ନ୍ୟୁଜିଲାଣ୍ଡକୁ ନାଟକୀୟ ବିଜୟ ଦେଲେ ୱିଲିୟମସନ୍‌: ଶେଷ ବଲ୍‌ ଓ ୨ ୱିକେଟ୍‌ରେ ହାରିଲା ଶ୍ରୀଲଙ୍କା

ଖ୍ରୀଷ୍ଟଚର୍ଚ୍ଚ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ନାଟକୀୟ ଭାବେ ଘରୋଇ ନ୍ୟୁଜିଲାଣ୍ଡ ୨ ୱିକେଟ୍‌ରେ ଜିତିନେଇଛି। ୨୮୫ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଏହି ଦଳ ସୋମବାର ପଞ୍ଚମ ଦିନର ଶେଷ ବଲ୍‌ରେ ହିଁ ବିଜୟ ପାଇଥିଲା। ଗତ ୨୮ ତାରିଖରେ ଇଂଲଣ୍ଡକୁ ୧ ରନ୍‌ରେ ହରାଇବା ପରେ ନ୍ୟୁଜିଲାଣ୍ଡର ଏହା ଦୁଇ ସପ୍ତାହ ମଧ୍ୟରେ ଦ୍ବିତୀୟ ନାଟକୀୟ ବିଜୟ। ଏହି ବିଜୟ ସହ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ଘରୋଇ ଦଳ ୧-୦ରେ ଅଗ୍ରଣୀ ପାଇଛି। ଅନ୍ୟପକ୍ଷରେ ଏହି ପରାଜୟ ସହ ଶ୍ରୀଲଙ୍କାର ଡବ୍‌ଲ୍ୟୁଟିସି ଫାଇନାଲ୍‌ ଆଶା ମଉଳି ଯାଇଛି। ଏହି ଶୃଙ୍ଖଳାର ଦୁଇଟି ଯାକ ମ୍ୟାଚ୍‌ ଜିତିଥିଲେ ଶ୍ରୀଲଙ୍କା ଫାଇନାଲ୍‌ରେ ପହଞ୍ଚିବାର ସୁଯୋଗ ଥିଲା।

କେନ୍‌ ୱିଲିୟମସନ୍‌ ନିଜର ୨୭ତମ ଟେଷ୍ଟ୍‌ ଶତକ ହାସଲ କରିବା ସହ ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ଅପରାଜିତ ୧୨୧ ରନ୍‌ର (୧୯୪ ବଲ୍‌) ପାଳି ଖେଲିଥିଲେ। ପୂର୍ବଦିନ ୨୮/୧ କରିଥିବା ବ୍ଲାକ୍ କ୍ୟାପ୍ସ ପାଇଁ ଶେଷ ଦିନରେ ବିଜୟ ଲାଗି ଆଉ ୨୫୭ ରନ୍‌ ଆବଶ୍ୟକ ଥିଲା। ହାଗ୍‌ଲେ ଓଭାଲରେ ବର୍ଷା ହେବାରୁ ‌ଶେଷ ଦିନର ପ୍ରଥମ ସାଢ଼େ ଚାରିଘଣ୍ଟା ଖେଳ ବନ୍ଦ ରହିଥିଲା। ବର୍ଷା ଛାଡ଼ିବା ପରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୫୨ ଓଭରରେ ଏହି ବିଜୟ ଲକ୍ଷ୍ୟ ନିଶ୍ଚିତ ହୋଇଥିଲା। ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା ଡାରିଲ ମିଚେଲ (୮୧, ୮୬ ବଲ୍‌) ଚତୁର୍ଥ ୱିକେଟ୍‌ରେ ୱିଲିୟମସନ୍‌ଙ୍କ ସହ ୧୪୨ ରନ୍‌ ଯୋଡ଼ି ବିଜୟର ନିକଟତର କରିଥିଲେ। କିନ୍ତୁ ମିଚେଲ, ଟମ୍‌ ବ୍ଲୁନ୍ଦେଲ (୩) ଓ ମାଇକେଲ ବ୍ରାସୱେଲ (୧୦)ଙ୍କୁ ସିମର ଅସିଥ ଫର୍ଣ୍ଣାଣ୍ଡୋ ଆଉଟ୍‌ କରି ଶ୍ରୀଲଙ୍କାର ଆଶା ବଢ଼ାଇଥିଲେ। ଶେ‌ଷ ୨ ଓଭରରେ ନ୍ୟୁଜିଲାଣ୍ଡକୁ ୧୫ ରନ୍‌ ଆବଶ୍ୟକ ଥିଲା ବେଳେ ଅଧିନାୟକ ଟିମ୍‌ ସାଉଦି କ୍ୟାଚ୍‌ ଦେଇ ପାଭିଲିଅନ୍‌ ଫେରିବା ପରେ ପରେ ମ୍ୟାଟ୍‌ ହେନେରି ରନ୍‌ ଆଉଟ୍‌ ହେବାରୁ ଘରୋଇ ଦଳ ଚିନ୍ତାରେ ପଡ଼ିଯାଇଥିଲା। ଶେଷ ୩ ବଲ୍‌ରେ ୫ ରନ୍‌ ଥିଲା ବେଳେ ୱିଲିୟମସନ୍‌ ଚତୁର୍ଥ ବଲ୍‌ରେ ଚୌକା ମାରିଥିଲେ। ପଞ୍ଚମ ବଲ୍‌ ଡଟ୍ ଥିଲା ବେଳେ ଶେ‌ଷ ବଲ୍‌ରେ ବାଇ ରନ୍‌ ନେଇ ଦଳକୁ ବିଜୟ ଭେଟି ଦେଇଥିଲେ ୱିଲିୟମସନ୍‌। ମିଚେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି: ୩୫୫। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୩୭୩। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୩୦୨। ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି: ୭୦ ଓଭରରେ ୨୮୫/୮ (କେନ୍‌ ୱିଲିୟମସନ୍‌-୧୨୧*, ଡାରିଲ ମିଚେଲ-୮୧, ଟମ୍ ଲଥାମ-୨୪, ହେନରି ନିକୋଲ୍ସ-୨୦, ଅସିଥ ଫର୍ଣ୍ଣାଣ୍ଡୋ ୩/୬୩, ପ୍ରଭା ଜୟସୂରିଆ ୨/୯୨, କସୁନ ରଜିଥା-୧/୬୦, ଲାହିରୁ କୁମାରା-୧/୬୧)।

ସମ୍ବନ୍ଧିତ ଖବର