ଲଣ୍ଡନ୍‌: ଏଇ ଶୁକ୍ରବାରଠାରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳିବ ଭାରତ। ହେଡିଙ୍ଗ୍‌ଲେର ଲିଡ୍‌ସରେ ପ୍ରଥମ ଟେଷ୍ଟ୍ ପାଇଁ ଆଉ ମାତ୍ର ୩ ଦିନ ରହିଛି। ସମସ୍ତଙ୍କ ନଜର ଏବେ ରହିଛି ଭାରତର ନୂଆ ପିଢ଼ି ବ୍ୟାଟ୍‌ରଙ୍କ ଉପରେ। ବିଶେଷ କରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ବିଶ୍ବ ବିଖ୍ୟାତ ବ୍ୟାଟର୍‌ଙ୍କ ଟେଷ୍ଟ୍ ଅବସର ପରେ କିଏ ଏହି ଗସ୍ତର ଶ୍ରେଷ୍ଠ ଭାରତୀୟ ବ୍ୟାଟର୍ ହେବ, କେଉଁମାନେ ସ୍ଥିର ପ୍ରଦର୍ଶନ ଦେଇପାରିବେ, ଇଂଲଣ୍ଡ ମାଟିରେ ସୁଇଙ୍ଗ୍‌ ବୋଲିଂକୁ କିଏ ଭଲରେ ମୁକାବିଲା କରିବ, ଭାରତ ସମ୍ପୂର୍ଣ୍ଣ ଶୃଙ୍ଖଳାରେ କିଭଳି ପ୍ରଦର୍ଶନ କରିବ ଆଦିର ଚର୍ଚ୍ଚା ରହିବ। ଆହ୍ବାନଭରା ପିଚ୍‌ ଓ ପରିବେଶରେ କିନ୍ତୁ କେଏଲ୍ ରାହୁଲ, ଯଶସ୍ବୀ ଜୟସ୍ବାଲ ଓ ନବନିଯୁକ୍ତ ଅଧିନାୟକ ଶୁବମନ ଗିଲ୍‌ଙ୍କୁ ବିଭିନ୍ନ ଦାୟିତ୍ବର ବୋଝ ସମ୍ଭାଳିବାକୁ ପଡ଼ିବ। ଭାରତର ଶୀର୍ଷକ୍ରମ ସଫଳତା ଏମାନଙ୍କ ପ୍ରଦର୍ଶନ ଉପରେ ହିଁ ନିର୍ଭର କରିବ।

Advertisment

ଏହି ଗସ୍ତରେ ଭାରତୀୟ ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟର୍ ହେଉଛନ୍ତି କେଏଲ୍ ରାହୁଲ୍‌। ୩୩ ବର୍ଷୀୟ ରାହୁଲ ଇଂଲଣ୍ଡ ବିପକ୍ଷରେ ୧୩ ଟେଷ୍ଟ୍ ଖେଳି ୯୫୫ ରନ୍ ସଂଗ୍ରହ କରିଛନ୍ତି, ଯାହାକି ଅସ୍ଥିର ପ୍ରଦର୍ଶନକୁ ସୂଚାଇଛି। ୨୦୧୮ ଗସ୍ତରେ ଦ ଓଭାଲ୍‌ରେ ଭାରତ ଏକଦା ୧୨୧/୫ରେ ସଂଘର୍ଷ କରୁଥିବା ବେଳେ ରାହୁଲ ଖେଳିଥିବା ୧୪୯ ରନ୍‌ର ପାଳି ଏ ପର୍ଯ୍ୟନ୍ତ ଶ୍ରେଷ୍ଠ ‌ହୋଇ ରହିଛି। ରାହୁଲ କିନ୍ତୁ ସେହି ଗସ୍ତରେ ଅବଶିଷ୍ଟ ୯ ପାଳିରୁ ୧୫୨ ରନ୍ ସଂଗ୍ରହ କରିଥିଲେ। ୨୦୨୧ରେ ବି ଏହାର ସମାନ ପ୍ରତିଫଳନ ଘଟିଥିଲା। ଲର୍ଡସରେ ସେ ୧୨୯ ରନ୍‌ର ଚମତ୍କାର ଶତକ ହାସଲ କରି ଭାରତର ବିଜୟରେ ନାୟକ ସାଜିଥିଲେ। କିନ୍ତୁ ପରବର୍ତ୍ତୀ ପାଳିଗୁଡ଼ିକରେ ଦୁଇ ଅଙ୍କ ବି ଛୁଇଁପାରି ନଥିଲେ। ଇଂଲିସ୍ ପରିବେଶରେ ରାହୁଲ ୩୪.୧୧ ହାରରେ ରନ୍ ସଂଗ୍ରହ କରିଛନ୍ତି। ଭଲ ଆରମ୍ଭ କରୁଥିବା ପାଳିକୁ ବଡ଼ ସ୍କୋର୍‌ରେ ରୂପାନ୍ତର କରିବାକୁ ସଂଘର୍ଷ କରିଛନ୍ତି। ଗୋଟିଏ ଦଶନ୍ଧିରୁ ଊର୍ଧ୍ବ ହେଲାଣି ଭାରତୀୟ ଦଳ ସହ ଅଭିଜ୍ଞତା ଅର୍ଜନ କରିଥିବାରୁ ଏହି ଶୃଙ୍ଖଳା ରାହୁଲଙ୍କ ପାଇଁ ନିର୍ଣ୍ଣାୟକ ହେବ। ଭାରତର ଶୀର୍ଷ ମଧ୍ୟକ୍ରମକୁ ସମ୍ଭାଳିବାକୁ ସେ ଢେର୍‌ ପରିପକ୍ବ ହୋଇଗଲେଣି ନା ସେଭଳି କ୍ବଚିତ୍‌ ଗୋଟିଏ ଭଲ ପାଳି ଖେଳି ଅସ୍ଥିରତା ବଜାୟ ରଖିବେ ସମୟ କହିବ। ଭାରତ କିନ୍ତୁ ତାଙ୍କୁ ସବୁଠାରୁ ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟର୍‌ ଭାବେ ବିବେଚନା କରୁଛି।

