ପୁଣି ଚଳଚଞ୍ଚଳ ହେଲା କ୍ରିକେଟ ଜଗତ, ଆରମ୍ଭ ହେଲା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ

ଲଣ୍ଡନ : କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କରୋନା ମହାମାରୀ ଯୋଗୁଁ ଗତ କିଛି ମାସଧରି ବନ୍ଦ ଥିବା କ୍ରିକେଟ ଷ୍ଟାଡିୟମ ପୁଣି ଚଳଚଞ୍ଚଳ ହୋଇଛି । ଆଜିଠାରୁ ପୁଣି ଆରମ୍ଭ ହୋଇଛି ବ୍ୟାଟ ଓ ବଲ ମଧ୍ୟରେ ସଂଘର୍ଷ । କିନ୍ତୁ ନିଆରା କଥା ହେଉଛି ଷ୍ଟାଡିୟମରେ ଦର୍ଶକଙ୍କ କୋଳାହଳ ନାହିଁ ।

ଆଜି ଆରମ୍ଭ ହୋଇଛି ଇଂଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ସିରିଜର  ପ୍ରଥମ ଟେଷ୍ଟ ମ୍ୟାଚ । ଇଂଲାଣ୍ଡର ସାଉଥହମ୍ପଟନଠାରେ ଥିବା ରୋଜ ବାଉଲ ଷ୍ଟାଡିୟମଠାରେ ଏହା ଆରମ୍ଭ ହୋଇଛି । ଇଂଲାଣ୍ଡ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ଦଳ ପକ୍ଷରୁ ରୋରି ବର୍ନସ ଓ ଡୋମିନିକ ସିବଲି ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ସିବଲି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ତେବେ ରୋରି  ଓ ୩ ନମ୍ବରରେ ଆସିଥିବା ଜୋଏ ଡେନଲି ଧୈର୍ଯ୍ୟର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ତେବେ ବର୍ଷା ଯୋଗୁଁ ଖେଳ ଅଟକି  ରହିଛି । ଏହି ସମୟ ସୁଦ୍ଧା ଇଂଲାଣ୍ଡ ୧ ୱିକେଟ ହରାଇ ୩୪ ରନ ସଂଗ୍ରହ କରିଥିଲା ।

ଆଜିର ଏହି ଟେଷ୍ଟ ମ୍ୟାଚ ଉପରେ ସମଗ୍ର ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର ରହିଛି । କାରଣ କରୋନା ମହାମାରୀ ଯୋଗୁଁ ଗତ କିଛିମାସ ଧରି କ୍ରିକେଟ ବନ୍ଦ ରହିବା ପରେ ଏହା ହେଉଛି ପ୍ରଥମ ମ୍ୟାଚ । କରୋନା ମହାମାରୀ କ୍ରିକେଟ ଜଗତକୁ ଏକ ବଡ଼ ଧକ୍କା ଦେଇଛି । କିନ୍ତୁ ଏହି ମ୍ୟାଚ ମାଧ୍ୟମରେ ନୂଆ ନିୟମ ଓ କଟକଣା ସହ କ୍ରିକେଟ ପୁଣି ଛିଡ଼ା ହେବାକୁ ଚେଷ୍ଟା କରୁଛି ।

ସମ୍ବନ୍ଧିତ ଖବର