ଅହମ୍ମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ଟେଷ୍ଟର ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ ହରାଇ ୨୮୯ ରନ କରିଛି । ଆଉ ଦୁଇଦିନ ବାକି ଥିବାବେଳେ ମ୍ୟାଚଟି ଡ୍ର ଆଡକୁ ଗତି କରୁଥିବା ଅନୁମାନ କରାଯାଉଛି ।
ତେବେ କୌଣସି ଚମତ୍କାର ହିଁ ଭାରତକୁ ବିଜୟ ଦେଇପାରିବ । ଏହି ମ୍ୟାଚରେ ବିଜୟ ଉପରେ ଭାରତର ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଯିବା ନିର୍ଭର କରୁଛି । ଭାରତ ଜିତିଲେ ସିଧାସଳଖ ଫାଇନାଲକୁ ଯିବ । କିନ୍ତୁ ଡ୍ର ହେଲେ ଭାରତକୁ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ । ଚଳିତ ଟେଷ୍ଟରେ ଜିତିଲେ ଭାରତର ପର୍ସେଣ୍ଟେଜ୍ ୬୨.୫ କୁ ବୃଦ୍ଧି ପାଇବ । କିନ୍ତୁ ଡ୍ର ହେଲେ ଭାରତର ପର୍ସେଣ୍ଟେଜ୍ ୬୦.୨୯ରୁ ୫୮.୦୭କୁ ଖସିଆସିବ ।
ଅନ୍ୟପକ୍ଷରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡକୁ ପରାଜିତ କଲେ ଶ୍ରୀଲଙ୍କାର ପର୍ସେଣ୍ଟେଜ୍ ୫୭.୫୮କୁ ବୃଦ୍ଧି ପାଇବ । ପୁଣି ଶ୍ରୀଲଙ୍କା ହାତରେ ଆଗକୁ ଆଉ ଏକ ଟେଷ୍ଟ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟ ଜିତିଲେ ଶ୍ରୀଲଙ୍କା ଫାନାଲକୁ ଯିବ । କିନ୍ତୁ ଯଦି ନ୍ୟୁଜିଲାଣ୍ଡ ୨ୟ ଟେଷ୍ଟରେ ଶ୍ରୀଲଙ୍କାକୁ ହରାଇଦିଏ ତେବେ ଭାରତର ସମ୍ଭାବନା ଉଜ୍ଜଳ ହୋଇଯିବ । କାରଣ ଶ୍ରୀଲଙ୍କାର ପଏଣ୍ଟ ହ୍ରାସ ପାଇବ ଯେଉଁଥିପାଇଁ ଭାରତ ସୁବିଧାଜନକ ସ୍ଥିତିରେ ରହିବ ।