ଦୁବାଇ/ସରାଜା: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମଙ୍ଗଳବାର ଦୁଇଟି ବଡ଼ ମୁକାବିଲା ରହିଛି। ଦୁବାଇରେ ଅପରାହ୍ଣରେ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଭିଡ଼ାଭିଡ଼ି ହେବେ। ରାତି ମ୍ୟାଚ୍ରେ ସାରଜାରେ ଖେଳିବେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ୍। ଦୁବାଇରେ ରନ୍ ବର୍ଷାର ପୂର୍ବାନୁମାନ କରାଯାଇଛି। କାହିଁକି ନା ନିଜ ନିଜ ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ହାରିଯାଇଥିବାରୁ ପ୍ରତ୍ୟାବର୍ତନ କରିବା ଆଶାରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ୫ ୱିକେଟ୍ରେ ପରାସ୍ତ କରିଥିବା ବେଳେ ୨ ଥର ବିଜେତା ୱେଷ୍ଟଇଣ୍ଡିଜ୍କୁ ମାମୁଲି ୫୫ ରନ୍ରେ ଅଲ୍ ଆଉଟ୍ କରି ଇଂଲଣ୍ଡ ମ୍ୟାଚ୍କୁ ୬ ୱିକେଟ୍ରେ ଜିତି ନେଇଥିଲା। ଡେଭିଡ୍ ମିଲରଙ୍କ ଫର୍ମ ଦକ୍ଷିଣ ଆଫ୍ରିକା ପାଇଁ ଚିନ୍ତାର କାରଣ ହୋଇଛି। ଚଳିତ ବର୍ଷ ପ୍ରାରମ୍ଭରେ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଶୃଙ୍ଖଳା ଜିତିଥିବାରୁ ଦକ୍ଷିଣ ଆଫ୍ରିକା ମନସ୍ତାତ୍ତ୍ବିକ ଫାଇଦାରେ ରହିବ। କିରଣ ପୋଲାର୍ଡଙ୍କ ଦଳକୁ କିନ୍ତୁ ପ୍ରଥମ ମ୍ୟାଚ୍ ବିପର୍ଯ୍ୟୟକୁ ଭୁଲି ବିଜୟ ସହ ଦୁର୍ବଳ ଏନ୍ଆର୍ଆର୍ (-୩.୯୭୦)କୁ ମଧ୍ୟ ନଜରରେ ରଖି ଏଥିରେ ତୁରନ୍ତ ସୁଧାର ଆଣିବାକୁ ହେବ। ସେମିଫାଇନାଲ୍ ପ୍ରବେଶ ପାଇଁ ଏହା ଶେଷକୁ ନିର୍ଣ୍ଣାୟକ ହୋଇପାରେ।
ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଦୁଇ ଦେଶ ୧୫ ଥର ମୁକାବିଲା କରିଛନ୍ତି। ଦକ୍ଷିଣ ଆଫ୍ରିକା ୯ ଏବଂ ୱେଷ୍ଟଇଣ୍ଡିଜ୍ ୬ ଥର ଜିତିଛନ୍ତି। ବିଶ୍ବକପ୍ରେ ମଧ୍ୟ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ ବେଳେ ଦକ୍ଷିଣ ଆଫ୍ରିକା (୭-୧) ଏବଂ ଦ୍ବିତୀୟ ବ୍ୟାଟିଂ ବେଳେ ୱେଷ୍ଟଇଣ୍ଡିଜ୍ (୫-୨) ଆଗୁଆ ରହିଛନ୍ତି।
ୱେଷ୍ଟଇଣ୍ଡିଜ୍ ଦଳ: କିରଣ ପୋଲାର୍ଡ (ଅଧିନାୟକ), ନିକୋଲାସ୍ ପୂରନ, ଫାବିଏ ଆଲେନ୍, ଡ୍ବାନ୍ ବ୍ରାଭୋ, ରସ୍ତନ ଚେଜ୍, ଆନ୍ଦ୍ରେ ଫ୍ଲେଚର, କ୍ରିସ୍ ଗେଲ୍, ସିମ୍ରନ ହେଟମେୟର୍, ଏଭିନ୍ ଲୁଇସ୍, ଓବେଦ୍ ମ୍ୟାକ୍ୟ, ଲେଣ୍ଡଲ୍ ସିମନ୍ସ, ରବି ରାମପଲ୍, ଅନ୍ଦ୍ରେ ରସେଲ୍, ଓସାନ୍ ଥମାସ, ହେଡେନ୍ ୱାଲ୍ସ ଜୁନିୟର୍।
