ସାଇନାଙ୍କୁ ପ୍ରଥମ ଡବ୍‌ଲ୍ୟୁଆଇଏମ୍ ନର୍ମ

ଭୁବନେଶ୍ବର: ଏକଦା ରାଜ୍ୟର ସର୍ବକନିଷ୍ଠ ଡବଲ୍ୟୁଏଫଏମ୍ ହେବାର ଗୌରବ ପାଇଥିବା ଚେସ୍ ତାରକା ସାଇନା ସଲୋନିକାଙ୍କ ଖେଳ ଜୀବନ ପ୍ରଥମ ବଡ଼ ପାହାଚ ଚଢ଼ିଛି। ମଙ୍ଗଳବାର ନିଜ ପ୍ରଥମ ଡବଲ୍ୟୁଆଇଏମ୍ ନର୍ମ ଅର୍ଜନ କରିଛନ୍ତି ଏହି କିଟ୍ ଅନ୍ତର୍ଜାତୀୟ ସ୍କୁଲ୍ ଛାତ୍ରୀ।‌ ଗୋଆରେ ଶେଷ ହୋଇଥିବା ଅନ୍ତର୍ଜାତୀୟ ଓପନ୍ ପ୍ରତିଯୋଗିତାର ନବମ ରାଉଣ୍ଡ୍‌ରେ ନିରଂଜନ ନଭଲଗୁଣ୍ଡଙ୍କ ସହିତ ଅମୀମାଂସିତ ରଖିବା ପରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ସାଇନା ୪ ବିଜୟ ପାଇଥିବା ବେଳେ ଏମାନଙ୍କ ମଧ୍ୟରେ ଥିଲେ ୟୁକ୍ରେନୀୟ ମହିଳା ଗ୍ରାଣ୍ଡମାଷ୍ଟର୍‌ ବବଲି ଓଲଗା। ୨ ଗ୍ରାଣ୍ଡ୍‌ ମାଷ୍ଟରଙ୍କ ସମେତ ୩ ଜଣଙ୍କ ସହ ମଧ୍ୟ ପଏଣ୍ଟ ଭାଗ କରିଥିଲେ। ଦୁଇ ଗ୍ରାଣ୍ଡମାଷ୍ଟର ଥିଲେ ଦେବାଶିଷ ଦାସ ଏବଂ ପି କାର୍ତିକେୟନ। ଏହି ଅବସରରେ ସାଇନା ମଧ୍ୟ ୮୫ ଏଲୋ‌ ରେଟିଂ ଅର୍ଜନ କରିଛନ୍ତି। ସାଇନାଙ୍କୁ‌ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନର୍ମ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବିଶ୍ବ ବୟସ ବର୍ଗ ବିଜୟିନୀ ହେବା ସହିତ ଅଦ୍ୟାବଧି ୧୫ ଅନ୍ତର୍ଜାତୀୟ ପଦକ ହାସଲ କରି ସାରିଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ୍‌ ସୁଲଣ ଗାଁର ମୂଳ ନିବାସୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣେଶ୍ବର ଜେନା ଏବଂ ବବିତା ଜେନାଙ୍କ ସାନ ଝିଅ ସାଇନା ଗତ ୮ ମାସ ହେବ ସିବିଏସଇ ଦଶମ ପରୀକ୍ଷା ପାଇଁ ଚେସ୍‌ ବୋର୍ଡରୁ ଦୂରେଇ ରହିଥିଲେ ମଧ୍ୟ ୯୭.୪ ପ୍ରତିଶତ ସହିତ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ଏକ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର