ଦକ୍ଷିଣ ଆଫ୍ରିକା ଦଳକୁ ଫେରିବେ କି ଡି’ଭିଲିୟର୍ସ ?

ଚେନ୍ନାଇ : ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ। ବିଶେଷକରି ନିଜର ୩୬୦ ଡିଗ୍ରୀ ବ୍ୟାଟିଂ ପାଇଁ ସେ ବିଶ୍ବପ୍ରସିଦ୍ଧ। ୩ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ସେ ଏବେ ବି କ୍ରିକେଟ ଜଗତରେ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ବ। ଏହାର ଏକ ବଡ଼ କାରଣ ହେଉଛି ଆଇପିଏଲରେ ତାଙ୍କର ଦମଦାର୍ ପ୍ରଦର୍ଶନ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ସେ ଅନେକ ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି। ତାଙ୍କର ଏହି ଫର୍ମକୁ ଦେଖି ଦକ୍ଷିଣ ଆଫ୍ରିକା ପୁଣି ଥରେ ତାଙ୍କୁ ଜାତୀୟ ଦଳକୁ ଫେରାଇ ନେବାକୁ ଯୋଜନା କରୁଛି। ଏପରି କିଛି ସଂକେତ ଦେଇଛନ୍ତି ଦକ୍ଷିଣ ଆଫ୍ରିକା ପ୍ରଶିକ୍ଷକ ମାର୍କ ବାଉଚର। ଏ ସମ୍ପର୍କରେ ମାର୍କ ବାଉଚର କହିଛନ୍ତି ଯେ, ସେ ଆଇପିଏଲ ଖେଳିବାକୁ ଭାରତ ଯିବା ପୂର୍ବରୁ ଡି’ଭିଲିୟର୍ସଙ୍କ ସହିତ ଏକ ସଂକ୍ଷିପ୍ତ ଆଲୋଚନା କରିଥିଲେ। ସେ ଏବେ ବି ଆଇପିଏଲରେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଓ ବିଶ୍ବ କ୍ରିକେଟରେ ନିଜର ପ୍ରଭାବ ଅକ୍ଷୁର୍ଣ୍ଣ ରଖିବାକୁ ଚାହୁଁଛନ୍ତି। ଆଇପିଏଲ ଶେଷ ହେବା ପରେ ଏ ସମ୍ପର୍କରେ ପୁଣି ଆଲୋଚନା ହେବ ବୋଲି ଡି’ଭିଲିୟର୍ସଙ୍କୁ ବାଉଚର କହିଛନ୍ତି ।

ଭାରତରେ ଚଳିତ ବର୍ଷ ଅକ୍ଟୋବର ନଭେମ୍ବରରେ ଟି-୨୦ ବିଶ୍ବକପ ଖେଳାଯିବ। ଏଥିପାଇଁ ଡି’ଭିଲିୟର୍ସଙ୍କୁ ଦଳରେ ରଖିବାକୁ ଚାହୁଁଛି ଦକ୍ଷିଣ ଆଫ୍ରିକା। ଆଇପିଏଲ ଖେଳି ଡି’ଭିଲିୟର୍ସ ଭାରତୀୟ ପିଚ୍ ଓ ପରିବେଶ ସହିତ ବେଶ ପରିଚିତ। ଏଣୁ ବିଶ୍ବକପରେ ତାଙ୍କର ଏହି ଅଭିଜ୍ଞତା ବେଶ କାମ ଦେବ। ଚଳିତ ଆଇପିଏଲର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଏବିଡି ୨୭ ବଲରେ ୪୮ ରନ କରି ବାଙ୍ଗାଲୋର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡି’ଭିଲିୟର୍ସ ଯଦି ପୁଣି ଫେରନ୍ତି ତେବେ ଆଗାମୀ ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ଶକ୍ତି ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର