ଓ୍ଵିମ୍ବଲ୍‌ଡନ୍‌ ଉଲ୍ଲାସ:ନିର୍ଣ୍ଣାୟକ ଦିନିକିଆ ଆଜି

ଲିଡ୍‌ସ: ଇଂଲଣ୍ଡ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ପକେଟସ୍ଥ କରି ସାରିଥିବା ଭାରତ ମଙ୍ଗଳବାର ଦିନିକିଆ ଶୃଙ୍ଖଳାରେ ମଧ୍ୟ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ଗତ ସପ୍ତାହରେ ଟେ୍ଵଣ୍ଟି-୨୦ରେ ସମାନ ପରିସ୍ଥିତିରେ ପଡ଼ି ଭାରତ ତୃତୀୟ ତଥା ଶେଷ ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇଥିଲା। ଏହାକୁ ଦୋହରାଇବା ଆଶାରେ ରହିଛି କୋହଲି ବାହିନୀ। ଲର୍ଡସ ଦିନିକିଆ ପରାଜୟ ପରେ ଭାରତ ପାଇଁ ଏକମାତ୍ର ଚିନ୍ତା ରହିଛି ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା। ଏହି ଦୁର୍ବଳତାକୁ ଦୂର କରିପାରିଲେ ଭାରତ ଲଗାତାର ଦଶମ ଶୃଙ୍ଖଳା ବିଜୟ ହାସଲ କରିନେବ। ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଟେଷ୍ଟ୍‍ ପୂର୍ବରୁ ଭାରତକୁ ବି ମନୋବଳ ଯୋଗାଇବ। ଶନିବାରର ଲର୍ଡସ ବିଜୟ ସହ ଇଂଲଣ୍ଡ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ମାନ୍ୟତାକୁ ନିଶ୍ଚିତ କରିଥିଲା। ଭାରତ ମଙ୍ଗଳବାର ଜିତିଲେ କେବଳ ବ୍ୟବଧାନକୁ କମାଇପାରିବ। କିନ୍ତୁ ଆସନ୍ତା ବର୍ଷ ଇଂଲଣ୍ଡରେ ବିଶ୍ୱକପ୍‌ ଆୟୋଜିତ ହେଉଥିବାରୁ ଭାରତ ପାଇଁ ଏ ବିଜୟ ଜରୁରି ରହିଛି।
ନଟିଂହାମ୍‌ରେ ୮ ଓ୍ଵିକେଟ୍‌ର ବୃହତ ବିଜୟ ପରେ ଲର୍ଡସରେ ୮୬ ରନର ପରାଜୟ ଭାରତର ଅସ୍ଥିର ପ୍ରଦର୍ଶନକୁ ପଦାରେ ପକାଇଛି। କିନ୍ତୁ ବିଗତ ଦୁଇ ବର୍ଷ ଭିତରେ ଭାରତ ଅନ୍ୟୁନ ଗୋଟିଏ ମ୍ୟାଚ୍‌ ହାରୁଥିଲେ ମଧ୍ୟ ନିର୍ଣ୍ଣାୟକ ମ୍ୟାଚ୍‌ ଜିତି ଏକାଧିକ ଶୃଙ୍ଖଳାରେ ସଫଳ ହେବା ଧାରାରେ ରହିିଛି। ୨୦୧୬ ମସିହା ଜାନୁଆରିରେ ଅଷ୍ଟ୍ରେଲିଆ ନିକଟରୁ ୧-୪ରେ ହାରିବା ପରଠାରୁ ଭାରତ ଘରେ ଓ ବାହାରେ ସୀମିତ ଓଭର ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ୍‌, ଶ୍ରୀଲଙ୍କାକୁ ଦୁଇ ଥର ଲେଖାଏଁ, ଜିମ୍ବାେଓ୍ଵ, ଇଂଲଣ୍ଡ, େଓ୍ଵଷ୍ଟଇଣ୍ଡିଜ୍‌, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଥରେ ଲେଖାଏଁ ପରାସ୍ତ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତର ଦିନିକିଆ ପ୍ରାଧାନ୍ୟକୁ ମଧ୍ୟ କୋହଲି ସେନା ଜାରି ରଖିବାକୁ ଚାହିଁବେ। ଭାରତ ୨୦୧୧ ମସିହା ପରଠାରୁ ଇଂଲଣ୍ଡ ନିକଟରୁ ଦିନିକିଆ ଶୃଙ୍ଖଳାରେ ହାରିନାହିଁ। ସେହିବର୍ଷ ୦-୩ରେ ହାରିବା ପରଠାରୁ ଇଂଲଣ୍ଡ ବିପକ୍ଷରେ ଭାରତ ୧୭ ମ୍ୟାଚ୍‌ ଖେଳି ୧୦ ଜିତିଛି। ୨୦୧୫ ମସିହାରୁ ଦିନିକିଆ କ୍ରିକେଟ୍‌ରେ କିନ୍ତୁ ଇଂଲଣ୍ଡର ଉତ୍‌ଥାନ ଘଟିଛି। ଗତବର୍ଷ ଜାନୁଆରିରେ ଘରୋଇ ମାଟିରେ ଭାରତ ୨-୧ରେ ଜିତିଥିବାବେଳେ ଏବେ ଚଳିତ ଶୃଙ୍ଖଳା ମଧ୍ୟ ସମାନ ସ୍କୋର୍‌ ଲାଇନ୍‌ରେ ସରିବା ନିଶ୍ଚିତ।
ଲର୍ଡସ ବିଜୟ ମଧ୍ୟ ଇଂଲଣ୍ଡର ଟେ୍ଵଣ୍ଟି-୨୦ ଦକ୍ଷତା ଅପେକ୍ଷା ଦିନିକିଆ କ୍ଷମତା ଉନ୍ନତ ବୋଲି ଦର୍ଶାଇଛି। ୫୦ ଓଭର ମ୍ୟାଚ୍‌ରେ ଭାରତର ଦୁର୍ବଳତା ରହିଥିବା କଥା ମଧ୍ୟ ପ୍ରତିଫଳିତ ହୋଇଛି। ଭାରତୀୟ ସ୍ପିନର୍‌ ଚଳିତ ଇଂଲଣ୍ଡ ଗସ୍ତରେ ପ୍ରଭାବ ବିସ୍ତାର କରିଛନ୍ତି ସତ କିନ୍ତୁ ଦ୍ରୁତ ବୋଲିଂ ବିଭାଗରେ ଭାରତ ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମରାଙ୍କ ଉପରେ କେତେ ନିର୍ଭରଶୀଳ ତାହା ଲର୍ଡସରେ ପ୍ରମାଣିତ ହୋଇଥିଲା। ଶେଷ ୮ ଓଭରରେ ଭାରତ ୮୨ ରନ୍‌ ଲିକ୍‌ କରିଥିଲା। ସୋମବାର ଲୟରେ ଅଭ୍ୟାସ କରିଥିବାରୁ ମଙ୍ଗଳବାର ମ୍ୟାଚ୍‌କୁ ଆହତ ଭୁବି ଫେରିବା ପ୍ରାୟ ନିଶ୍ଚିତ। ତାଙ୍କ ବଦଳରେ ସିଦ୍ଧାର୍ଥ କଉଲ୍‌ ବସିବା ସମ୍ଭାବନା ରହିଛି। ନିମ୍ନକ୍ରମରେ ମଧ୍ୟ ଭୁବନେଶ୍ୱର କୁମାର ବ୍ୟାଟିଂରେ ଭଲ ଯୋଗଦାନ ରଖିବାର କ୍ଷମତା ରଖିଛନ୍ତି।
