ଆଇପିଏଲ୍ ପାଇଁ ୟୁଏଇ ଆଦର୍ଶ ସ୍ଥାନ କାହିଁକି?

ଉଦ୍‌ଘାଟନୀ ଲାଗି ରାଜ୍ୟ ସଂଘଙ୍କୁ ମିଳିବନି ନିମନ୍ତ୍ରଣ

ଦୁବାଇ: କୋଭିଡ୍-୧୯ ସଙ୍କଟ ପାଇଁ ଚଳିତବର୍ଷର ଆଇପିଏଲ୍‌ ୟୁଏଇକୁ ସ୍ଥାନାନ୍ତର ହୋଇଛି। ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସମେତ ଏକାଧିକ ଦେଶ ବିଶ୍ବର ଏହି ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ବିସିସିଆଇ ଶେଷରେ ୟୁଏଇକୁ ବାଛିଥିଲା। ଏହାର କାରଣ କହିଛନ୍ତି ଆଇପିଏଲ୍ ମୁଖ୍ୟ ବ୍ରିଜେଶ ପଟେଲ। ସବୁଠାରୁ ବଡ଼ କାରଣ ହେଲା ଭାରତ ଓ ଶ୍ରୀଲଙ୍କା ଭଳି ୟୁଏଇରେ ଗୋଟିଏ ଷ୍ଟାଡିୟମରୁ ଅନ୍ୟ ଷ୍ଟାଡିୟମକୁ ଯିବା ଲାଗି ବିମାନ ଯାତ୍ରାର ଆବଶ୍ୟକତା ପଡ଼ିନଥାଏ। ସମସ୍ତ ୮ଟି ଯାକ ଦଳ ଲାଗି ଭିନ୍ନ ଭିନ୍ନ ହୋଟେଲ ଗୋଟିଏ ସହରରେ ମିଳିଯାଇଥାଏ। ଏପରିକି ପ୍ରସାରଣକାରୀ ସଂସ୍ଥା ତଥା ଅନ୍ୟ ଅଧିକାରୀମାନଙ୍କ ପାଇଁ ହୋଟେଲ ଯୋଗାଡ଼ କରିବାରେ ବିଶେଷ ଅସୁବିଧା ହୋଇନଥାଏ। ଆଇପିଏଲ୍ ଖେଳାଯିବାକୁ ଥିବା ଆବୁଧାବି, ଦୁବାଇ ଓ ସାରଜା ଷ୍ଟାଡିୟମକୁ ଖେଳାଳିମାନେ ବସ୍ ଯୋଗେ ମଧ୍ୟ ଯାଇ ପାରିବେ।