ଦକ୍ଷିଣ ଆଫ୍ରିକା ଦଳ: ତେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ, କ୍ବିଣ୍ଟନ୍ ଡି’କକ୍ (ୱିକେଟରକ୍ଷକ), ବିୟର୍ଣ୍ଣ ଫର୍ଟୁ୍ନ୍, ରିଜା ହେଣ୍ଡ୍ରିକ୍ସ, ହେନରିକ୍ କ୍ଲାସେଁ, ଐଦେନ ମର୍କରାମ, ଡେଭିଡ୍ ମିଲର୍, ଡବୁଲ୍ୟ ମୁଲଡର୍, ଲୁଙ୍ଗି ଏନ୍ଗିଡି, ଅନରିକ୍ ନର୍ଖିୟା, ଡ୍ବାନ୍ ପ୍ରିଟୋରିୟସ୍, କାଗିସୋ ରବାଦା, ତାବ୍ରାଇଜ୍ ସାମସୀ, ରାଶି ଭାନ୍ ଡେର୍ ଡସେନ୍।
ନ୍ୟୁଜିଲାଣ୍ଡ୍ଠୁ ପ୍ରତିଶୋଧ ଲକ୍ଷ୍ୟରେ ପାକିସ୍ତାନ
ସାରଜା: ଭାରତ ବିପକ୍ଷରେ ବହୁ ପ୍ରତୀକ୍ଷିତ ବିଶ୍ବକପ୍ ବିଜୟ ପରେ ଆତ୍ମବିଶ୍ବାସରେ ଥିବା ପାକିସ୍ତାନ ମଙ୍ଗଳବାର ନିଜ ଦ୍ବିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍କୁ ଭେଟିବ। ଭାରତ ବିପକ୍ଷରେ ୨୯ ବର୍ଷ ପରାଜୟ ଧାରା ଭାଙ୍ଗିବା ପରେ ପାକିସ୍ତାନ ପାଇଁ ଏହା ବିଶ୍ବକପ୍ ବିଜୟଠାରୁ କିଛି କମ୍ ନୁହେଁ ବୋଲି କୁହାଯାଉଛି। କିନ୍ତୁ ଅଧିନାୟକ ବାବର ଆଜମ ନିଜ ଖେଳାଳିମାନଙ୍କୁ ସତର୍କ କରାଇ କହିଛନ୍ତି ଅତ୍ୟଧିକ ଉତ୍ସବରେ ନ ମାତିଲେ ଦଳ ଏକାଗ୍ରତା ହରାଇପାରେ। ଆମେ ଭାରତକୁ ହରାଇବାକୁ ଏଠାକୁ ଆସିନାହୁଁ, ବିଶ୍ବକପ୍ ଜିତିବା ଆମ ଅସଲ ଲକ୍ଷ୍ୟ। ଏହା ସବୁବେଳେ ମନେ ରଖିବାକୁ ହେବ ବୋଲି ଆଜମ ପ୍ରକାଶ କରିଛନ୍ତି। ପୂର୍ବତନ ପାକିସ୍ତାନ ଖେଳାଳିମାନେ ମଧ୍ୟ ସମାନ ଢଙ୍ଗରେ ଦଳକୁ ପରାମର୍ଶ ଦେଇଛନ୍ତି। ସେମିଫାଇନାଲ୍ ପ୍ରବେଶ ପାଇଁ ଦଳକୁ ଅନେକ କିଛି କରିବାର ଅଛି। ନ୍ୟୁଜିଲାଣ୍ଡ୍ ବିପକ୍ଷରେ ପାକିସ୍ତାନ ପ୍ରତିଶୋଧ ମନୋଭାବ ନେଇ ଖେଳିବ। କାରଣ ଦୁଇ ମାସ ତଳେ ସୁରକ୍ଷା କାରଣ ଦର୍ଶାଇ ନ୍ୟୁଜିଲାଣ୍ଡ୍ ଦଳ ପାକିସ୍ତାନ ଗସ୍ତରୁ ସ୍ବେଦେଶ ଫେରିଯାଇଥିଲା। ଏହା ପାକିସ୍ତାନର ବିଶ୍ବକପ୍ ପ୍ରସ୍ତୁତିକୁ ପ୍ରଭାବିତ କରିଥିଲା। ନ୍ୟୁଜିଲାଣ୍ଡ୍କୁ ଅନୁସରଣ କରି ଇଂଲଣ୍ଡ ମଧ୍ୟ ଏହାର ପାକିସ୍ତାନ ଗସ୍ତକୁ ବାତିଲ କରି ଦେଇଥିଲା। ଶୃଙ୍ଖଳା ଆରମ୍ଭ ଦିନ ଏହାକୁ ବାତିଲ କରାଯିବାକୁ ପାକିସ୍ତାନ ପ୍ରଶଂସକମାନେ ଗ୍ରହଣ କରିପାରିନଥିଲେ।
