏସକେ ଏବେ ଏହା ପଛର କାରଣ କହିଛି।

ସିଏସକେର ସିଇଓ କାସି ବିଶ୍ୱନାଥ ଆଜି କହିଛନ୍ତି ଯେ, ସିଏସ୍‌କେ ଆଇପିଏଲ ୨୦୨୨ ମେଗା ନିଲାମରେ ବରିଷ୍ଠ କ୍ରିକେଟର ସୁରେଶ ରାଇନାଙ୍କୁ କିଣିନାହିଁ କାରଣ ବର୍ତ୍ତମାନ ଟିମରେ ଥିବା ଖେଳାଳିଙ୍କ ସହ ସେ ଖାପଖାଇ ପାରିବେ ନାହିଁ। ରାଇନା ଜଣେ ଭଲ ଖେଳାଳି। ତାଙ୍କ ବିନା ଆଇପିଏଲ ଖେଳିବା ଆମ ପାଇଁ କଷ୍ଟକର‌ ହେବ ନିଶ୍ଚୟ।

ଉଲ୍ଲେଖଯୋଗ୍ୟ, ଆଇପିଏଲ୍‌ରେ ୨୦୫ ମ୍ୟାଚ୍ ଖେଳି ୫୫୨୮ ରନ୍ କରିଛନ୍ତି ରାଇନା। ସେଥିମଧ୍ୟରେ ରହିଛି ଗୋଟିଏ ଶତକ ଏବଂ ୩୯ ଅର୍ଦ୍ଧଶତକ। ଆଇପିଏଲ୍‌ର ସର୍ବାଧିକ ରନ୍ ହାସଲକାରୀଙ୍କ ମଧ୍ୟରେ ସଂପ୍ରତି ବିରାଟ କୋହଲି (୬୨୮୩), ଶିଖର ଧାୱନ (୫୭୮୪) ଓ ରୋହିତ ଶର୍ମା (୫୬୧୧)ଙ୍କ ପରେ ମିଷ୍ଟର ଆଇପିଏଲ୍ ଭାବେ ପରିଚିତ ରାଇନା ଚତୁର୍ଥ ସ୍ଥାନରେ ରହିଛନ୍ତି। ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ୫,୦୦୦ ରନ୍ ପୂରଣ, ସର୍ବାଧିକ କ୍ୟାଚ୍ (୧୦୯), ଚେନ୍ନାଇ ପାଇଁ ସର୍ବାଧିକ ଅର୍ଦ୍ଧଶତକ (୩୩), ସର୍ବାଧିକ ବାଉଣ୍ଡରି (୪୨୫) ମାରିବାର କୀର୍ତ୍ତିମାନ ରାଇନାଙ୍କ ନାଁରେ ରହିଛି। ଚେନ୍ନାଇ ପାଇଁ ଦ୍ବିତୀୟ ସର୍ବାଧିକ ଛକା (୧୮୫) ମାରିଛନ୍ତି ଏହି ୩୫ ବର୍ଷୀୟ ବିସ୍ଫୋରକ ବ୍ୟାଟର୍। ବ୍ୟକ୍ତିଗତ କାରଣ ପାଇଁ ଗତବର୍ଷର ଆଇପିଏଲ୍ ଖେଳିନଥିଲେ ରାଇନା। ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ସେ ମଧ୍ୟ ଘରୋଇ କ୍ରିକେଟ୍‌ରେ ସକ୍ରିୟ ନଥିଲେ।