ପୂଜାରାଙ୍କ ସଂଘର୍ଷ ସୂର୍ଯ୍ୟଙ୍କ ପାଇଁ ବାଟ ଫିଟାଇବ?

ଲିଡ୍‌ସ: ଫର୍ମକୁ ନେଇ ସଂଘର୍ଷ କରୁଥିବା ଭାରତର ଏକମାତ୍ର ଟେଷ୍ଟ୍ ସ୍ପେଶାଲିଷ୍ଟ୍‌ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ବର ପୂଜାରାଙ୍କ ସମୟ କାଳେ ସରିସରି ଆସୁଛି। ୨୦୧୮-୧୯ ଋତୁରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଐତିହାସିକ ଶୃଙ୍ଖଳା ବିଜୟ ପରଠାରୁ ପୂଜାରାଙ୍କ ଫର୍ମ ନିମ୍ନମୁଖା ରହିଛି। ପୂଜାରା କିନ୍ତୁ ସେହି ବିଜୟର ଅସଲ ନାୟକ ଥିଲେ। ତିନିଟି ଶତକ (୧୨୩-ଆଡିଲେଡ୍‌, ୧୦୬-ମେଲବର୍ଣ୍ଣ, ୧୯୩-ସିଡନି) ଜମାଇ ଏହି ଗସ୍ତକୁ ସ୍ମରଣୀୟ ରଖିଛନ୍ତି। ଏହା ପରଠାରୁ ପୂଜାରା କିନ୍ତୁ ଗୋଟିଏ ଶତକ ହାସଲ କରିପାରିନାହାନ୍ତି। ୨୦୧୯ ଜାନୁଆରି ୩ ତାରିଖରେ ସିଡନିରେ ୧୯୩ ରନ୍‌ ପାଳି ଖେଳିବା ପରଠାରୁ ପୂଜାରାଙ୍କ ହାରାହାରି ବିଗତ ୩୧ ମାସ ହେବ ରହିଛି ମାତ୍ର ୨୭.୬। ୩୪ ପାଳି ଖେଳି କରିଛନ୍ତି ୯୧୧ ରନ୍। ଚଳିତ ଇଂଲଣ୍ଡ ଗସ୍ତରେ ପୂଜାରା ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ ଫାଇନାଲକୁ ମିଶାଇ ଯଥାକ୍ରମେ ୮, ୧୫, ୪, ୧୨, ୯, ୪୫ ରନ୍‌ କରିଛନ୍ତି। ବିଗତ ୧୦ ପାଳି ମଧ୍ୟରୁ ସର୍ବାଧିକ ୪୫ ରନ୍‌ ସେ ଗତ ଲର୍ଡସ ଟେଷ୍ଟରେ ୨୦୬ ବଲ୍‌ରୁ ହାସଲ କରିଥିଲେ। ମାତ୍ରାଧିକ ମନ୍ଥର ଖେଳୁଥିଲେ ମଧ୍ୟ ଆବଶ୍ୟକତା ବେଳକୁ ଆଉଟ୍ ହୋଇଯାଉଥିବାରୁ ତାଙ୍କଠାରୁ ଆଉ ପୂର୍ବ ଭଳି ଆଶା କରାଯାଇପାରୁନାହିଁ। ଏଭଳି କ୍ଷେତ୍ରରେ ପୂଜାରାଙ୍କ ବଦଳରେ ଏବେ ସୂର୍ଯ୍ୟ କୁମାର ଯାଦବ ତାଙ୍କ ସ୍ଥାନ ନେବାର ଦାବିଦାର ହେଲେଣି।

ସମ୍ବନ୍ଧିତ ଖବର