ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୨ୟ ଟେଷ୍ଟର ୨ୟ ଦିନ ଖେଳ ସମାପ୍ତ ହୋଇଛି । ଆଜିର ଷ୍ଟମ୍ସ ଅପସାରଣ ବେଳକୁ ଓ୍ବେଷ୍ଟଇଣ୍ଡିଜ୍ ୪ ଓ୍ବିକେଟ ହରାଇ ୧୪୦ ରନ କରିଛି । ଏହାସହିତ ଓ୍ବେଷ୍ଟଇଣ୍ଡିଜ୍ ଭାରତଠାରୁ ୩୭୮ ରନରେ ପଛୁଆ ରହିଛି । ଦଳ ପକ୍ଷରୁ ଟାଙ୍ଗାରିନ ଚନ୍ଦ୍ରପୋଲ ୩୪ରନ କରିଥିବାବେଳେ ଆଲିକ୍ ଆଠାନାଜେ ୪୧ ରନ କରିଥିଲେ । ସେହିପରି ସାଇ ହୋପ ୩୧ ରନ କରିଥିଲେ । 

Advertisment

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିଜର ପ୍ରଥମ ଇନିଂସରେ ଭାରତ ୫୧୮ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୧୭୫ ରନ କରିଥିବାବେଳେ ଶୁବମନ ଗିଲ୍ ୧୨୯ ରନ କରିଥିଲେ । ଜୟସ୍ବାଲ ଓ କେଏଲ ରାହୁଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୮ ରନ ଯୋଗ କରିବା ପରେ ରାହୁଲ ୩୮ ରନ କରି ଆଉଟ ହୋଇଥିଲେ । ଏହା ପରେ ସାଇ ସୁଦର୍ଶନ ଓ ଜୟସ୍ବାଲଙ୍କ ମଧ୍ୟରେ ଏକ ୧୯୩ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା । ସୁଦର୍ଶନ ୮୭ ରନ କରି ଆଉଟ ହୋଇଥିବାବେଳେ ନୀତିଶ ରେଡ୍ଡି ୪୩ ରନ କରିଥିବାବେଳେ ଧ୍ରୁବ ଜୁରେଲ ୪୪ ରନ କରିଥିଲେ । ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଜୋମେଲ ଓ୍ବାରିକାନ ୩ଟି ଓ୍ବିକେଟ୍ ନେଇଥିବାବେଳେ ରୋଷ୍ଟନ ଚେଜ୍ ଗୋଟିଏ ଓ୍ବିକେଟ ନେଇଥିଲେ ।