ୱିଲିୟମ୍‌ସନ୍‌ ଓ ଟେଲରଙ୍କ ଶତକ: ହାମିଲଟନ୍‌ ଟେଷ୍ଟ୍‌ ଅମୀମାଂସିତ, ନ୍ୟୁଜିଲାଣ୍ଡ୍‌ ୧-୦ରେ ଶୃଙ୍ଖଳା ଜିତିଲା

ହାମିଲଟନ୍‌: ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଏବଂ ଅଭିଜ୍ଞ ରସ୍‌ ଟେଲରଙ୍କ ଅପରାଜିତ ଶତକ ସାଙ୍ଗକୁ ବର୍ଷା ଶେଷ ଦିବସର ପ୍ରାୟ ଦୁଇଟି ଅଧିବେସନକୁ ଧୋଇ ନେବା ହିଁ ଘରୋଇ ନ୍ୟୁଜିଲାଣ୍ଡ୍‌ ଦଳକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଜିତିବାରେ ଯଥେଷ୍ଟ ଥିଲା। ଦ୍ବିତୀୟ ପାଳିରେ ଉଭୟ ୱିଲିୟମ୍‌ସନ୍‌ ଓ ଟେଲର ଅବିଭାଜିତ ତୃତୀୟ ୱିକେଟ୍‌ରେ ୨୧୩ ରନ୍‌ ଯୋଡ଼ି ଭ୍ରମଣକାରୀ ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ। ଏ ଦୁହେଁ ନ୍ୟୁଜିଲାଣ୍ଡ୍‌ର ପୂର୍ବଦିନ ସ୍କୋର୍‌ ୯୬/୨ରୁ ମଙ୍ଗଳବାର ଖେଳ ଆରମ୍ଭ କରିଥିଲେ। ୱିଲିୟମ୍‌ସନ୍‌ ୩୭ ଓ ଟେଲର ୩୧ ରନ୍‌ରେ ଅପରାଜିତ ଥିଲେ। ତେବେ ୱିଲିୟମ୍‌ସନ୍‌ ୯୬ ଓ ଟେଲର ୮୪ ରନ୍‌ରେ ମଧ୍ୟାହ୍ନ ବିରତିକୁ ଯାଇଥିଲେ। ଏହାପରେ ଆଉ ମାତ୍ର ୫ ଓଭର ଖେଳ ସମ୍ଭବ ହୋଇଥିଲା। ଏହି ସମୟ ମଧ୍ୟରେ ଉଭୟେ ନିଜ ନିଜର ଶତକ ଜମାଇବା ସାଙ୍ଗକୁ ଇଂଲଣ୍ଡ ବୋଲରଙ୍କୁ ୱିକେଟ୍‌ ଦଖଲ ସୁଯୋଗ ବି ଦେଇନଥିଲେ। ୱିଲିୟମ୍‌ସନ୍‌ ୧୦୪ ( ୨୩୪ ବଲ୍‌, ୧୧ ଚୌକା) ଓ ଟେଲର ୧୦୫ (୧୮୬ ବଲ୍‌, ୧୧ ଚୌକା, ୨ ଛକା) ରନ୍‌ କରି ଖେଳୁଥିଲା ବେଳେ ବର୍ଷା ବାଧା ସୃଷ୍ଟି କରିଥିଲା। ବର୍ଷା ପୂର୍ବରୁ ଜୋ ରୁଟ୍‌ଙ୍କ ଓଭରରେ ଟେଲର କ୍ରମାଗତ ଭାବେ ଚୌକା, ଛକା ଓ ଛକା ମାରି ଷ୍ଟାଇଲ୍‌ରେ ୧୯ତମ ଟେଷ୍ଟ୍‌ ଶତକ ହାସଲ କରିନେଇଥିଲେ। ଏଥି ସହିତ ଟେଲର ମଧ୍ୟ ଷ୍ଟିଫେନ୍‌ ଫ୍ଲେମିଂଙ୍କ ପରେ ଦ୍ବିତୀୟ ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ ଭାବେ ୭୦୦୦ ରନ୍‌ କ୍ଲବ୍‌ରେ ନିଜ ନାମକୁ ଯୋଡ଼ି ଦେଇଥିଲେ। ଏପରିକି ଟେଲର ଶତକ ପୂରଣ କରିବା ପରେ ପରେ ହିଁ ବର୍ଷା ହେବାରୁ ଆଗୁଆ ଚା‌’ପାନ ବିରତି କରାଯାଇଥିଲା। ହେଲେ ଆଉ ବର୍ଷା ନଛାଡ଼ିବାରୁ ଶେଷ ଅଧିବେସନ ଖେଳ ବି ସମ୍ଭବ ହୋଇନଥିଲା। ଫଳରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି ୨୪୧/୨ରେ ହିଁ ଶେଷ ଦିନର ଷ୍ଟମ୍ପ୍‌ସ ପ୍ରତ୍ୟାହାର କରାଯାଇଥିଲା। ଏଥି ସହିତ ଏହି ଟେଷ୍ଟ୍‌ ଅମୀମାଂସିତ ରହିଥିଲା। ହେଲେ ପ୍ରଥମ ଟେଷ୍ଟ୍‌କୁ ଜିତିଥିବା ଘରୋଇ ନ୍ୟୁଜିଲାଣ୍ଡ୍‌ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଲା। କିନ୍ତୁ ପ୍ରଥମ ପାଳିରେ ଦ୍ବିଶତକ ଜମାଇଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ମ୍ୟାଚ୍‌ର ଏବଂ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ନିଲ୍‌ ୱାଗ୍‌ନର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।
ସ˚କ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ତ ପ୍ରଥମ ପାଳି- ୩୭୫ (ଟମ୍‌ ଲାଥାମ ୧୦୫, ଷ୍ଟୁଆର୍ଟ ବ୍ରଡ ୪/୭୩)। ଇ˚ଲଣ୍ତ ପ୍ରଥମ ପାଳି-୪୭୬ (ଜୋ ରୁଟ୍‌ ୨୨୬, ରୋରି ବର୍ନସ ୧୦୧, ଓଲି ପୋପ୍‌ ୭୫, ନିଲ ଵାଗନର- ୫/୧୨୪, ଟିମ୍‌ ସାଉଦି- ୨/୯୦, ମ୍ୟାଟ ହେନରି- ୧/୮୭, ମିଚେଲ ସାଣ୍ଟନର- ୧/୮୮)। ନ୍ୟୁଜିଲାଣ୍ତ ଦ୍ବିତୀୟ ପାଳି-୭୫ ଓଭରରେ ୨୪୧/୨ (କେନ୍‌ ଵିଲିୟମସନ୍‌ ୧୦୪*, ରସ ଟେଲର ୧୦୫*, ସାମ୍‌ କରନ ୧/୫୬, କ୍ରିସ୍‌ ୱକ୍‌ସ ୧/୧୨)

ସମ୍ବନ୍ଧିତ ଖବର