କୋହଲିଙ୍କ ସହ ଯୁକ୍ତିତର୍କକୁ ଖୋଲି କହିଲେ ୱିଲିୟମ୍ସ, ‘ନୋଟବୁକ୍ ଉତ୍ସବ ପାଳନ’ ବିବାଦ

ଦୁବାଇ: ୱିକେଟ୍ ନେବା ପରେ ଖାଲି ଖାତାରେ ଛଟା ଦସ୍ତଖତ ବା ନୋଟବୁକ୍ ଉତ୍ସବ ପାଳନ କରି ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର କେସ୍ରିକ୍ ୱିଲିୟମ୍ସ ବେଶ୍ ଚର୍ଚିତ ହୋଇଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଏଭଳି ଉତ୍ସବ ପାଳନ କରିବା କିନ୍ତୁ ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ୨୦୧୭ ମସିହାରେ ଜମାଇକାରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ମ୍ୟାଚ୍ ଅବସରରେ ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ କୋହଲି-ୱିଲିୟମ୍ସ। ଏହି ମ୍ୟାଚ୍‌ରେ କୋହଲିଙ୍କ ୱିକେଟ୍ କରାୟତ କରିବା ପରେ ନୋଟବୁକ୍ ଉତ୍ସବ ପାଳନ କରିଥିଲେ ୱିଲିୟମ୍ସ। ୨୦୧୯ରେ ୱେଷ୍ଟଇଣ୍ଡିଜ୍ ଯେତେବେଳେ ଭାରତ ଆସିଥିଲା କୋହଲି କଡ଼ାଗଣ୍ଡା ସହ ଏହାକୁ ଶୁଝି ଦେଇଥିଲେ। ହାଇଦ୍ରାବାଦରେ ଖେଳା ଯାଇଥିବା ଟ୍ବେଣ୍ଟି-୨୦ ମୁକାବିଲାରେ ୱିଲିୟମ୍ସଙ୍କୁ ନିର୍ଧୂମ ଛେଚି କୋହଲି ଭାରତକୁ କେବଳ ବିଜୟୀ କରାଇନଥିଲେ, ବରଂ ୧୮୮ ଷ୍ଟ୍ରାଇକ୍ ରେଟ୍ ସହ ଟ୍ବେଣ୍ଟି-୨୦ରେ ମଧ୍ୟ ନିଜ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ କରି ନେଇଥିଲେ। ଏହି ମ୍ୟାଚ୍‌ରେ ବ୍ୟାଟିଂ ପାଇଁ ଆସିଲା ବେଳେ କୋହଲି କିଭଳି ତାଙ୍କୁ ଆଗୁଆ ଚେତାବନୀ ଦେଇଥିଲେ ସେ କଥା ଖୋଲି କହିଛନ୍ତି ୱିଲିୟମ୍ସ।

