ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଚାଲିଛି ଟ୍ବେଣ୍ଟି-୨୦ ବିଶ୍ବକପ୍। ଶେଷ ଥର ଲାଗି ୨୦୦୭ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବା ଭାରତ ବହୁ ଆଶା ନେଇ ଅଷ୍ଟ୍ରେଲିଆ ଗସ୍ତ କରିଛି। ଚଳିତ ବର୍ଷ ବିଜେତା ହୋଇ ଦ୍ବିତୀୟ ଥର ଟ୍ରଫି କରାୟତ୍ତ ସହ ୧୫ ବର୍ଷ ଅପେକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ। ପ୍ରତିଭାବାନ ବ୍ୟାଟର୍ ଓ ବୋଲରଙ୍କ ପାଇଁ ଭାରତ ମଧ୍ୟ ଦୃଢ଼ ଦାବିଦାରଙ୍କ ମଧ୍ୟରେ ଆଗରେ ରହିଛି। ହେଲେ ଅଷ୍ଟ୍ରେଲିଆ ଟ୍ରଫି ତୋଳିବା ପୂର୍ବରୁ ଅଷ୍ଟମ ଥର ଲାଗି ବିଶ୍ବକପ୍ ଖେଳୁଥିବା ଭାରତ ପ୍ରଥମେ ଚତୁର୍ଥ ଥର ଲାଗି ସେମିଫାଇନାଲ୍ ପହଞ୍ଚିବା ଉପରେ ଗୁରୁତ୍ବ ଦେବ।
୨୦୨୨ର ସମ୍ଭାବନା
ଭାରତର ଏକ ମାତ୍ର ଲକ୍ଷ୍ୟ ରହିବ ବିଶ୍ବକପ୍ରେ ଜିତିବା ଏବଂ ୨୦୨୨ ବିଶ୍ବକପ୍ ଏଥିରୁ ଅଲଗା ନୁହେଁ। ୨୦୨୧ ସଂସ୍କରଣରେ ପାକିସ୍ତାନଠୁ ୧୦ ୱିକେଟ୍ରେ ହାରି ସେମିଫାଇନାଲ୍ରୁ ବଞ୍ଚିତ ହୋଇଥିବା ଭାରତ ଏହି କଷ୍ଟକୁ ଭୁଲିନି। କିନ୍ତୁ ଏଭଳି ଭୁଲ୍ ନ ହେବା ଦିଗରେ ଚେଷ୍ଟା କରିବ। ଗ୍ରୁପ୍-୨ରେ ଥିବା ଏହି ଦଳ ପାଇଁ ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ହେବ। ରବିବାର ଭାରତ ତା’ର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହା ଭାରତ ଲାଗି ମଧ୍ୟ ନିର୍ଣ୍ଣାୟକ ମ୍ୟାଚ୍ ହୋଇପାରେ।
ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସ
୨୦୦୭ ପ୍ରଥମ ସଂସ୍କରଣରେ ଟ୍ରଫି ଜିତିବା ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତର ପ୍ରଦର୍ଶନ ନୈରଶ୍ୟଜନକ ରହିଛି। ପ୍ରଥମ ସଂସ୍କରଣରେ ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲ୍ରେ ପହଞ୍ଚିଥିଲା ଭାରତ। ସେମିରେ ଯୁବରାଜ ସିଂହ (୭୦ ରନ୍, ୩୦ ବଲ୍)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲ୍ରେ ସ୍ଥାନ ପାଇଥିଲା। କିନ୍ତୁ ଏହା ପରର ୩ ବିଶ୍ବକପ୍ରେ ଭାରତ ସୁପର-୮ରୁ ବିଦାୟ ନେଇଥିଲା। ୨୦୧୪ରେ ଶ୍ରୀଲଙ୍କାଠୁ ହାରି ଉପବିଜେତା ଏବଂ ୨୦୧୬ରେ ୱେଷ୍ଟ୍ଇଣ୍ଡିଜ୍ଠୁ ସେମିଫାଇନାଲ୍ରେ ହାରି ଫାଇନାଲ୍ରୁ ବଞ୍ଚିତ ହୋଇଥିଲା। ଗତ ସଂସ୍କରଣ (୨୦୨୧)ରେ ସୁପର-୧୨ରୁ ବିଦାୟ ନେବା ସହ ଲଗାତାର ତୃତୀୟ ଥର ସେମିଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଥିଲା।
ଏବର ଫର୍ମ