ତା’ଛଡ଼ା ୟୁଏଇରେ କୋଭିଡ୍-୧୯ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଏଣୁ ପ୍ରଶଂସକମାନେ ଷ୍ଟାଡିୟମ ଆସି ମ୍ୟାଚ୍ ଦେଖି ପାରିବେ। ସେଥିରୁ ବିସିସିଆଇକୁ ରାଜସ୍ବ ମଧ୍ୟ ମିଳିବ। ଅବଶ୍ୟ ମାତ୍ର ହାତଗଣତି କିଛି ମ୍ୟାଚ୍‌ରେ ଦର୍ଶକଙ୍କ ପାଇଁ ପ୍ରବେଶ ଅନୁମତି ମିଳିବ। ଏ ପର୍ଯ୍ୟନ୍ତ ଏଥିନେଇ କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ୟୁଏଇରେ ଜୈବ ସୁରକ୍ଷିତ ବଳୟ ସୃଷ୍ଟି କରିବା ତୁଳନାତ୍ମକ ଭାବେ ସହଜ ହୋଇଥିଲା ବେଳେ ଏହା କମ୍ ବ୍ୟୟସାପେକ୍ଷ ମଧ୍ୟ। ଅନ୍ୟ ଏକ କାରଣ ହେଲା ବିଦେଶୀ ଖେଳାଳିମାନେ ସିଧାସଳଖ ୟୁଏଇରେ ପହଞ୍ଚି ପାରିବେ। କାରଣ ଦୁବାଇକୁ ବିଶ୍ବର ଅଧିକାଂଶ ସହରରୁ ସିଧାସଳଖ ବିମାନ ଚଳାଚଳ କରୁଛି। ୟୁଏଇ ସରକାର ମଧ୍ୟ ବିସିସିଆଇକୁ ସବୁପ୍ରକାର ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ୟୁଏଇ କ୍ରିକେଟ୍ ବୋର୍ଡର ଏସିଆ କପ୍ ଓ ଆଇପିଏଲ୍ ଆୟୋଜନ କରିବାର ଅଭିଜ୍ଞତା ବି ରହିଛି ବୋଲି ପଟେଲ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସେହିଭଳି ଆଇପିଏଲର ଏବର୍ଷର ସଂସ୍କରଣରେ ଡିଆରଏସ୍ ନିୟମରେ କିଛିଟା ଅଦଳ ବଦଳ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ମୁମ୍ବାଇ: ଆଇପିଏଲ୍ ଆରମ୍ଭ ହେବାପରଠାରୁ ବିସିସିଅ‌ାଇ ପାରମ୍ପରିକ ଭାବେ ତା’ର ଅନୁବନ୍ଧିତ ରାଜ୍ୟସଂଘଗୁଡ଼ିକର କିଛି ପୂର୍ବତନ କର୍ମକର୍ତ୍ତା ଏବଂ ସଭାପତି ଓ ସଂପାଦକଙ୍କୁ ଉଦ୍‌ଘାଟନୀ, ଉଦ୍‌ଯାପନୀ ତଥା ଫ୍ଲେ ଅଫ୍ ମ୍ୟାଚ୍ ଲାଗି ପର୍ଯ୍ୟାୟକ୍ରମେ ଆମନ୍ତ୍ରଣ କରିଆସୁଛି। ଏଥର କିନ୍ତୁ ଏହି ଧାରା ତୁଟିବ। ଅନ୍ତତଃ ଚଳିତବର୍ଷର ଆଇପିଏଲ୍ ଉଦ୍‌ଘାଟନୀ ଓ ପ୍ରଥମ କିଛି ମ୍ୟାଚ୍ ଲାଗି ବିସିସିଆଇ ରାଜ୍ୟ ସଂଘ କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରିବନାହିଁ। ବିସିସିଆଇ ସଂପାଦକ ଜୟ ଶାହା ମଙ୍ଗଳବାର ଇମେଲ୍ ପଠାଇ ରାଜ୍ୟସଂଘଗୁଡ଼ିକୁ ଏହି ବିଷୟ ଜଣାଇ ନେଇଛନ୍ତି। ”କଠୋର ଜୈବ ସୁରକ୍ଷିତ ବଳୟ ନିୟମ ପାଇଁ ପ୍ରଥମ କିଛି ମ୍ୟାଚ୍ ଲାଗି ଆପଣମାନଙ୍କୁ ଆମନ୍ତ୍ରଣ କରିହେଉନି। ଏଥିନେଇ ମୁଁ ଅତ୍ୟନ୍ତ ଦୁଃଖିତ। ପରବର୍ତ୍ତୀ ସମୟରେ ଏହି ନିୟମ କୋହଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେତେବେଳକୁ ଆପଣମାନଙ୍କୁ ମ୍ୟାଚ୍ ପାଇଁ ଆମେ ନିମନ୍ତ୍ରଣ କରିବୁ। ଆପଣମାନଙ୍କ ଅନୁପସ୍ଥିତି ପାଇଁ ଆଇପିଏଲ୍ ଉଦ୍‌ଘାଟନୀ ଅସଂପୂର୍ଣ୍ଣ ରହିବ। କରୋନା ମହାମାରୀ ପାଇଁ ଆମ ସମସ୍ତଙ୍କୁ କିଛି ନା କିଛି ତ୍ୟାଗ କରିବାକୁ ପଡ଼ିବ” ବୋଲି ଶାହ ତାଙ୍କ ଇମେଲ ବାର୍ତ୍ତାରେ ଲେଖିଥିବା ଜଣାପଡ଼ିଛି। ନଭେମ୍ବରରେ ସ୍ଥିତି ସୁଧୁରିଲେ ମ୍ୟାଚ୍ ଦେଖିବା ଲାଗି ନିମନ୍ତ୍ରଣ ପତ୍ର ପଠାଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। କରୋନା ସଙ୍କଟ ପାଇଁ ରାଜ୍ୟସଂଘଗୁଡ଼ିକ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୂର କରିବା ଲାଗି ବିସିସିଆଇ ସଠିକ୍ ସମୟରେ ସବୁପ୍ରକାର ସହାୟତା ଯୋଗାଇ ଦେବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ। ଏହି ପ୍ରତିଯୋଗିତାରେ ଭାରତର ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) ଡୋପ୍ ପରୀକ୍ଷା କରିବ ବୋଲି ଚୂଡ଼ାନ୍ତ କରିଛି। ଏଥି ଲାଗି ୟୁଏଇରେ ମୋଟ ୫ଟି ଡୋପ୍ ନିୟନ୍ତ୍ରଣ କେନ୍ଦ୍ର (ଡିସିଏସ୍) ପ୍ରତିଷ୍ଠା କରିବ। ଦୁବାଇ, ଆବୁଧାବି ଓ ସାରଜାରେ ଗୋଟିଏ ଲେଖାଏଁ ଏବଂ ଅନ୍ୟ ଦୁଇଟି ଦୁବାଇରେ ଥିବା ଆଇସିସି ଏକାଡେମି ଓ ଆବୁଧ‌ାବିର ଜାୟଦ କ୍ରିକେଟ୍‌ ଷ୍ଟାଡିୟମରେ ଖୋଲାଯିବ।