ହାଇଦ୍ରାବାଦର ସେହି ଘଟଣାକୁ ମନେ ପକାଇ ସେ କହିଛନ୍ତି ଯେ ବ୍ୟାଟିଂ ପାଇଁ ଆସିଲା ବେଳେ କୋହଲି ମୋ ପାଖକୁ ଆସି କହିଥିଲେ, ଜାମାଇକାରେ ତୁମେ ମୋତେ ଆଉଟ୍ କରିଥିଲ, ଏଠାରେ କିନ୍ତୁ ସେଭଳି କିଛି ଘଟିବ ନାହିଁ। ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଜଣେ ଖେଳାଳି ୨୦୧୭ ମସିହା କଥା ୨୦୧୯ ପର୍ଯ୍ୟନ୍ତ ମନେ ରଖିଛି ଭାବି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲି। ନିଜକୁ ବିଶ୍ବାସ କରିପାରିନଥିଲି। ମୁଁ ବୋଲିଂ କରୁଥିଲା ବେଳେ କେହି ଲେଗ୍ ସାଇଡ୍‌କୁ ସଟ୍ ଖେଳିଥିଲେ। କୋହଲି ସିଙ୍ଗଲ ନେବା ପାଇଁ ଚେଷ୍ଟା କରୁଥିଲା ବେଳେ ମୁଁ ଅଜ୍ଞାତରେ ତାଙ୍କ ଆଗକୁ ଚାଲି ଆସିଥିଲି। ଏକଥା ସେ ସଙ୍କେତରେ ଅମ୍ପାୟାରଙ୍କୁ ଜଣାଇବା ସହ ବିସ୍ମୟ ପ୍ରକଟ କରିଥିଲେ। ସେହିଠାରୁ ହିଁ ସବୁ କିଛି ଆରମ୍ଭ ହୋଇଥିଲା। ସେ ଏମିତି କିଛି କଥା କହିଥିଲେ ଯାହାର ପୁନରାବୃତ୍ତି ମୁଁ ଏଠାରେ କରିବାକୁ ଚାହେନି। ହେଲେ ମନେ ମନେ ଭାବିଥିଲି ଭାଇ ଆଉ କିଛି କହନି, ଚୁପ୍ ଚାପ୍ ବ୍ୟାଟିଂ କର, ମୋତେ ଏକୁଟିଆ ଛାଡ଼ିଦେ। ସେ ମ୍ୟାଚ୍ ‌ଶେଷ କଲେ ଏବଂ ନୋଟବୁକ୍‌ରେ ମୋ ନାଁ ଲେଖି ରଖିଲେ। ହାଇଦ୍ରାବାଦରୁ ଆମେ ଯେତେବେଳେ କେରଳ ଗଲୁ, ମୁଁ ଇକୋନୋମି କ୍ଲାସ୍‌ରେ ବସିଥିଲି ଏବଂ ସେ ବିମାନର ବିଜନେସ୍ କ୍ଲାସ୍ ସିଟ୍‌ରେ ଥିଲେ। ସେଠାରୁ ସେ ମୋତେ ବାରମ୍ବାର ଦେଖୁଥିଲେ ଏବଂ ସ୍ମିତ ହାସ୍ୟ ଦେଇ ନାନା ଅଙ୍ଗଭଙ୍ଗୀ କରୁଥିଲେ। ପର ମ୍ୟାଚ୍‌ରେ ମୁଁ ତାଙ୍କୁ ଆଉଟ୍ କରିବି ବୋଲି ସେହିଠାରେ ହିଁ ଶପଥ ନେଇଥିଲି। ତିରୁଅନନ୍ତପୁରମରେ ଖେଳା ଯାଇଥିବା ପରବର୍ତୀ ମ୍ୟାଚ୍‌ରେ ମଧ୍ୟ ସେ ମୋତେ ପୁନର୍ବାର ଟାହି ଟାପରା କରିଥିଲେ। ମୁଁ ଫାଇନ୍ ଲେଗ୍ ସୀମା ରେଖାରେ କ୍ଷେତ୍ରରକ୍ଷଣ କରୁଥିଲି ଏବଂ ସେ ସେଠାରେ ବସି ମୋ ନାଁ ଧରି ମୋତେ ଆକ୍ଷେପ କରି ଚାଲିଥିଲେ। ସେ ଯେତେବେଳେ ବ୍ୟାଟିଂ ପାଇଁ ଆସିଲେ, ମୋତେ କିନ୍ତୁ ବିଶେଷ କିଛି କହି ନଥିଲେ। ମୁଁ ତାଙ୍କୁ ଆଉଟ୍ କରିଦେଇଥିଲି ମଧ୍ୟ। ତା’ ପରେ ମୁଁ କେବଳ ଓଠରେ ହାତ ରଖି ଚୁପ୍ ରହିବାର ସଙ୍କେତ ଦେଇଥିଲି, ଉତ୍ସବ ପାଳନ କରିନଥିଲି। ଏହା କରିବାକୁ ଚାହୁଁନଥିଲି। ସେ ଯଥାଶୀଘ୍ର ପଡ଼ିଆ ଛାଡ଼ନ୍ତୁ ବୋଲି ଭାବୁଥିଲି।

ସମ୍ବନ୍ଧିତ ଖବର

Comments are closed.