ସିଡ୍‌ନି ‘କାହାଣୀ’ ବଦଳାଇବ କି ଭାରତ?

ସିଡ୍‌ନିରେ ଭାରତ ଖେଳିଛି ୧୨; ଜିତିଛି ୧, ହାରିଛି ୫

ସିଡନି: କୋଭିଡ୍‌-୧୯ ମହାମାରୀକୁ ନେଇ ପଡିଆ ବାହାର ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଭାରତ ମେଲବର୍ଣ୍ଣ ବିଜୟ ଲୟକୁ ଆଗକୁ ବଢ଼ାଇବା ନେଇ ଆଶାବାଦୀ ରହିଛି। ବ୍ରିସବନ୍ ଯିବା ନଯିବାର ବାଦ ବିବାଦ ଭିତରେ ଗୁରୁବାରଠାରୁ ସିଡ୍‌ନି କ୍ରିକେଟ୍ ପଡ଼ିଆର କାହାଣୀ ବଦଳାଇବାକୁ ଭାରତୀୟ କ୍ରିକେଟ୍ ଦଳ ପୂରା ପ୍ରସ୍ତୁତ ରହିଛି। ମେଲବର୍ଣ୍ଣ ବିଜୟ ପରେ ବର୍ଦ୍ଧିତ ଆତ୍ମବିଶ୍ବାସ ସହ ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅଜିଙ୍କ୍ୟ ରାହାଣେଙ୍କ ଦଳ ମଧ୍ୟ ବେଶ୍ ଉତ୍ସାହିତ ରହିଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ସତ୍ତ୍ବେ ଏଥର ସିଡ୍‌ନି କ୍ରି‌କେଟ୍ ପଡ଼ିଆରେ ଭାରତର ୪୨ ବର୍ଷର ଅପେକ୍ଷାର ଅନ୍ତ ‌ହେବ ବୋଲି ମଧ୍ୟ ସମର୍ଥକ ଆଶା ରଖିଛନ୍ତି। ଭାରତ ଏଠାରେ ୧୯୭୮ ମସିହାରେ ପ୍ରଥମ ଓ ଅନ୍ତିମ ବିଜୟ ହାସଲ କରିଥିଲା। ଏହି ପ୍ରତୀକ୍ଷିତ ବିଜୟ ସହ ଶୃଙ୍ଖଳାରେ ଆଗୁଆ ହେବାର ଲକ୍ଷ୍ୟ ଓ ଏକାଗ୍ରତା ହିଁ ଭାରତୀୟ ଦଳକୁ ଅଧିକ ବିପଜ୍ଜନକ କରିଛି। ଘରୋଇ ଅଷ୍ଟ୍ରେଲିଆ ବି ଏକଥା ଜାଣିଛି।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ଫେରିବା ଏହି ଦଳର ବ୍ୟାଟିଂକୁ ଅବଶ୍ୟ ଶକ୍ତିଶାଳୀ କରିଛି। ସେପଟେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପରେ ଯୁବ ଭାରତୀୟ ବୋଲର ନଭଦୀପ ସୈନିଙ୍କ ସ୍ବପ୍ନ ପୂରଣ ହୋଇଛି। ମେଲବର୍ଣ୍ଣରେ ଶୁଭମନ ଗିଲ୍‌ ଓ ମହମ୍ମଦ ସିରାଜ ଟେଷ୍ଟ୍‌ ଜୀବନ ଆରମ୍ଭ କରିଥିଲେ। ସିଡ୍‌ନିରେ ସୈନି ପଦାର୍ପଣ କରିବାକୁ ଯାଉଛନ୍ତି। ଆଡିଲେଡ୍ ଲଜ୍ଜା ପରେ ମେଲବର୍ଣ୍ଣରେ ଭାରତ ଯେଭଳି ନାଟକୀୟ ଏବଂ ସଫଳ ପ୍ରତ୍ୟାବର୍ତ୍ତନ କଲା, ସେ ନେଇ କଙ୍ଗାରୁ ସେନା ମନରେ ଛନକା ପଶିଛି। ଏଣୁ ଚାପ ଏବେ କଙ୍ଗାରୁ ସେନା ଉପରେ ରହିଛି। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ରେ ରହିବା ସିଡ୍‌ନି ସମରକୁ ଆହୁରି ରୋମାଞ୍ଚକର କରିଛି।