‌ଅନ୍ୟପକ୍ଷରେ ବଡ଼ ସ୍ବପ୍ନ ଦେଖିଥିବା ୨୩ ବର୍ଷୀୟ ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲ ନିର୍ଭୟରେ ଖେଳୁଥିବାରୁ ଟେଷ୍ଟ୍ କ୍ରିକେଟ୍‌କୁ ଧସେଇ ପଶିଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ୫ ମ୍ୟାଚ୍‌ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ସେ ଭାରତର ଅଗ୍ରଣୀ ରନ୍ ସଂଗ୍ରହକାରୀ ଥିଲେ। ଘରୋଇ ମାଟିରେ ଜୟସ୍ବାଲଙ୍କ ୧୦ ମ୍ୟାଚ୍‌ ହାରାହାରି ୬୦.୬୧ ରହିଛି, କିନ୍ତୁ ଏହି ବିଦେଶ ଗସ୍ତ ତାଙ୍କ ପାଇଁ ବଡ଼ ଆହ୍ବାନର ପରୀକ୍ଷା ନେବାକୁ ଆପେକ୍ଷା କରିଛି। ଅବଶ୍ୟ ଘରଠୁ ବାହାରେ ଖେଳୁଥିବା ବେଳେ ଜୟସ୍ବାଲଙ୍କ ହାରାହାରି ପ୍ରଶଂସନୀୟ ଭାବେ ୪୪.୧୮ ରହିଛି। କିନ୍ତୁ ଡ୍ୟୁକ୍ସ ବଲ୍‌ର ପ୍ରାରମ୍ଭିକ ସୁଇଙ୍ଗ ଓ ଗତି ଭିତରେ ଇଂଲଣ୍ଡ ସିମର୍‌ଙ୍କ ଲମ୍ବା ସ୍ପେଲ୍ କ୍ଷମତା ତାଙ୍କ ପାଇଁ ଅପୂର୍ବ ପରୀକ୍ଷା ଆଣିବ। ମାର୍ଗଦର୍ଶନ ଦେବାକୁ ବିରାଟ କୋହଲି କି ରୋହିତ ଶର୍ମା ନ ଥିବାରୁ ଜୟସ୍ବାଲଙ୍କୁ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ ରଖି ଖେଳିବାକୁ ପଡ଼ିବ। କିନ୍ତୁ ତାଙ୍କ ‌ରନ୍ ଭୋକିଲା ପ୍ରବୃତ୍ତି ଓ ସାମ୍ପ୍ରତିକ ଫର୍ମ ଏହି ଗସ୍ତର ପ୍ରମୁଖ ଖେଳାଳି ଭାବେ ଉଭା କରାଇବ ବୋଲି ବିଶ୍ବାସ ହେଉଛି।