ମଧ୍ୟକ୍ରମ ବ୍ୟାଟିଂ କିନ୍ତୁ ଭାରତର ମୁଖ୍ୟ ଚିନ୍ତା ରହିଛି। ୪ ନମ୍ବର ସ୍ଥାନର ସମସ୍ୟାକୁ ଭାରତ ବୁଝିବାକୁ ଚେଷ୍ଟା କରିବା ଉଚିତ୍‌। କେଏଲ୍‌ ରାହୁଲ ଲର୍ଡସରେ ବିଫଳ ହେବା ଦଳକୁ ଅଡ଼ୁଆରେ ପକାଇଛି। ଦୀନେଶ କାର୍ତିକ ଏବଂ ଶ୍ରେୟସ ଆୟର୍‌ ବେଞ୍ଚ୍‌ରେ ବସିଥିବାରୁ ଭାରତ ପାଖରେ ବିିକଳ୍ପ ରହିଛି। ନିଜର ପ୍ରଥମ ୬ ଦିନିକିଆରେ ୨ ଅର୍ଧଶତକ ମାରିଥିବାରୁ ଆୟରଙ୍କ ନାମ ବିଚାର କରାଯାଇପାରିବ। କିନ୍ତୁ ଶୀର୍ଷକ୍ରମରେ ବିରାଟ କୋହଲି, ଶିଖର ଧାଓ୍ଵନ ଏବଂ ରୋହିତ ଶର୍ମାଙ୍କ ଉପରେ ଦଳକୁ ନିର୍ଭର କରିବାକୁ ପଡ଼ିବ। ବିଗତ ୨ ଋତୁ ଦେଖିଲେ ଭାରତର ୬୦ ପ୍ରତିଶତ ରନ ଏହି ୩ ଜଣ କରିଛନ୍ତି।
ଅନ୍ୟପକ୍ଷରେ ଜୋ ରୁଟ୍‌ ଲର୍ଡସରେ ଶତକ ସହିତ ରନ୍‌କୁ ଫେରିଛନ୍ତି। ଅନ୍ୟମାନେ ମଧ୍ୟ କଚଟି ସ୍ପିନ୍‌ ବିପକ୍ଷରେ ଭଲ କରିଛନ୍ତି। ଦଳର ଏକମାତ୍ର ଚିନ୍ତା ହୋଇଛି ଅଲରାଇଣ୍ଡର୍‌ ବେନ୍‌ ଷ୍ଟୋକ୍‌ସଙ୍କ ଅସ୍ଥିର ପ୍ରଦର୍ଶନ। ଜାସନ୍‌ ରୟଙ୍କ ଆହତ ଖବର ମଧ୍ୟ ଇଂଲଣ୍ଡକୁ ଭିନ୍‌ସ କିମ୍ବା ସାମ୍‌ ବିଳିଙ୍ଗସଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା ପରିସ୍ଥିତି ଆଣିଛି। କୁଲଦୀପଙ୍କୁ ପ୍ରାରମ୍ଭିକ ଓ୍ଵିକେଟ୍‌ ନଦେଲେ ଆମେ ତାଙ୍କୁ ଠିକଣା ଭାବେ ହାତେଇ ପାରିବୁ ବୋଲି କହିଛନ୍ତି ମାର୍କ ଉଡ୍‌।
ଭାରତ ସମ୍ଭାବ୍ୟ ୧୧: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, କେଏଲ୍‌ ରାହୁଲ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ଉମେଶ ଯାଦବ।
ଇଂଲଣ୍ଡ ସମ୍ଭାବ୍ୟ ୧୧: ଜାସନ୍‌ ରୟ/ଜେମ୍‌ସ ଭିନ୍‌ସ, ଜନି ବେୟାରଷ୍ଟୋ, ଜୋ ରୁଟ୍‌, ଇଅନ୍‌ ମୋର୍ଗାନ୍‌ (ଅଧିନାୟକ), ବେନ୍‌ ଷ୍ଟୋକ୍‌ସ, ଜୋସ୍‌ ବଟଲର୍‌ (ଓ୍ଵିକେଟରକ୍ଷକ), ମୋଇନ୍‌ ଅଲୀ, ଡେଭିଡ୍‌ ଓ୍ଵିଲି, ଆଦିଲ୍‌ ରସିଦ୍‌, ଲିଆମ୍‌ ପ୍ଲଙ୍କେଟ, ମାର୍କ ଉଡ୍‌।

ସମ୍ବନ୍ଧିତ ଖବର