ଆସନ୍ତାକାଲିଠାରୁ ଖେଳାଯିବାକୁ ଥିବା ଏହ‌ି ଟେଷ୍ଟରେ ଦୈନିକ ୧୦,୦୦୦ ଦର୍ଶକଙ୍କୁ ଅନୁମତି ମିଳିଛି। ଖେଳ ଦେଖିବା ଲାଗି ଦର୍ଶକଙ୍କୁ ଅନୁମତି ଥିଲେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶକମାନେ ଖାଇବା ଓ ପିଇବା ‌‌ସମୟକୁ ଛାଡ଼ି ଅନ୍ୟ ସମୟରେ ମାସ୍କ ପିନ୍ଧିବା ବାଧ୍ୟ ବୋଲି ନ୍ୟୁ ସାଉଥ ୱେଲ୍ସ ସ୍ବାସ୍ଥ୍ୟ ମନ୍ତ୍ରୀ ବ୍ରାଡ ହାଜାର୍ଡ ବୁଧବାର ଚେତାଇ ଦେଇଛନ୍ତି। ଏହି ପଡ଼ିଆରେ ୪୮,୦୦୦ ଆସନ ଥିଲେ ମଧ୍ୟ ସ୍ଥାନୀୟ ସହରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନଜରରେ ରଖି କେବଳ ୧୦,୦୦୦ ଦର୍ଶକଙ୍କୁ ଅନୁମତି ମିଳିଛି। ଦର୍ଶକମାନେ ସାମାଜିକ ଦୂରତା ରଖି ବସିବେ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଏଭଳି ନିଷ୍ପତ୍ତି ନେଇଛୁ। ପ୍ରଥମ ଥର ଲାଗି ସିଡ୍‌ନିର ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ୨୦୦ ଅଷ୍ଟ୍ରେଲିଆ ଡଲାର ଜରିମନା ଲାଗୁଛି। ନ୍ୟୁ ସାଉଥ ୱେଲ୍ସର ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଆମର ପ୍ରଥମ କର୍ତ୍ତବ୍ୟ। ତେଣୁ ଏସ୍‌ସିଜିରେ ଯିଏ ନିୟମ ଉଲ୍ଲଂଘନ କରିବ ୧୦୦୦ ଅଷ୍ଟ୍ରେଲିଆ ଡଲାର ଜରିମନା ଗଣିବ ବୋଲି ହାଜାର୍ଡ କହିଛନ୍ତି।

