ୱିଲିୟମ୍‌ସନ୍‌ଙ୍କ ଦ୍ବିଶତକ; ନିକୋଲ୍‌ସ ଓ ମିଚେଲଙ୍କ ଶତକ, ନ୍ୟୁଜିଲାଣ୍ଡ୍‌ ୩୫୪ ରନ୍‌ ଆଗରେ

ପରାଜୟ ଆଶଙ୍କାରେ ପାକିସ୍ତାନ

ଖ୍ରିଷ୍ଟଚର୍ଚ୍ଚ: ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (୨୩୮)ଙ୍କ ଦମ୍‌ଦାର ଦ୍ବିଶତକ ସାଙ୍ଗକୁ ହେନ୍‌ରି ନିକୋଲ୍‌ସ (୧୫୭) ଓ ଡାରିଲ ମିଚେଲ (୧୦୨*)ଙ୍କ ଆକର୍ଷଣୀୟ ଶତକ ବଳରେ ନ୍ୟୁଜିଲାଣ୍ଡ୍‌ ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ବଡ଼ ସ୍କୋର୍‌ ଛିଡ଼ା କରିଛି। ଦ୍ବିତୀୟ ଦିବସ ସ୍କୋର୍‌ ୨୮୬/୩ରୁ ମଙ୍ଗଳବାର ତୃତୀୟ ଦିବସରେ ଖେଳିଥିବା ଘରୋଇ ଦଳ ଆଉ ୩ ୱିକେଟ୍‌ ହରାଇ ୩୭୩ ରନ୍ ଯୋଡ଼ିଥିଲା ବେଳେ ପାଳି ଘୋଷଣା କରିଦେଇଥିଲା। ପୂର୍ବଦିନ ୧୧୨ ରନ୍‌ରେ ଅପରାଜିତ ଥିବା ୱିଲିୟମ୍‌ସନ୍‌ ଆଉ ୧୨୬ ରନ୍ ଯୋଡ଼ି ନିଜର ଚତୁର୍ଥ ଦ୍ବିଶତକ ହାସଲ କରିଥିଲେ। ସେହିପରି ପୂର୍ବଦିନ ୮୯ ରନ୍‌ରେ ଅପରାଜିତ ଥିବା ନିକୋଲ୍‌ସ ଆଉ ୬୮ ରନ୍ ଯୋଡ଼ି ନିଜର ସପ୍ତମ ଶତକ ଜମାଇବା ପରେ ପାଭିଲିୟନ୍‌ ଫେରିଥିଲେ। ହେଲେ ମି‌ଚେଲ ୧୧୨ ବଲ୍‌ରୁ ଦ୍ରୁତ (୧୦୨*) ଶତକ ଜମାଇବାରୁ ଘରୋଇ ଦଳ ୬୫୯/୬ରେ ପ୍ରଥମ ପାଳି ଘୋଷଣା କରିଥିଲା। ଏଥି ସହିତ ପାକିସ୍ତାନଠୁ ୩୬୨ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ୱିଲିୟମ୍‌ସନ୍‌ ଚତୁର୍ଥ ୱିକେଟ୍‌ରେ ନିକୋଲ୍‌ସଙ୍କ ସହ କୀର୍ତ୍ତିମାନଭରା ୩୬୯ ଏବଂ ଷଷ୍ଠ ୱିକେଟ୍‌ରେ ମିଚେଲଙ୍କ ସହ ୧୩୩ ରନ୍ ଯୋଡ଼ି ପାକିସ୍ତାନ ବୋଲରଙ୍କୁ ନାକେଦମ କରିଥିଲେ। ସେ ମଧ୍ୟ ଏହି ପାଳି ବେଳେ ୭୦୦୦ ରନ୍‌ ପୂରଣ କରିଥିଲେ। ପାକିସ୍ତାନ ପକ୍ଷରୁ ସାହିନ ଶାହ ଆଫ୍ରିଦି, ମହମ୍ମଦ ଆବାସ୍‌ ଓ ଫହିମ ଅସ୍ରଫ୍‌ ୨ ଲେଖାଏଁ ୱିକେଟ୍‌ ପାଇଥିଲେ।

