ମୁମ୍ବାଇ : ବିସିସିଆଇ ଓ ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ମଧ୍ୟରେ ବିବାଦ ମଧ୍ୟରେ ଚଳିତ ବର୍ଷ ଏସିଆ କପ୍ କ୍ରିକେଟ ବାତିଲ ହେବା ଆଶଙ୍କା ଦେଖାଦେଇଛି । ସେପ୍ଟେମ୍ବରରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନରେ ଏକ ୫ ଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଯୋଜନା କରୁଥିବା ଜଣାଯାଇଛି । ପିସିବି ଏସିଆ କପକୁ ପାକିସ୍ତାନରେ ଆୟୋଜନ କରିବାକୁ ଜିଦ୍ ଧରିଛି। କିନ୍ତୁ ଟିମ୍ ଇଣ୍ଡିଆ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବାକୁ କହୁଛି । ଏପରି ସ୍ଥିତିରେ ବିସିସିଆଇ ଏହାକୁ ବାତିଲ କରିବାକୁ ପ୍ରସ୍ତୁତ ଅଛି ଏବଂ ଏସିଆ କପ୍ ସମୟରେ ଆୟୋଜିତ ହେବାକୁ ଥିବା ପଞ୍ଚଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଜନା ଆରମ୍ଭ କରିଛି ।
ପାକିସ୍ତାନକୁ ମନାଇବାକୁ ଶ୍ରୀଲଙ୍କା ଓ ବାଂଲାଦେଶ ଉଦ୍ୟମ କରିଥିଲେ ବି ସେଥିରେ ଅସଫଳ ହୋଇଥିଲେ । ଏସିଆ କପକୁ ଶ୍ରୀଲଙ୍କା, ୟୁଏଇ କିମ୍ବା ଅନ୍ୟ କୌଣସି ନିରପେକ୍ଷ ସ୍ଥାନରେ ଆୟୋଜନ ପାଇଁ ଉଦ୍ୟମ କରାଯାଉଥିଲେ ବି ପାକିସ୍ତାନର ଜିଦ ଯୋଗୁଁ ତାହା ହୋଇପାରୁନାହିଁ । ଏଣୁ ବିସିସିଆଇ ଏସିଆ କପକୁ ବାତିଲ କରି ସେହି ସମୟରେ ୫ଟି ଦେଶକୁ ନେଇ ଏକ ଟୁର୍ଣ୍ଣାମେଣ୍ଟ କରିବାକୁ ଯୋଜନା କରୁଛି । ଅନ୍ୟପକ୍ଷରେ ଏସୀୟ କ୍ରିକେଟ ପରିଷଦ କହିଛି ଯେ ଏସିଆ କପ ବାତିଲ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।