‌ଶେଷରେ ରୋହିତ ଫେରିଲେ, ୧୦,୦୦୦ ଦର୍ଶକଙ୍କୁ ଅନୁମତି; ମାସ୍କ ବାଧ୍ୟତାମୂଳକ

୪ ମ୍ୟାଚ୍‌ ଶୃଙ୍ଖଳା ୧-୧ ସ୍ଥିତିରେ ଥିବାବେ‌ଳେ ମେଲବର୍ଣ୍ଣରେ ଭାରତ ଘରୋଇ ଦଳର ଖ୍ରୀଷ୍ଟମାସ ମାହୋଲକୁ ବିଗାଡ଼ି ୮ ୱିକେଟ୍‌ରେ ଜିତିଥିଲା। ଭାରତ ଏବେ ସିଡନିରେ ଜିତି ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ରହିଛି। କାରଣ ଭାରତ ଆଉ ଗୋଟିଏ ଟେଷ୍ଟ୍ ଜିତିଗଲେ ଗତ ଶୃଙ୍ଖଳା (୨୦୧୮-୧୯) ଜିତିଥିବାରୁ ଟ୍ରଫି ବଜାୟ ରଖିବ। ଭାରତକୁ ଆହତ ସମସ୍ୟା ପିଛା ଛାଡ଼ୁନଥିଲେ ମଧ୍ୟ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ଦଳକୁ ଆଶା ଦେଇଛି। ଅଷ୍ଟ୍ରେଲିଆ ଚଳିତ ଶୃଙ୍ଖଳାରେ ମାତ୍ର ଥରେ ୨୦୦ ଛୁଇଁଛି। ଅଷ୍ଟ୍ରେଲିଆ ପାଇଁ ମଧ୍ୟ ପ୍ରାରମ୍ଭିକ ଯୋଡ଼ି ସମସ୍ୟା ରହିଛି। କାମଚଳା ମାଥ୍ୟୁ ୱାଦେଙ୍କ ସହ ଅଷ୍ଟ୍ରେଲିଆ ରହିବ ନା ନୂଆ ତାରକା ପୁକୋସ୍କିକୁ ଖେଳାଇବାର ରିକ୍ସ ନେବ ଦ୍ବିବିଧାରେ ରହିଛି। ଷ୍ଟିଭେନ୍ ସ୍ମିଥ୍‌ଙ୍କ ଫର୍ମ ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ରହିବ। ୪ ପାଳିରୁ ସେ ମାତ୍ର ୧୦ ରନ୍ କରିଛନ୍ତି। ବୋଲିଂରେ ଭାରତୀୟ ଅଫସ୍ପିନର୍‌ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୧୦ ୱିକେଟ୍‌ ନେଇ ପ୍ୟାଟ୍ କମିନ୍ସଙ୍କ ସହ ମିଳିତ ଶୀର୍ଷରେ ରହିଛନ୍ତି।

‌ଶେଷରେ ରୋହିତ ଫେରିଲେ
ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ କରାନଯିବା ନେଇ ସୃଷ୍ଟି ହୋଇଥିବା ବିବାଦର ଅବସାନ ଗୁରୁବାର ହେବାକୁ ଯାଉଛି। ତୃତୀୟ ଟେଷ୍ଟ୍ ଲାଗି ଘୋଷିତ ୧୧ ଜଣିଆ ଭାରତୀୟ ଦଳରେ ରୋହିତ ସ୍ଥାନ ପାଇବା ପରେ ତାଙ୍କ ପ୍ରଶଂସକଙ୍କ ଆଶା ପୂରଣ ହୋଇଛି। ଶେଷ ଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ଟେଷ୍ଟ୍ କ୍ରିକେଟ୍ ଖେଳିଥିଲେ ରୋହିତ। ୨୦୧୯ ଋତୁରେ ହିଁ ତାଙ୍କର ମଧ୍ୟକ୍ରମରୁ ଶୀର୍ଷକୁ ପଦୋନ୍ନତି ହୋଇଥିଲା। ତେବେ ବିଦେଶ ମାଟିରେ ଶେଷ ଥର ପାଇଁ ୨୦୧୮ରେ ମେଲବର୍ଣ୍ଣର ବକ୍ସି ଡେ’ ଟେଷ୍ଟ୍ ଖେଳିଥିଲେ ସେ। ସିଡ୍‌ନିରେ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନ ନେବାକୁ ଯାଉଥିବା ରୋହିତ ପାଳି ଆରମ୍ଭ କରିବା ସହ ଉପଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇବେ। ତେବେ ଆଘାତ ଜନିତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଏବଂ ଚଳିତ ଶୃଙ୍ଖଳାର ପ୍ରଥମ ଦୁଇ ଟେଷ୍ଟ୍‌ରୁ ବାଦ ପଡ଼ିବା ପୂର୍ବରୁ ତିନିଟି ଶତକ ଅର୍ଜନ କରିଥିଲେ ରୋହିତ। ଏଣୁ ସିଡ୍‌ନିରେ ସେ ସେହି ସଫଳତା ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଏହି ଟେଷ୍ଟ୍‌ରେ ରୋହିତଙ୍କ ଉପରେ ହିଁ ସବୁ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ।

