ଚାପରେ ଖେଳିପାରୁନି କି ଟିମ ଇଣ୍ଡିଆ ?

ଭୁବନେଶ୍ବର : ଏସିଆ କପରେ ଆଫଗାନିସ୍ତାନ ବିରୋଧରେ ଭାରତର ବିପୁଳ ବିଜୟ ସତ୍ତ୍ବେ ଦଳର ଦକ୍ଷତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।  ଦ୍ବିପାକ୍ଷିକ ସିରିଜରେ ଭଲ ଖେଳୁଥିବା ଭାରତ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ବାରମ୍ବାର ବିଫଳ ହେଉଛି କାହିଁକି ? ଭାରତ କଣ ଚାପରେ ଖେଳିପାରୁନାହିଁ ? ଆଗକୁ ଟି-୨୦ ବିଶ୍ବକପ ଥିବାବେଳେ ଏସବୁ ପ୍ରଶ୍ନର  ସମାଧାନ ଖୋଜିବା ଭାରତୀୟ ଦଳ ପାଇଁ ଜରୁରୀ ହୋଇପଡ଼ିଛି ।

ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ହାରିବା ପରେ ଭାରତୀୟ ଦଳର ବିଶ୍ବକପ ପ୍ରସ୍ତୁତି ଉପରେ ପ୍ରଶ୍ନଚିହ୍ନ ଲାଗିଛି । ଆଫଗାନିସ୍ତାନ ଉପରେ ବିପୁଳ ବିଜୟ ମଧ୍ୟ ଦଳର ଦୁର୍ବଳତାକୁ ଲୁଚାଇପାରିନାହିଁ । କାରଣ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଟୁର୍ଣ୍ଣାମେଣ୍ଟର ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଥିଲା ଓ ଦଳ ଉପରେ ଚାପ ଥିଲା । କିନ୍ତୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚର ସେପରି କୌଣସି ଗୁରୁତ୍ବ ନଥିଲା । ଆବୁଧାବିର  ପ୍ରବଳ ଗରମରେ ଆଫଗାନିସ୍ତାନ ଦୁଇଦିନରେ ଲଗାତାର ଦୁଇଟି ମ୍ୟାଚ ଖେଳୁଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଆଫଗାନ ଦଳର ମନୋବଳ ହ୍ରାସ ପାଇଥିଲା । ଏଣୁ ସେପରି ଦଳକୁ ଭାରତ ହରାଇବା ସେପରି କୌଣସି ବଡ଼ ସଫଳତା ବୋଲି କୁହାଯାଇପାରିବ ନାହିଁ । ପୁଣି ଏହି ଦଳରେ ଭାରତ ଉପରେ କୌଣସି ଚାପ ନଥିଲା । ଏଠାରେ ପ୍ରଶ୍ନ ଉଠୁଛି, ଭାରତ ହାଇପ୍ରେସର ମ୍ୟାଚରେ ଖେଳିପାରୁ ନାହିଁ କି ?

ଆଉ ଏକ ପ୍ରଶ୍ନ ହେଉଛି ଖେଳାଳିଙ୍କ ଦକ୍ଷତା ଅପେକ୍ଷା ନାଁକୁ ଭିତ୍ତିକରି ଚୟନ କରାଯାଉଛି କି ? ଉଦାହରଣସ୍ବରୂପ କେଏଲ ରାହୁଲ ବାରମ୍ବାର ବିଫଳ ହେଉଥିବା ସତ୍ତ୍ବେ ତାଙ୍କୁ ଟିମରେ ରଖାଯାଉଛି । ଶୁଭମନ ଗିଲ, ସଂଜୁ ସାମସନ ପରି ଖେଳାଳି ଫର୍ମରେ ଥିଲେ ବି ସେମାନଙ୍କୁ ଅଣଦେଖା କରାଯାଉଛି । ଏସିଆ କପରେ ଦିନେଶ କାର୍ତ୍ତିକଙ୍କ ପରି ଇନଫର୍ମ ଖେଳାଳିଙ୍କୁ ନଖେଳାଇ ଋଷଭ ପନ୍ତଙ୍କୁ ଖେଳାଯାଉଛି । ସମୁଦାୟ ଏସିଆ କପରେ କାର୍ତ୍ତିକ ମାତ୍ର ୧୦ଟି ବଲର ସମ୍ମୁଖୀନ ହୋଇଛନ୍ତି ।

ସେହିପରି ଅଭିଜ୍ଞ ବୋଲର ଭୁବନେଶ୍ବର କୁମାର ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୧୯ ତମ ଓଭରରେ ଲଗାତାର ବିଫଳ ହୋଇଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ୧୯ତମ ଓଭରରେ ଅଧିକ ରନ ଖର୍ଚ୍ଚ କରିବା ପରେ ପୁଣି ଥରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୧୯ ତମ ଓଭର ଦିଆଯାଇଥିଲା ଓ ସେ ପୁଣି ସମାନ ଫଳାଫଳ ଦେଖାଇଥିଲେ ।

 

ସମ୍ବନ୍ଧିତ ଖବର