ହାମିଲଟନ୍ : ଅଧିନାୟକ କେନ୍ ୱିଲିୟମ୍ସନ୍ଙ୍କ ଟେଷ୍ଟ୍ ଶ୍ରେଷ୍ଠ ଦ୍ବିଶତକ ସାଙ୍ଗକୁ ଟମ୍ ଲାଥାମ୍ଙ୍କ ଅଷ୍ଟାଦଶ ଓ କେଲି ଜାମିସନ୍ଙ୍କ ପ୍ରଥମ ଅର୍ଧଶତକ ବଳରେ ଘରୋଇ ନ୍ୟୁଜିଲାଣ୍ଡ୍ ଏଠାରେ ଚାଲିଥିବା ଭ୍ରମଣକାରୀ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ର ଦ୍ବିତୀୟ ଦିବସରେ ବଡ଼ ସ୍କୋର୍ କରି ପ୍ରଥମ ପାଳି ଘୋଷଣା କରିଦେଇଛି। ଲାଥାମ୍ ୮୬ ଏବଂ ଜାମିସନ୍ ଅପରାଜିତ ୫୧ ରନ୍ କରିଥିଲେ। ଭାରତ ବିପକ୍ଷରେ ଚଳିତ ବର୍ଷ ପଦାର୍ପଣ କରିଥିବା ଜାମିସନ୍ ମଧ୍ୟ ତାଙ୍କ ତିନି ପାଳିରେ ଯଥାକ୍ରମେ ୪୪, ୪୯ ଓ ୫୧* ରନ୍ କରି ନିଜ ପାଇଁ ଦଳରେ ସ୍ଥାନ ସୁରକ୍ଷିତ କରିଛନ୍ତି। ତେବେ ପ୍ରଥମ ଦିବସରେ ୯୭ ରନ୍ରେ ଅପରାଜିତ ରହିଥିବା ୱିଲିୟମ୍ସନ୍ କିନ୍ତୁ ପ୍ରଥମେ ଶତକ ପୂରଣ କରିବା ପରେ ତାକୁ ଦ୍ବିଶତକରେ ରୂପାନ୍ତରିତ କରିଦେଇଥିଲେ। ସେ ମୋଟ ୪୧୨ ବଲ୍ ଖେଳି ୩୪ ଚୌକା ଓ ୨ ଛକା ସହାୟତାରେ ୨୫୧ ରନ୍ର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ। ଏହା ଥିଲା ୱିଲିୟମ୍ସନ୍ଙ୍କ ୨୨ତମ ଶତକ ଏବଂ ତୃତୀୟ ଦ୍ବିଶତକ। ପୁଣି ୨୫୧ ରନ୍ ମଧ୍ୟ ୱିଲିୟମ୍ସନ୍ଙ୍କ ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ୍ ସ୍କୋର୍ ଥିଲା।
୬ ବର୍ଷ ପୂର୍ବେ ଶ୍ରୀଲଙ୍କା ବିପକ୍ଷ ଅପରାଜିତ ୨୪୨ ରନ୍ ତାଙ୍କର ପୂର୍ବ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ରହିଥିଲା। ଯାହାକୁ କି ଏଠାରେ ଟପି ଯାଇଥିଲେ। ନିଜେ ୨୦୦ ରନ୍ ପୂରଣ କରିବା ପରେ ପାଳି ଘୋଷଣା କରିବାର ଚିନ୍ତା କରିଥିଲେ। ତେଣୁ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଲେ। ଯେଉଁଥିପାଇଁ ପରବର୍ତୀ ୫୧ ରନ୍ ସେ ୪୨ ବଲ୍ରେ ସଂଗ୍ରହ କରିନେଇଥିଲେ। ସେଥିମଧ୍ୟରେ କେମାର ରୋଚ୍ଙ୍କ ଗୋଟିଏ ଓଭରରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ତେବେ ୨୨୨ ରନ୍ କରିଥିଲା ବେଳେ ତାଙ୍କୁ କଟ୍ ବିହାଇଣ୍ଡ ଆଉଟ୍ ଦିଆଯାଇଥିଲା। କିନ୍ତୁ ସେ ରିଭ୍ୟୁ ମାଗିବା ପରେ ସେହି ବଲ୍ ‘ନୋ’ ଥିବା ସ୍ପଷ୍ଟ ହୋଇଥିଲା ଏବଂ ୱିଲିୟମ୍ସନ୍ ଆଉଟ୍ରୁ ବର୍ତିଯାଇଥିଲେ। ପରେ ନିଜ ଟେଷ୍ଟ୍ କ୍ୟାରିୟରର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ କରି ପ୍ରଥମ ପାଳିକୁ ଘୋଷଣା କରିଦେଇଥିଲେ। ଅଭିଜ୍ଞ ରସ୍ ଟେଲର ୩୮ ରନ୍ କରିଥିଲା ବେଳେ ନ୍ୟୁଜିଲାଣ୍ଡ୍ ୫୧୯/୭ରେ ପାଳି ଘୋଷଣା କରିଥିଲା। ପ୍ରାରମ୍ଭିକ ଦ୍ରୁତ ବୋଲର ଯୋଡ଼ି କେମାର ରୋଚ୍ ଏବଂ ସାନନ୍ ଗାବ୍ରିଏଲ୍ ସଫଳ ବୋଲର ଭାବେ ୩-୩ ୱିକେଟ୍ ବାଣ୍ଟି ନେଇଥିଲେ।
ଜବାବରେ ଶୁକ୍ରବାର ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୱେଷ୍ଟଇଣ୍ଡିଜ୍ କୌଣସି କ୍ଷତି ନଘଟାଇ ୪୯ ରନ୍ କରିନେଇଛି। କ୍ରେଗ୍ ବ୍ରାଥ୍ୱେଟ୍ ୨୦ ଓ ଜନ୍ କାମ୍ପବେଲ୍ ୨୨ ରନ୍ରେ ଅପରାଜିତ ରହିଛନ୍ତି।
ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି ୫୧୯/୭ (୧୪୫ ଓଭର)ରେ ଘୋଷିତ: (ଟମ୍ ଲାଥାମ୍-୮୬, କେନ୍ ୱିଲିୟମ୍ସନ୍-୨୫୧, କେଲି ଜାମିସନ୍-୫୧*, ରସ୍ ଟେଲର-୩୮, କେମାର ରୋଚ୍-୩/୧୧୪, ସାନନ୍ ଗାବ୍ରିଏଲ୍-୩/୮୯)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୨୬ ଓଭରରେ ୪୯/୦ (କ୍ରେଗ୍ ବ୍ରାଥ୍ୱେଟ୍-୨୦*, ଜନ୍ କାମ୍ପବେଲ୍-୨୨*)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/ken.jpg)