ଜବାବରେ ପାକିସ୍ତାନ ତୃତୀୟ ଦିବସ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଦ୍ବିତୀୟ ପାଳିରେ ଗୋଟିଏ ଝଟ୍‌କା ପାଇ ୮ ରନ୍‌ କରିଛି। ସନ୍‌ ମସୁଦ ଖାତା ଖୋଲିବା ପୂର୍ବରୁ କାଇଲ ଜାମିସନ୍‌ଙ୍କ ଶିକାର ହୋଇଥିଲା ବେଳେ ଆବିଦ୍‌ ଅଲ୍ଲୀ (୭) ଓ ମହମ୍ମଦ ଆବାସ୍‌ (୧) କ୍ରିଜ୍‌ରେ ରହିଛନ୍ତି। ତେବେ ହାତରେ ୯ ୱିକେଟ୍‌ ଥାଇ ପାକିସ୍ତାନ ଏବେ ବି ଘରୋଇ ଦଳର ପ୍ରଥମ ପାଳି ସ୍କୋର୍‌ଠୁ ୩୫୪ ରନ୍‌ ପଛରେ ରହି ପରାଜୟ ଆଶଙ୍କାରେ ପଡ଼ିଯାଇଛି।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପ୍ରଥମ ପାଳି ୨୯୭ ଓ ଦ୍ବିତୀୟ ପାଳି ୧/୮। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୧୫୮.୫ ଓଭରରେ ୬୫୯/୬ରେ ଘୋଷଣା (କେନ୍‌ ୱିଲିୟମ୍‌ସନ୍‌-୨୩୮, ହେନ୍‌ରି ନିକୋଲ୍‌ସ-୧୫୭, ଡାରିଲ ମିଚେଲ-୧୦୨*, କାଇଲ ଜାମିସନ୍‌-୩୦*, ସାହିନ ଆଫ୍ରିଦି-୨/୧୦୧, ମହମ୍ମଦ ଆବାସ୍‌-୨/୯୮, ଫହିମ ଅସ୍ରଫ୍‌-୨/୧୦୬)।

ମ୍ୟାକ୍‌ଲମ୍‌ଙ୍କ ୪ ଦ୍ବିଶତକର ସମକକ୍ଷ ହେ‌ଲେ ୱିଲିମୟ୍‌ସନ୍‌
୭୦୦୦ ରନ୍‌ କ୍ଲବ୍‌ରେ ଦ୍ରୁତତମ ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌
ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୨୩୮ ରନ୍‌ କରିଛନ୍ତି। ଏହା ତାଙ୍କ ଟେଷ୍ଟ୍‌ ଜୀବନର ଚତୁର୍ଥ ଦ୍ବିଶତକ। ଏଥି ସହିତ ସେ ବ୍ରେଣ୍ଡନ ମ୍ୟକ୍‌ଲମ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ମ୍ୟାକ୍‌ଲମ୍‌ ମଧ୍ୟ ଟେ‌ଷ୍ଟ୍‌ରେ ୪ ଦ୍ବିଶତକ ଜମାଇଥିଲେ। ମଙ୍ଗଳବାର ୱିଲିୟମ୍‌ସନ୍‌ ମଧ୍ୟ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ସେ ଟେଷ୍ଟ୍‌ରେ ୭୦୦୦ ରନ୍‌ ପୂରଣ କରିବା ସାଙ୍ଗକୁ ଏକ୍ଷେତ୍ରରେ ଦ୍ରୁତତମ ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ ବିବେଚିତ ହୋଇଛନ୍ତି। ତାଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ ଭାବେ ରସ୍‌ ଟେଲର ଏବଂ ପୂର୍ବତନ ଅଧିନାୟକ ଷ୍ଟିଫେନ୍‌ ଫ୍ଲେମିଂ ଏହି ମାଇଲଖୁଣ୍ଟ୍‌ରେ ପହଞ୍ଚି ସାରିଛନ୍ତି। ୱିଲିୟମ୍‌ସନ୍‌ ଏହି କ୍ଲବ୍‌ରେ ତୃତୀୟ ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ ଭାବେ ପ୍ରବେଶ କରିଛନ୍ତି। ତେବେ ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ସର୍ବାଧିକ ସ୍କୋର୍‌ ନିଜ ନାମରେ ରଖିଥିବା ଟେଲର ୯୬ ମ୍ୟାଚ୍‌ରୁ ୭୦୦୦ ରନ୍‌ ପୂରଣ କରିଥିଲା ବେଳେ ୱିଲିୟମ୍‌ସନ୍‌ ୮୩ ମ୍ୟାଚ୍‌ରୁ ପୂରଣ କରିନେଇଛନ୍ତି। ଫଳରେ ସେ ଉଭୟ ଟେଲର ଓ ଫ୍ଲେମିଂଙ୍କୁ ଟପି ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ଫ୍ଲେମିଂ ୧୧୧ ଟେଷ୍ଟ୍‌ ଖେଳି ୭୧୭୨ ରନ୍‌ କରିଥିଲା ବେଳେ ଟେଲର ୧୦୫ ଟେଷ୍ଟ୍‌ରୁ ୭୩୭୯ ରନ୍‌ କରିଛନ୍ତି। ପୁଣି ସୋମବାର ୱିଲିୟମ୍‌ସନ୍‌ ମଧ୍ୟ ଫ୍ଲେମିଂଙ୍କ ସର୍ବାଧିକ ଅର୍ଧଶତକ କୀର୍ତ୍ତିମାନକୁ ଟପିଯାଇଥିଲେ। ଫ୍ଲେମିଂ ୫୫ ଅର୍ଧଶତକ ହାସଲ କରିଥିଲା ବେଳେ ୱିଲିୟମ୍‌ସନ୍‌ଙ୍କ ଅର୍ଧଶତକ ସଂଖ୍ୟା ୫୬ରେ ପହଞ୍ଚିଯାଇଛି।

ସମ୍ବନ୍ଧିତ ଖବର