ଗତ କିଛି ମାସ ମଧ୍ୟରେ ଭାରତ ଅନେକ ଧଳାବଲ୍ କ୍ରିକେଟ୍ ଶୃଙ୍ଖଳା ଖେଳି ଭଲ ଅଭ୍ୟାସ କରିଛି। ବିଶ୍ବକପ୍ ଲାଗି ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଖେଳାଳିମାନେ ଫର୍ମରେ ଅଛନ୍ତି କି ନାହିଁ ତାହା ପରଖି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ ୨-୧ରେ ଶୃଙ୍ଖଳା ଜିତିଥିଲା। ଏହାପରେ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାକୁ ଭାରତ ଯଥାକ୍ରମେ ୨-୧ ଏବଂ ୪-୧ରେ ଜିତିଥିଲା। ଏହି ଦୁଇ ଶୃଙ୍ଖଳାରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଚମତ୍କାର ଖେଳିଥିଲେ। ଏହାପରେ କେଏଲ୍ ରାହୁଲଙ୍କ ଚମକରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ମଧ୍ୟ ଭାରତ କବ୍ଜା କରିଥିଲା।
ଶ୍ରେଷ୍ଠ ବ୍ୟାଟର୍
ଭାରତ ନିକଟରେ ଅନେକ ବ୍ୟାଟିଂ ବିକଳ୍ପ ରହିଛି। କେବଳ କ୍ରିଜ୍ରେ ପ୍ରଦର୍ଶନକୁ ନେଇ ସଠିକ୍ ବ୍ୟାଟିଂ ପୋଜିସନ ନିର୍ଣ୍ଣୟ ଉପରେ ନଜର ରଖିବାକୁ ପଡ଼ିବ। କେଏଲ୍ ରାହୁଲଙ୍କ ସହ ଅଧିନାୟକ ରୋହିତ ଓପନିଂ କରିବା ନିଶ୍ଚିତ। ଏହି ଯୋଡ଼ି ଅଧିକ ସମୟ କ୍ରିଜ୍ରେ ରହିଲେ ବିପକ୍ଷ ଦଳ ପାଇଁ ଭୟାନକ ହେବେ। ସମସ୍ତ ନଜର ମଧ୍ୟ ତୃତୀୟ ସ୍ଥାନରେ ଖେଳୁଥିବା ବିରାଟ କୋହଲିଙ୍କ ଉପରେ ରହିବ। ବିଶ୍ବର ଶ୍ରେଷ୍ଠ ବ୍ୟାଟର୍ ଭାବେ ସେ ଗଣାଯାଉଛନ୍ତି। ସେ ଅଷ୍ଟ୍ରେଲିଆରେ ଭଲ କରିବା ଆଶା ରହିଛି। ଚତୁର୍ଥ ସ୍ଥାନରେ ଖେଳିବେ ଚମତ୍କାର ଫର୍ମରେ ଥିବା ବିଶ୍ବର ୨ ନମ୍ବର ବ୍ୟାଟର ସୂର୍ଯକୁମାର ଯାଦବ। ସେ ୩୨ ପାଳିରୁ ୧୦୦୦ରୁ ଊର୍ଦ୍ଧ୍ବ ରନ୍ କରିସାରିଲେଣି। ଏହି ଋତୁରେ ସେ ଇଂଲଣ୍ଡ ବିପକ୍ଷରେ ୫୫ ବଲ୍ରେ ୧୧୭ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ। ଏମାନଙ୍କ ବାଦ୍ ମଧ୍ୟକ୍ରମ ସମ୍ଭାଳିବା ପାଇଁ ଅଛନ୍ତି ହାର୍ଡ ହିଟର ହାର୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ ଓ ଅଲ୍ରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ।
ଶ୍ରେଷ୍ଠ ବୋଲର
ଆହତ ଯୋଗୁଁ ତାରକା ବୋଲର ଯଶ୍ପ୍ରୀତ ବୁମ୍ରା ବାଦ୍ ପଡ଼ିଥିବାରୁ ଭୁବନେଶ୍ବର କୁମାର ଦଳର ବୋଲିଂ ମଙ୍ଗ ସମ୍ଭାଳିବେ। ଭୁବିଙ୍କ ନିକଟରେ ଉଭୟ ଦିଗରୁ ସ୍ବିଙ୍ଗ୍ କରିବାର କଳା ରହିଛି। ଏହି କଳାରେ ସେ ବିପକ୍ଷ ବ୍ୟାଟର୍ଙ୍କୁ ଧରାଶାୟୀ କରିବାର କ୍ଷମତା ରଖିଛନ୍ତି। ତାଙ୍କୁ ସହଯୋଗ କରିବେ ୨୩ ବର୍ଷୀୟ ଅର୍ଶଦୀପ ସିଂହ। ଡେଥ୍ ଓଭରରେ ସେ ଭଲ ବୋଲିଂ କରୁଛନ୍ତି। କୋଭିଡ୍ରୁ ମୁକୁଳି ଫେରିଥିବା ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍ରେ ଶେଷ ଓଭରରେ ୩ ୱିକେଟ୍ ନେଇ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ସ୍ପିନ୍ରେ ରହିଛନ୍ତି ଗତ ଆଇପିଏଲ୍ରେ ସର୍ବାଧିକ ୱିକେଟ୍ ହାସଲକାରୀ ୟୁଝବେନ୍ଦ୍ର ଚହଲ। ତାଙ୍କ ସହ ଅକ୍ଷର ପଟେଲ ଏବଂ ଅଶ୍ବିନ ମଧ୍ୟ ରହିଛନ୍ତି। ତେଣୁ ବୋଲିଂରେ ଭାରତ ପାଖରେ ଅନେକ ବିକଳ୍ପ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Team-India.jpg)