ମୁଁ ମରିଗଲେ ଆପଣ ଦାୟୀ ରହିବେ କି?

ଟୋକିଓ : ଚଳିତ ଅଲିମ୍ପିକ୍ସର ପୁରୁଷ ଏକକ ଟେନିସ୍‌ର ପ୍ରି-କ୍ବାର୍ଟର ଫାଇନାଲ୍ ମ୍ୟାଚ୍‌ରେ ବୁଧବାର ଦ୍ବିତୀୟ ସିଡ୍ ଡାନିଲ ମେଦଭେଦେଭ ଟୋକିଓର ଅସହ୍ୟ ଗରମ ଓ ଆଦ୍ରତାକୁ ଆଦୌ ସହି ପାରି ନଥିଲେ। ଇଟାଲିର ଫାବିଓ ଫଗନାନିଙ୍କ ବିପକ୍ଷ ଏହି ମୁକାବିଲାରେ କୋର୍ଟ ଭିତରେ ହିଁ ସେ ଏକାଧିକବାର ଚିକିତ୍ସିତ ହୋଇଥି‌ଲେ। ବେହୋସ ହୋଇଗଲା ଭଳି ଦୀର୍ଘ ନିଶ୍ବାସ ନେବା ସହ ବାରମ୍ବାର କୋର୍ଟ ଭିତରେ ବସି ପଡ଼ୁଥିଲେ ରୁଷିଆର ଏହି ତାରକା ଖେଳାଳି। ସେହିଭଳି ପ୍ରଥମ ସେଟ୍‌ରେ ୫-୨ରେ ଆଗୁଆ ଥିଲା ବେଳେ ତାଙ୍କ ପେଟ ଟାଣିବା ଆରମ୍ଭ ହୋଇଯାଇଥିଲା। ପ୍ରବଳ ଝାଳ ବୋହୁଥିବାରୁ ସେ ଏତେ ହାଲିଆ ହୋଇଯାଇଥିଲେ ଯେ ସର୍ଭିସ କରି ପାରି ନଥିଲେ। ସେଥିପାଇଁ ରୢା‌କେଟ୍‌କୁ ଭରା‌ ‌ଦେଇ କିଛି ସମୟ ଥକ୍କା ମେଣ୍ଟାଇ ଥିଲେ।

ଦୁଇ ଥର ଟାଇମ୍ ଆଉଟ୍ ବି ମାଗିଥିଲେ। ଫଳରେ ଟ୍ରେନର କୋର୍ଟକୁ ଆସି ମେଦଭେଦେଭଙ୍କୁ ସ୍ବାଭାବିକ ହେବାରେ ସହଯୋଗ କରିଥିଲେ। ସ୍ଥିତି ଏମିତି ‌ହୋଇଥିଲା ଯେ ଚେୟାର ଅମ୍ପାୟାର କାର୍ଲୋସ ରାମୋସ ମେଦଭେଦେଭଙ୍କୁ ପଚାରିଥିଲେ ଆପଣ କ’ଣ ଆଉ ଖେଳି ପାରିବେ? ମେଦଭେଦେଭ ଉତ୍ତର ଦେଇଥିଲେ ‘ହଁ ଖେଳି ପାରିବି, ହେଲେ ମୁଁ ମରିଯାଇପାରେ। ଯଦି ମୁଁ ମରିଯାଏ, ତେବେ ଏଥିଲାଗି ଆପଣ ଦାୟୀ ରହିବେ କି? ଏମିତି ଉତ୍ତର ଶୁଣି ରାମୋସ ପୂରା ହତବାକ ହୋଇଯାଇଥିଲେ। ତାଙ୍କ ପାଟିରୁ କଥା ବାହାରି ନଥିଲା। ସେପଟେ ମେଦଭେଦେବଙ୍କ ଶରୀରରୁ ଜଳୀୟ ଅଂଶ କମି କମି ଯାଉଥିଲା। ଏତେ ସବୁ ଅସୁବିଧା ଏବଂ ଘୋର ଅସୁସ୍ଥତା ସତ୍ତ୍ବେ ମେଦଭେଦେଭ କିନ୍ତୁ ୬-୨, ୩-୬, ୬-୨ରେ ଫଗନାନିଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଅମ୍ପାୟାର ଖେଳ ଜାରି ରଖିବା ଲାଗି ସେ ନେଇଥିବା ସାହସିକ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର