ତରୌବା: ଭାରତ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍ ୪ ରନ୍ରେ ବିଜୟୀ ହୋଇଛି। ଭାରତ ସମ୍ମୁଖରେ ୧୫୦ ରନ୍ ବିଜୟ ଲକ୍ଷ୍ୟ ରହିଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୧୪୫ ରନ୍ରେ ସୀମିତ ରହିଥିଲା। ପଦାର୍ପଣକାରୀ ତିଳକ ବର୍ମାଙ୍କ ଛଡ଼ା ଅନ୍ୟ କେହି ଭଲ ବ୍ୟାଟିଂ କରିପାରିନଥିଲେ। ଏଥି ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଘରୋଇ ୱେଷ୍ଟଇଣ୍ଡିଜ୍ ୧-୦ରେ ଆଗୁଆ ହୋଇଛି।
ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଭାରତୀୟ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ବିଶେଷ କରି ସ୍ପିନର ନିୟଂତ୍ରିତ ବୋଲିଂ କରିବାରୁ ୱେଷ୍ଟଇଣ୍ଡିଜ୍ ୧୪୯/୬ରେ ସୀମିତ ରହିଥିଲା। ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ। ଏହି ସମୟରେ ଦୁଇ ଅଭିଜ୍ଞ ଖେଳାଳି ନିକୋଲାସ ପୂରନ (୪୧) ଏବଂ ରୋମମାନ ପାୱେଲ (୪୮) ଦଳର ସମ୍ମାନ ରଖିଥିଲେ। ଭାରତ ପକ୍ଷରୁ ମୁମ୍ବାଇ ବ୍ୟାଟର୍ ତିଳକ ବର୍ମା ଏବଂ ବେଙ୍ଗଲ ବୋଲର୍ ମୁକେଶ କୁମାରଙ୍କୁ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ପଦାର୍ପଣ ସୁଯୋଗ ମିଳିଥିଲା। ମୁକେଶ (୩-୦-୨୪-୦) ଚିତ୍ର ସହ ପଦାର୍ପଣ କରିଛନ୍ତି। ତିଳକ କିନ୍ତୁ ବଢ଼ିଆ ବ୍ୟାଟିଂ କରି ୨୨ ବଲରୁ ୩୯ ରନ୍ କରି ପ୍ରଶଂସନୀୟ ଆଗମନ କରିଛନ୍ତି।
୧୫୦ ରନ୍କୁ ପିଛା କରି ଭାରତ ଦୁଇ ପ୍ରାରମ୍ଭିକ ବ୍ୟାଟର୍ ଶୁବମନ ଗିଲ୍ (୩) ଓ ଈଶାନ କିଶନ (୬)ଙ୍କୁ ସଅଳ ହରାଇଥିଲା। ସୂର୍ଯ୍ୟକୁମାର ବଲ୍ ପିଛା ରନ୍ କରି ୨୧ ରନ୍ରେ ଆଉଟ୍ ହୋଇଥିଲେ। ତିଳକ ବର୍ମାଙ୍କ ବିଦାୟ ପରେ ଅନ୍ୟ କୌଣସି ଖେଳାଳି କ୍ରିଜ୍ରେ ତିଷ୍ଠିନଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ସହ ସଂଜୁ ସାମସନ୍ ନିରାଶ କରିବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଥିଲା। ଜାସନ୍ ହୋଲ୍ଡର ସବୁଠାରୁ ମିତବ୍ୟୟୀ ବୋଲିଂ କରିବା ସହ ସୂର୍ଯ୍ୟକୁମାର ଓ ହାର୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ଭାରତୀୟ କ୍ରିକେଟ୍ ଦଳ ଗୁରୁବାରର ମ୍ୟାଚ୍ ସହ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଦ୍ବିଶତକ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛି। ପାକିସ୍ତାନ ପରେ ଭାରତ କେବଳ ଦ୍ବିତୀୟ ଦେଶ ଭାବେ ଏହି ମାଇଲଖୁଣ୍ଟ ଛୁଇଁଛି। ଏହା ମଧ୍ୟରୁ ଭାରତ ୧୩୦ ବିଜୟ, ୬୪ ପରାଜୟ, ଗୋଟିଏ ଟାଇ ରହିଥିବାବେଳେ ଅନ୍ୟ ୫ଟିରୁ ଫଳାଫଳ ବାହାରିନଥିଲା।