ଅହମଦାବାଦ : ୩ୟ ଥର ପାଇଁ ବିଶ୍ବ ଚାମ୍ପିଅନ ହେବା ଲାଗି ୧୪୦ କୋଟି ଭାରତବାସୀ ଦେଖିଥିବା ସ୍ବପ୍ନ ଭାଙ୍ଗିଯାଇଛି ।  ବିଶ୍ବକପରେ ଅପରାଜେୟ ରହିଥିବା ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ତେବେ କାହିଁକି ହାରିଲା ଭାରତ ? ଏହି ପ୍ରଶ୍ନ ଏବେ ସବୁ ଭାରତବାସୀଙ୍କ ମନରେ ରହିଛି ।

Advertisment

ଚଳିତ ବିଶ୍ବକପରେ ଭାରତ ଲଗାତାର ସବୁ ମ୍ୟାଚ ଜିତି ଅପରାଜେୟ ରହିଥିଲା । ଅଷ୍ଟ୍ରେଲିଆକୁ ବି ହରାଇଥିଲା ଭାରତ । ଦଳର ଏହି ସଫଳତା ପଛରେ ଥିଲା ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗର ପ୍ରଭାବୀ ପ୍ରଦର୍ଶନ । କିନ୍ତୁ ଠିକ ଫାଇନାଲରେ ଦଳ ଅଷ୍ଟ୍ରେଲିଆ ତୁଳନାରେ ଭଲ ଖେଳିପାରିଲା ନାହିଁ ।

ତେବେ ଫାଇନାଲରେ ହାରିବାର ମୁଖ୍ୟ କାରଣ ଭାବେ ବ୍ୟାଟିଂ ବିଫଳତାକୁ ଦେଖାଯାଉଛି । କାରଣ ଟୁର୍ଣ୍ଣାମେଣ୍ଟ ସାରା ବଡ଼ ବଡ଼ ସ୍କୋର ଛିଡ଼ା କରିଥିବା ଟିମ ଇଣ୍ଡିଆ ଫାଇନାଲରେ ଏକ ବଡ଼ ସ୍କୋର ଛିଡ଼ା କରିପାରିଲା ନାହିଁ । ଅଧିନାୟକ ରୋହିତ ଶର୍ମା ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ୩ଟି ଓ୍ବିକେଟର ପତନ ପରେ ଦଳ ଚାପକୁ ଚାଲିଆସିଥିଲା । ଚାପରେ ରହି ବିରାଟ କୋହଲି ଓ କେଏଲ ରାହୁଲଙ୍କ ପରି ବ୍ୟାଟ୍ସମ୍ୟାନ ଦ୍ରୁତ ଗତିରେ ରନ କରିପାରିଲେ ନାହିଁ । କେଏଲ ରାହୁଲ ୧୦୭ଟି ବଲ ଖେଳି ୬୬ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ଓ ସୂର୍ଯ୍ୟକୁମାର ଯାଦବଙ୍କ ବିଫଳତା ମଧ୍ୟ ଦଳକୁ ମହଙ୍ଗା ପଡ଼ିଥିଲା। ସୂର୍ଯ୍ୟକୁମାରଙ୍କ ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ୨୮ଟି ବଲ ଖେଳି ମାତ୍ର ୧୮ ରନ କରିଥିଲେ । ଏଥିପାଇଁ ସବୁ ଶ୍ରେୟ ଅଷ୍ଟ୍ରେଲୀୟ ବୋଲରଙ୍କ ଯୋଜନାବଦ୍ଧ ବୋଲିଂ ଆକ୍ରମଣକୁ  ଯିବ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଇନିଂସ ସମୟରେ ଭାରତୀୟ ବୋଲରମାନେ ଆରମ୍ଭରୁ ସଫଳତା ପାଇଥିଲେ ବି ପରେ ତାହାକୁ ଜାରି ରଖିପାରି ନଥିଲେ । ଏପରିକି ଷ୍ଟିଭେନ ସ୍ମିଥଙ୍କ ଓ୍ବିକେଟ ଭାଗ୍ୟବଳରୁ ମିଳିଥିଲା । ଭାରତୀୟ ଦ୍ରୁତ ବୋଲର ଓ ସ୍ପିନରମାନେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍ ଓ ଲାବୁସାନଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନଥିଲେ । ସେହିପରି ଫିଲଡିଂ ବିଭାଗରେ ଭାରତ ଅଷ୍ଟ୍ରେଲିଆଠାରୁ ପଛରେ ପଡ଼ିଯାଇଥିଲା ।