ଆମର ଡୋପ୍ ନିୟନ୍ତ୍ରଣ ଅଧିକାରୀ (ଡିସିଓ) କେବଳ ମ୍ୟାଚ୍‌ ସ୍ଥାନରେ ପରୀକ୍ଷା କରିବେ। ପ୍ରଶିକ୍ଷଣ ସମୟରେ ପରୀକ୍ଷା କଠୋର କରାଯିବ। ପ୍ରତିଯୋଗିତା ସମୟରେ ମୋଟ ୫୦ କ୍ରିକେଟର୍‌ଙ୍କ ନମୁନା ସଂଗ୍ରହ କରାଯିବ। ପରିସ୍ରା ନମୁନା ସହ ଦରକାର ପଡ଼ିଲେ ରକ୍ତ ନମୁନା ସଂଗ୍ରହ କରିବାର ସମ୍ଭାବନା ରହିିଛି ବୋଲି ନାଡା ନିର୍ଦ୍ଦେଶକ ଜେନେରାଲ୍ ନବୀନ ଅଗ୍ରୱାଲ ସୂଚନା ଦେଇଛନ୍ତି। ଡୋପିଂ ନିରୋଧୀ ପରିଚାଳନା ପାଇଁ ପ୍ରତ୍ୟେକ ଦଳରେ ୫ ଜଣ ସଦସ୍ୟ (ଜଣେ ବରିଷ୍ଠ ନାଡା ଅଧିକାରୀ, ଦୁଇଟି ମୁଖ୍ୟ ଡିସିଓ ଏବଂ ଦୁଇ ଜଣ ସ୍ଥାନୀୟ ଅଧିକାରୀ) ରହିବେ। ଦୁଇଟି ପର୍ଯ୍ୟାୟରେ ଏହି ସଦସ୍ୟମାନେ ୟୁଏଇ ଗସ୍ତ କରିବେ। ପ୍ରଥମ ଦଫା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେଠାକୁ ଯିବେ। ଯିବା ପୂର୍ବରୁ ସମସ୍ତ ସଦସ୍ୟଙ୍କ କୋଭିଡ ପରୀକ୍ଷା କରାଯିବ ବୋଲି ଅଗ୍ରୱାଲ କହିଛନ୍ତି।

ସମ୍ବନ୍ଧିତ ଖବର