ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ୍ ?

ନୂଆଦିଲ୍ଲୀ : କ୍ରିକେଟ୍ ଭାରତ ସମେତ କେତେକ ଦେଶରେ ବେଶ ଲୋକପ୍ରିୟ । ବିଶେଷକରି ଟି-୨୦ କ୍ରିକେଟ ଆସିବା ପରେ ନୂଆ ନୂଆ ଦେଶ ଏହାକୁ ଖେଳିବାକୁ ପସନ୍ଦ କରୁଛନ୍ତି  । କିନ୍ତୁ ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ମହାକୁମ୍ଭ ଅଲମ୍ପିକ୍ସରେ ଏହା ସାମିଲ ହେଉନଥିବାରୁ କ୍ରିକେଟପ୍ରେମୀଙ୍କ ମନରେ ଏକ ଦୁଃଖ ରହିଆସିଛି ।

କ୍ରିକେଟପ୍ରେମୀଙ୍କ ଏହି ସ୍ବପ୍ନ ସାକାର ହୋଇପାରେ ୨୦୨୮ରେ ଆମେରିକାର ଲସ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ । ଏଥିରେ କ୍ରିକେଟକୁ ସାମିଲ କରିବାକୁ ଆଇସିସି ପ୍ରସ୍ତାବ ଦେଇଛି ।

ଆଇସିସିର ପ୍ରସ୍ତାବ ଅନୁସାରେ ଟି-୨୦ ରାଙ୍କିଙ୍ଗ୍ ଅନୁସାରେ ୬ଟି ଶ୍ରେଷ୍ଠ ମହିଳା ଓ ପୁରୁଷ କ୍ରିକେଟ୍ ଦଳକୁ ସାମିଲ କରାଯିବ । ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ ଓ ପ୍ରତି ଗ୍ରୁପର ଶ୍ରେଷ୍ଠ ୨ଟି ଦଳ ସେମିଫାଇନାଲ ଖେଳିବେ । ଫାଇନାଲ ବିଜେତାକୁ ସ୍ବର୍ଣ୍ଣ ଓ ରନର୍ସ ଅପକୁ ରୌପ୍ୟ ପଦକ ମିଳିବ । ସେମିରେ ହାରିଥିବା ଦୁଇଟି ଦଳ ବ୍ରୋଞ୍ଜ୍ ପଦକ ପାଇଁ ଖେଳିବେ ।

୨୦୨୮ ଅଲମ୍ପିକ୍ସ ପାଇଁ ଏପର୍ଯ୍ୟନ୍ତ ୨୮ଟି କ୍ରୀଡାକୁ ଚୂଡ଼ାନ୍ତ କରାସାରିଲାଣି । ତେବେ କ୍ରିକେଟ୍ ଓ ଅନ୍ୟ ୮ଟି ଖେଳକୁ ସାମିଲ କରାଯିବା ସଂପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ୨୦୨୩ରେ ମୁମ୍ବାଇରେ ହେବାକୁ ଥିବା ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକରେ ନିଆଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୦୦ ମସିହାରେ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ ସାମିଲ ହୋଇଥିଲା । ଏଥିରେ ବ୍ରିଟେନ ସ୍ବର୍ଣ୍ଣପଦକ ଜିତିଥିଲା ।

 

 

ସମ୍ବନ୍ଧିତ ଖବର