ପୂରଣ ହେବ ସୈନିଙ୍କ ସ୍ବପ୍ନ
ଦିଲ୍ଲୀର ହରିଆଣା ଜନ୍ମିତ ୨୯ ବର୍ଷୀୟ ଦ୍ରୁତ ବୋଲର ନଭଦୀପ ସୈନିଙ୍କ ପିଲା ବେଳର ସ୍ବପ୍ନ ଗୁରୁବାର ପୂରଣ ‌ହେବ। ଆସନ୍ତାକାଲି ସେ ଟେଷ୍ଟ୍‌ କ୍ରିକେଟ୍‌ରେ ପଦାର୍ପଣ କରିବେ। ସିଡ୍‌ନିରେ ୟର୍କର ବିଶେଷଜ୍ଞ ଟି ନଟରାଜନ ଆହତ ଦ୍ରୁତ ବୋଲର ଉମେଶ ଯାଦବଙ୍କ ସ୍ଥାନ ନେବେ ବୋଲି ଚର୍ଚା ହେଉଥିଲା। ଶେଷରେ କିନ୍ତୁ ସୈନିଙ୍କ ଉପରେ ଅଧିନାୟକ ଓ ପ୍ରଶିକ୍ଷକ ଆସ୍ଥା‌ ପ୍ରକଟ କରିଛନ୍ତି। ବୁଧବାର ଜୋରଦାର ଅଭ୍ୟାସ କରି ନିଜ ପଦାର୍ପଣକୁ ସ୍ମରଣୀୟ କରିବାକୁ ମଧ୍ୟ ସୈନି ପୂରା ପ୍ରସ୍ତୁତ ଅଛନ୍ତି। ସୈନିଙ୍କର ପୂର୍ବରୁ ୭ ଦିନିକିଆ ଏବଂ ୧୦ ଟ୍ବେଣ୍ଟି-୨୦ ଖେଳିବାର ଅଭିଜ୍ଞତା ରହିଛି।
ଭାରତୀୟ ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ହନୁମା ବିହାରୀ, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍‌ ଅଶ୍ବିନ, ଯଶପ୍ରୀତ ବୁମ୍‌ରା, ନଭଦୀପ ସୈନି, ମହମ୍ମଦ ସିରାଜ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ନର, ୱିଲ ୍‌ପକଭସ୍କି, ମାଥ୍ୟୁ ୱେଦ୍, ମାର୍ନସ ଲବୁସାନ, ଷ୍ଟିଭେନ୍ ସ୍ମିଥ୍, କ୍ୟାମେରୁନ୍ ଗ୍ରିନ୍, ଟିମ୍ ପେନ୍ (ଅଧିନାୟକ), ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜୋସ୍ ହାଜେଲଉଡ୍।