ଅନ୍ୟପକ୍ଷରେ କେନ୍ ୱିଲିୟମସନଙ୍କ ଦଳ ମଧ୍ୟ ଚାପରେ ରହିଛି। ୱିଲିୟମସନ୍ ନିଜେ ଆହତ ସମସ୍ୟାକୁ ନେଇ ସଂଘର୍ଷ କରୁଥିବା ବେଳେ ବିଶ୍ବକପ୍ ପୂର୍ବରୁ ଖେଳାଯାଇଥିବା ଉଭୟ ୱାର୍ମଅପ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ମଧ୍ୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିକଟରୁ ହାରିଯାଇଥିଲା। ଆଇସିସି ପ୍ରତିଯୋଗିତାରେ ଟ୍ରଫି ଜିତିପାରିନଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ସବୁବେଳେ ସ୍ଥିର ପ୍ରଦର୍ଶନ ଦେବାର ପରମ୍ପରା ରଖିଛି। ଏବେ ନ୍ୟୁଜିଲାଣ୍ଡ୍ ନିଜ ପ୍ରଥମ ମ୍ୟାଚ୍ରୁ କିଭଳି ଅଭିଯାନ ଆରମ୍ଭ କରୁଛି ଦେଖିବାକୁ ଅଛି। ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ୍ ଭଳି ମଙ୍ଗଳବାର ମଧ୍ୟ ସାରଜାରେ ବଡ଼ ସ୍କୋର୍ ହେବ ବୋଲି ବିଶ୍ବାସ କରାଯାଉଛି। ଟ୍ବେଣ୍ଟି-୨୦ କ୍ରିକେଟ୍ ଇତିହାସ ଦେଖିଲେ ପାକିସ୍ତାନ ୧୪-୧୦ରେ ଆଗୁଆ ରହିଛି। ବିଶ୍ବକପ୍ ମଇଦାନରେ ମଧ୍ୟ ପାକିସ୍ତାନ (୩-୨) ପଲ୍ଲା ଭାରି ରହିଛି। ଶେଷ ଥର ପାଇଁ ଗତ ଡିସେମ୍ବରରେ ମ୍ୟାକଲିନ୍ ପାର୍କରେ ପାକିସ୍ତାନ ୪ ୱିକେଟରେ ବିଜୟୀ ହୋଇଥିବାବେଳେ ମହମ୍ମଦ ରିଜୱାନ (୮୯*) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ନ୍ୟୁଜିଲାଣ୍ଡ୍ ଦଳ: କେନ୍ ୱିଲିୟମ୍ସନ୍ (ଅଧିନାୟକ), ଟଡ୍ ଆସଲେ, ଟ୍ରେଣ୍ଟ୍ ବୋଲ୍ଟ, ମାର୍କ ଚାପମ୍ୟାନ୍, ଡେଭନ୍ କନୱେ, ଲୋକି ଫର୍ଗୁସନ୍, ମାର୍ଟିନ ଗପ୍ଟିଲ, କାଏଲ୍ ଜାମିସନ୍, ଡାରିଲ୍ ମିଚେଲ୍, ଜିମ୍ମି ନିସାମ, ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସାଣ୍ଟନର୍, ଟିମ୍ ସିଫର୍ଟ, ଈଶ ସୋଢ଼ୀ, ଟିମ୍ ସାଉଦି।
ପାକିସ୍ତାନ ଦଳ: ବାବର ଆଜମ୍ (ଅଧିନାୟକ), ମହମ୍ମଦ ରିଜୱାନ, ଫମର ଜମାନ୍, ମହମ୍ମଦ ହାଫିଜ୍, ସୋଏବ୍ ମଲ୍ଲିକ, ହାସନ୍ ଅଲୀ, ହାରିସ୍ ରୌଫ, ସାହିନ୍ ସାହା ଆଫ୍ରିଦୀ, ଇମଦ ୱାସିମ୍, ସଦାବ ଖାନ୍, ମହମ୍ମଦ ନୱାଜ, ଅସିଫ୍ ଅଲୀ, ହାଇଦର ଅଲୀ, ସର୍ଫରାଜ ଅହମ୍ମଦ, ମହମ୍ମଦ ୱାସିମ୍, ସୋଏବ୍ ମକ୍ସୁଦ୍।