ଶୁବମନ ଗିଲ୍‌ଙ୍କ ପାଇଁ ଅନେକ ଆହ୍ବାନ ରହିଛି। ବ୍ୟାଟର୍ ଭାବେ ଭଲ କରିବା ଏବଂ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିବାର ଯୁଗଳ ଭୂମିକାକୁ ସେ କିଭଳି ତୁଲାଉଛନ୍ତି ସମୟ କହିବ। ମାତ୍ର ୩୨ ଟେଷ୍ଟ୍ ଖେଳିଥିବା ଏହି ୨୫ ବର୍ଷୀୟ ବ୍ୟାଟର୍‌ ଘରୋଇ ମାଟିରେ ୪୨.୦୩ ହାରରେ ଖେଳୁଥିବା ବେଳେ ବିଦେଶରେ ନୈରାଶ୍ୟଜନକ ଭାବେ ଏହା ୨୯.୫୦ରେ ରହିଛି। ଇଂଲଣ୍ଡ ମାଟିରେ ସେ ମାତ୍ର ୩ ଟେଷ୍ଟ୍ ଖେଳି ୧୪.୬୬ ହାରରେ ୮୮ ରନ୍ କରିଥିବାରୁ ଚାପରେ ପଡ଼ିବା ଆଶଙ୍କା ରହିଛି। ତାଙ୍କ ନେତୃତ୍ବରେ ଗସ୍ତ କରୁଥିବା ଯୁବ ଦଳଠାରୁ ବଡ଼ ପ୍ରତ୍ୟାଶା ଥିବାରୁ ନେତୃତ୍ବର ଅତିରିକ୍ତ ଚାପ ବି ଆସିବ। ଅଧିନାୟକତ୍ବ ନେବା ଅପେକ୍ଷା ରନ୍‌ ସଂଗ୍ରହ କରିବା ଗିଲ୍‌ଙ୍କ ପାଇଁ ଅଧିକ ଗୁରୁ୍ତ୍ବପୂର୍ଣ୍ଣ ହେବ। ଗିଲ୍‌ଙ୍କ ଉପରେ ଆସ୍ଥା ପ୍ରକଟ କରି ପୂର୍ବତନ ବ୍ୟାଟର୍ ଚେତେଶ୍ବର ପୂଜାରା କହିଛନ୍ତି ଗିଲ୍‌ଙ୍କୁ ପ୍ରଥମେ ରନ୍ ସଂଗ୍ରହ‌ କରିବାକୁ ପଡ଼ିବ। ୨୦୧୧ ମସିହା ପରେ ଭାରତ ପ୍ରଥମ ଥର ପାଇଁ ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କ ବିନା ଖେଳିବାକୁ ଯାଇଛି। ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ବି ଏହି ଶୃଙ୍ଖଳାରୁ ଦଳ ନୂଆ ବିଶ୍ବ ଟେ‌ଷ୍ଟ୍ ଚାମ୍ପିୟନସିପ୍ ଅଭିଯାନକୁ କିଭଳି ଆରମ୍ଭ କରିବ ତାହାର ପ୍ରାରମ୍ଭିକ ସୂଚନା ମିଳିବ।

ଭାରତ ୩, ଇଂଲଣ୍ଡ ୧୪
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମୋଟ ଉପରେ ୩୬ଟି ଦ୍ବିପାକ୍ଷିକ ଟେଷ୍ଟ୍ ଶୃଙ୍ଖଳା ଖେଳାଯାଇଛି। ଏହା ମଧ୍ୟରୁ ଇଂଲଣ୍ଡ ୧୯ ଜିତିଥିବା ବେଳେ ଭାରତ ୧୨ ଜିତିଛି। ୫ଟି ଶୃଙ୍ଖଳା ଡ୍ର’ ରହିଛି। ଇଂଲଣ୍ଡ ଗସ୍ତରେ କିନ୍ତୁ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୧୯ ଥର ଇଂଲଣ୍ଡ ଗସ୍ତ କରିଥିବା ଭାରତ ମାତ୍ର ୩ ଥର ଶୃଙ୍ଖଳା ଜିତିଛି। ୧୯୭୧ରେ ଅଜିତ ୱାଡ଼େକରଙ୍କ ଦଳ ଐତିହାସିକ ସଫଳତା ସହ ୩ ମ୍ୟାଚ୍‌ ବିଶିଷ୍ଟ୍ ଟେଷ୍ଟ୍‌ ଶୃଙ୍ଖଳାକୁ ୧-୦ରେ ଜିତିଥିଲା। ଏହା ପରେ ୧୯୮୬ରେ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୨-୦ରେ ଏବଂ ୨୦୦୭ରେ ଶେଷ ଥର ପାଇଁ ସମାନ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ୧-୦ରେ ଜିତିଥିଲା।  ଏବେ ଶୁବମନ ଗିଲ୍‌ଙ୍କ ଦଳ ଭାରତ ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇବାକୁ ଚାହିବ। ଶେଷ ଥର ପାଇଁ ଭାରତ ୨୦୨୧-୨୨ରେ ଇଂଲଣ୍ଡ ଗସ୍ତ କରିଥିବା ବେଳେ ଏହା ୨-୧ରେ ଆଗୁଆ ଥିବାବେଳେ କୋଭିଡ୍‌ ପାଇଁ ଏହା ଅଟକି ଯାଇଥିଲା। ପ୍ରଥମ ଥର ପାଇଁ ଏକ ଶୃଙ୍ଖଳାର ଶେଷ ମ୍ୟାଚ୍‌ ପରବର୍ତ୍ତୀ ବର୍ଷ ଖେଳା ଯାଇଥିବା ବେଳେ ଇଂଲଣ୍ଡ ଏହାକୁ ଜିତି ନେବାରୁ ୨-୨ରେ ଡ୍ର’ ରହିଥିଲା। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଶେଷ ୧୦ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ୫ ଜିତି, ଗୋଟିଏ ଡ୍ର’ ରଖିଛି। ଇଂଲଣ୍ଡ ଜିତିଥିବା ୪ଟି ଶୃଙ୍ଖଳାରୁ ଭାରତ ମାଟିରେ ୩ଟି ଜିତିବା ସବୁଠାରୁ ଉଲ୍ଲେଖନୀୟ ବିଷୟ। ଶେଷ ୩ ଶୃଙ୍ଖଳାରେ ଭାରତ ଅପରାଜିତ ରହିବା ମଧ୍ୟ ପ୍ରମୁଖ କଥା।