ସିଡ୍‌ନିରେ ଭାରତ ଖେଳିଛି ୧୨; ଜିତିଛି ୧, ହାରିଛି ୫
ତୃତୀୟ ଟେଷ୍ଟ୍ ଭେନ୍ୟୁ ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ ଭାରତର ସବୁଠାରୁ ପ୍ରିୟ ପଡ଼ିଆ। ନ୍ୟୁ ସାଉଥ୍‌‌ ୱେଲ୍ସର ଏହି ରାଜଧାନୀରେ ଢେର ଭାରତୀୟ ବସବାସ କରୁଛନ୍ତି। ସେଠାକାର ପାଣିପାଗ ସହିତ ଭାରତୀୟମାନେ ମଧ୍ୟ ଭଲ ଭାବେ ଅଭ୍ୟସ୍ତ। ପିଚ୍‌ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସେତେଟା ଆହ୍ବାନ ଦିଏନାହିଁ। ବଲ୍‌ ସାମାନ୍ୟ ତଳୁଆ, ମନ୍ଥର ରହିବା ସହ ଟର୍ନ ହୋଇଥାଏ। ତଥାପି ଭାରତ ଏଠାରେ ଫଳାଫଳ ଦୃଷ୍ଟିରୁ ସେତେଟା ସଫଳତା ପାଇନାହିଁ। ୧୨ ଟେଷ୍ଟ୍ ଖେଳି ଭାରତ ମାତ୍ର ଗୋଟିଏ ଜିତି ୫ ହାରିଛି। ୬ ମୁକାବିଲା ଅମୀମାଂସିତ ରହିଛି। ଭାରତର ବିଜୟ ପ୍ରତିଶତ ମାତ୍ର ୮.୩୩ ପ୍ରତିଶତ ଥିଲା ବେଳେ ପରାଜୟ ପ୍ରତିଶତ ହେଉଛି ୪୧.୬୬। ଗତଥର ଏଠାରେ ବର୍ଷା ଯୋଗୁ ଫଳାଫଳ ବାହାରି ପାରିନଥିଲେ ମଧ୍ୟ ଭାରତ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜେତା ହୋଇଥିଲା। ସିଡନିରେ ଭାରତ ୩ଟି ଲଜ୍ଜାଜନକ ପରାଜୟ ବରଣ କରିଛି। ୧୯୮୦-୮୧ରେ ଗ୍ରେଗ୍‌ ଚାପେଲଙ୍କ ଦଳଠାରୁ ପ୍ରଥମେ ହାରିଥିଲା। ୧୯୯୯-୨୦୦୦ରେ ବିସିସିଆଇ ସମ୍ପାଦକ ଜୟନ୍ତ‌ ଲେଲେଙ୍କ ପୂର୍ବାନୁମାନ ଅନୁସାରେ ଭାରତ ୦-୩ରେ ହାରିଥିଲା। ୨୦୧୧-୧୨ରେ ମାଇକେଲ କ୍ଲାର୍କଙ୍କ ୩୨୯, ରିକି ପଣ୍ଟିଂ ଓ ମାଇକ୍ ହସିଙ୍କ ଶତକ ବଳରେ ୬୫୯/୪‌ ସ୍କୋର୍‌ କରି ଭାରତକୁ ହରାଇଥିଲା ଅଷ୍ଟ୍ରେଲିଆ। ଭାରତ ମଧ୍ୟ ସିଡନିରେ ୩ ଥର ଫଲୋଅନ୍‌ ଖେଳିଛି। ପ୍ରଥମ ଥର ପାଇଁ ୧୯୮୫-୮୬ (କପିଳ ଦେବ-ଆଲାନ୍ ବର୍ଡର)ରେ ଅଷ୍ଟ୍ରେଲିଆ ମିଳିତ ଭାବେ ୨୫୫ ଓଭର ବ୍ୟାଟିଂ କରିଥିଲା। ମୋଟ ୪୨୫ ଓଭର ଖେଳ ସତ୍ତ୍ବେ ଭାରତ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ଏହି ପଡ଼ିଆରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ରବି ଶାସ୍ତ୍ରୀଙ୍କ ଦ୍ବିଶତକ ଏବଂ ଅଷ୍ଟ୍ରେଲିଆ ମାଟିରେ ସଚିନ ତେନ୍ଦୁଲକରଙ୍କ ପ୍ରଥମ ଟେଷ୍ଟ୍ ଶତକର ସ୍ମୃତି ମଧ୍ୟ ରହିଛି। ମଙ୍କିଗେଟ୍‌ ବିବାଦର ଛାପ ମଧ୍ୟ ସେହି ସିଡ୍‌ନିରେ ରହିଛି।

ସମ୍ବନ୍ଧିତ ଖବର