ମେସିଙ୍କୁ ପତ୍ନୀଙ୍କ ସ୍ୱତନ୍ତ୍ର ଶୁଭେଚ୍ଛା

ସାମାଜିକ ଗଣମାଧ୍ୟମରେ ତାଚ୍ଛଲ୍ୟ

କୋଚି: ବିଶ୍ୱକପ୍‌ରେ ଦୁର୍ବଳ ପ୍ରଦର୍ଶନ ପାଇଁ ଘୋର ମାନସିକ ଅଶାନ୍ତିରେ ଥିବା ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍‌ ମେସି ରବିବାର ୩୧ତମ ଜନ୍ମ ଦିବସ ପାଳନ କରିଥିଲେ। ୨୪ ଜୁନ୍‌ ୧୯୮୭ ମସିହାରେ ଜନ୍ମ ଗ୍ରହଣ କରିଥିବା ମେସିଙ୍କର ଏହି ସ୍ୱତନ୍ତ୍ର ଏବଂ ମହତ୍ୱପୂର୍ଣ୍ଣ ଦିନରେ ପତ୍ନୀ ଆଣ୍ଟୋନେଲା ରୋକୁଜୋ ତାଙ୍କ ପାଖକୁ ଆବେଗପୂର୍ଣ୍ଣ ବାର୍ତା ପଠାଇଛନ୍ତି। ଆଣ୍ଟୋନେଲା ଲେଖିଥିଲେ ଜନ୍ମ ଦିନର ଅଭିନନ୍ଦନ, ଆମେ ତୁମକୁ ବହୁତ ଭଲ ପାଉ। ମୋତେ ଦୁନିଆର ସବୁଠାରୁ ସ୍ୱତନ୍ତ୍ର ପତ୍ନୀର ମାନ୍ୟତା ଦେଇଥିବାରୁ ଧନ୍ୟବାଦ। ତୁମେ ସବୁବେଳେ ଖୁସିରେ ରୁହ। ଆମକୁ ଏମିତି ଭଲ ପାଉଥାଅ। ୩୧ତମ ଜନ୍ମ ଦିବସକୁ ମେସି ରୁଷିଆରେ ପାଳନ କରିଥିଲେ। ଆର୍ଜେଣ୍ଟିନାର ଚମକ ହୀନ ପ୍ରଦର୍ଶନର ପ୍ରଭାବ ମେସିଙ୍କ ପତ୍ନୀ ଆଣ୍ଟୋନେଲା ରୋକୁଜୋଙ୍କ ଉପରେ ମଧ୍ୟ ପଡ଼ିଛି। କ୍ଷୁବ୍ଧ ପ୍ରଶଂସକମାନେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଯାହା ଇଚ୍ଛା ତାହା କହୁଛନ୍ତି। କ୍ରୋଏସିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ମେସିଙ୍କୁ ଉତ୍ସାହିତ କରିବା ଲାଗି ସେ ନିଜ ଇନଷ୍ଟାଗ୍ରାମ୍‌ ପୃଷ୍ଠାରେ ତିନି ମାସର ପୁଅର ଫଟୋ ପକାଇ ଭାମୋସ୍‌ପାପି ଲେଖିଥିଲେ। ଯାହା ଅର୍ଥ ହେଉଛି ବାପା ଆଗେଇ ଚାଲ। ତାଙ୍କର ଏହି ଫଟୋକୁ ନେଇ ପ୍ରଶଂସକମାନେ ଆଣ୍ଟୋନେଲାକୁ ଲଗାତାର ତାଚ୍ଛଲ୍ୟ କରୁଛନ୍ତି। ବାପା ଖାଲି ହାରି ଜାଣନ୍ତି ବୋଲି ଜଣେ ପ୍ରଶଂସକ ଲେଖିଥିଲା ବେଳେ ଚିନ୍ତା କରନି ବାପା ଖୁବଶୀଘ୍ର ଘରକୁ ଫେରୁଛନ୍ତି ବୋଲି ଅନ୍ୟ ଜଣେ ପ୍ରଶଂସକ ଏହି ଫଟୋ ତଳେ ଲେଖିଥିଲେ। ନାଇଜେରିଆ ବିପକ୍ଷରେ ଭଲ ଖେଳିବାକୁ ବାପାଙ୍କୁ କହିବାକୁ ଆଉ କେତେକ ପରାମର୍ଶ ଦେଇଥିଲେ। ଅନେକ ପ୍ରଶଂସକ ମେସିଙ୍କୁ ସମର୍ଥନ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର