ପଟନା : ନିକଟରେ ଦୀର୍ଘ ୨୩ ବର୍ଷ ପରେ ବିହାରରେ ରଣଜୀ ଟ୍ରଫି ମ୍ୟାଚ୍  ବିହାର ଓ ମୁମ୍ବଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କାରଣରୁ ଏହି ମ୍ୟାଚ ବିବାଦ ଓ ଚର୍ଚ୍ଚାରେ ରହିଥିଲା । ବିହାର ପକ୍ଷରୁ ମ୍ୟାଚ ଖେଳିବାକୁ ଦୁଇଟି ଦଳ ପହଞ୍ଚିଥିଲେ । ପୁଣି ଯେଉଁ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଥିଲା, ତାହାର ଦୂରାବସ୍ଥା ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ ।

Advertisment

ଏସବୁ ସତ୍ତ୍ବେ ବିହାରରେ କ୍ରିକେଟର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ସେ କହିଛନ୍ତି ଯେ ବିହାରରେ କ୍ରୀଡ଼ାରେ କ୍ରମାଗତ ପରିବର୍ତ୍ତନ ଆସୁଛି । ଖୁବଶୀଘ୍ର ବିହାରରେ ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିହାରରେ ଏକ ସ୍ୱତନ୍ତ୍ର କ୍ରୀଡ଼ା ବିଭାଗ ସୃଷ୍ଟି କରାଯାଇଛି ଏବଂ କ୍ରୀଡ଼ା ଉପରେ ନିରନ୍ତର ଉନ୍ନତ କାର୍ଯ୍ୟ କରାଯାଉଛି।

ସୂଚନାଯୋଗ୍ୟ ଯେ ତେଜସ୍ବୀ ଯାଦବ ନିଜେ ୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଓ ଦିଲ୍ଲୀ ଡେୟାରଡେଭିଲ୍ସ ଆଇପିଏଲ ଟିମରେ ମଧ୍ୟ ସ୍ଥାନ ପାଇଥିଲେ । ସେହିପରି ସେ ବିଜୟ ହଜାରେ ଟ୍ରଫି ମଧ୍ୟ ଖେଳିଛନ୍ତି । ତେବେ ୨୦୧୩ରେ ସେ କ୍ରିକେଟରୁ ଅବସର ଗ୍ରହଣ କରି ରାଜନୀତିରେ ପ୍ରବେଶ କରିଥିଲେ । କ୍ରିକେଟ୍ ଭଳି ରାଜନୈତିକ ପିଚରେ ଛକା ମାରିବା ପ୍ରଶ୍ନରେ ତେଜସ୍ୱୀ ଯାଦବ କହିଛନ୍ତି ଯେ ଆମେ ଦଳ ଉପରେ ବିଶ୍ୱାସ କରୁ। ଦଳର ଜଣେ ବ୍ୟକ୍ତି ଛକା ମାରୁଥାଏ ଓ ଅନ୍ୟମାନେ ଆଉଟ ହୋଇଚାଲିବା ଠିକ ନୁହେଁ ।