ମେଲ୍‌ବର୍ଣ୍ଣ: ୱିମ୍ବଲଡନ୍‌ ବିଜୟିନୀ ମାର୍କେଟା ଭୋନ୍ଦ୍ରୌସୋଭା ଓ ଏଠାରେ ଦୁଇ ଥର (୨୦୧୯, ୨୦୨୧) ଟ୍ରଫି ଜିତିଥିବା ନାଓମି ଓସାକା ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସୋମବାର ସପ୍ତମ ମାନ୍ୟତାପ୍ରାପ୍ତ ଚେକ୍‌ଗଣରାଜ୍ୟର ଭୋନ୍ଦ୍ରୌସୋଭାଙ୍କୁ ୬-୧, ୬-୨ ସିଧାସଳଖ ସେଟ୍‌ରେ ୟୁକ୍ରେନ୍‌ରେ କ୍ବାଲିଫାୟାର ଡାୟାନା ୟାଷ୍ଟ୍ରିମସ୍କା ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି। ୨୪ ବର୍ଷୀୟା ଭୋନ୍ଦ୍ରୌସୋଭା ପ୍ରଥମ ଅଣମାନ୍ୟତାପ୍ରାପ୍ତ ଖେଳାଳି ଭାବେ ଗତ ବର୍ଷ ଅଲ୍‌ଇଂଲଣ୍ଡ ମୁକୁଟ ହାତେଇଥିଲେ। ଅନ୍ୟପକ୍ଷରେ ୨୩ ବର୍ଷୀୟା ୟାଷ୍ଟ୍ରିମସ୍କା ୨୦୧୯ରେ ମେଲ୍‌ବର୍ଣ୍ଣରେ ତୃତୀୟ ରାଉଣ୍ଡରେ ପହଞ୍ଚିଥିଲେ। ସନ୍ତାନ ପ୍ରସବ ପାଇଁ ଗୋଟିଏ ବର୍ଷ ‌ଟେନିସଠୁ ଦୂରେଇ ରହିଥିବା ଜାପାନୀ ଖେଳାଳି ଓସାକାଙ୍କ ପ୍ରତ୍ୟାବର୍ତ୍ତନ ଫିକା ପଡ଼ିଛି। ଏହି ୪ ଥରର ଗ୍ରାଣ୍ଡସ୍ଲାମ୍‌ ବିଜୟିନୀଙ୍କୁ ଷୋଡ଼ଶ ମାନ୍ୟତାପ୍ରାପ୍ତ ଫ୍ରାନ୍ସର କାରୋଲିନ ଗାର୍ସିଆ ୬-୪, ୭-୬ ସେଟ୍‌ରେ ମାତ୍‌ ଦେଇଥିଲେ। ଅନ୍ୟତାରକା ମହିଳା ଖେଳାଳି ଆମେରିକାର କୋକୋ ଗଫ, ଟ୍ୟୁନିସିଆର ଓନ୍ସ ଜାବିଉର ଓ ବ୍ରାଜିଲର ବିଟ୍ରିଜ ହାଡାଡ ମାଇଆ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଚତୁର୍ଥ ମାନ୍ୟତାପ୍ରାପ୍ତ ‌ଗଫ୍‌ ୬-୩, ୬-୦ ସେଟ୍‌ରେ ସ୍ଲୋଭାକିଆର ଆନ୍ନା କାରୋଲିନା ଶ୍ଚମିଏଡଲୋଭାଙ୍କୁ, ଷଷ୍ଠ ମାନ୍ୟତାପ୍ରାପ୍ତ ତଥା ପ୍ରଥମ ଆରବ ଓ ଆଫ୍ରିକା ମହିଳା ଭାବେ ଗ୍ରାଣ୍ଡସ୍ଲାମ ବିଜୟିନୀ ଜାବିଉର ୬-୩, ୬-୧ ସେଟ୍‌ରେ ୟୁକ୍ରେନ୍‌ର ୟୁଲିଆ ଷ୍ଟାରୋଡୁବସେବାଙ୍କୁ ଏବଂ ଦଶମ ମାନ୍ୟତାପ୍ରାପ୍ତ ମାଇଆ ୬-୩, ୩-୬, ୬-୨ ସେଟ୍‌ରେ ଚେକ୍‌ ଗଣରାଜ୍ୟର ଲିଣ୍ଡା ଫ୍ରୁଭିର୍ଟୋଭାଙ୍କୁ ହରାଇଥିଲେ।

Advertisment

ପୁରୁଷ ଏକକରେ ଦୁଇ ଥରର ଫାଇନାଲିଷ୍ଟ ଡାନିଲ ମେଦଭେଦେଭଙ୍କ ସହ ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନୌର ପ୍ରଥମ ରାଉଣ୍ଡ ୱାକ୍‌ଓଭର ପାଇ ଆଗକୁ ବଢ଼ିଛନ୍ତି। ଫ୍ରାନ୍ସର ଟେରେନ୍ସ ଆଟ୍‌ମାନ୍‌ ଓ କାନାଡାର ରାଓନିକ୍‌ ଆଘାତ ଜନିତ କାରଣରୁ ଓହରିଯିବାରୁ ଯଥାକ୍ରମେ ତୃତୀୟ ମାନ୍ୟତାପ୍ରାପ୍ତ ମେଦଭେଦେଭ ଓ ନବମ ମାନ୍ୟତାପ୍ରାପ୍ତ ଡି’ମିନୌର ବିଜୟୀ ଘୋଷିତ ହୋଇଥିଲେ। ଅନ୍ୟପକ୍ଷରେ ଗ୍ରିସ୍‌ ‌ଷ୍ଟିଫାନସ ସିସିପାସ, ପୋଲାଣ୍ଡର ହୁବର୍ତ ହର୍କାଜ, ରୁଷିଆର କାରେନ ଖାଚାନୋଭ ଓ ଆମେରିକାର ବେନ୍‌ ସେଲ୍‌ଟନ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ସପ୍ତମ ମାନ୍ୟତାପ୍ରାପ୍ତ ସିସିପାସ ୫-୭, ୬-୧, ୬-୧, ୬-୩ ସେଟ୍‌ରେ ଜର୍ମାନିର ଜିଜୋଉ ବର୍ଗ୍ସଙ୍କୁ, ନବମ ମାନ୍ୟତାପ୍ରାପ୍ତ ହର୍କାଜ ୭-୬, ୬-୪, ୬-୨ ସେଟ୍‌ରେ ଅଷ୍ଟ୍ରେଲିଆର ଓମାର ଜେସିକାଙ୍କୁ, ପଞ୍ଚଦଶ ମାନ୍ୟତାପ୍ରାପ୍ତ ଖାଚାନୋଭ ୫-୭, ୬-୩, ୭-୬,୭-୬ ସେଟ୍‌ରେ ଜର୍ମାନିର ଡାନିଏଲ ଅଲଟମାଇରଙ୍କୁ ଓ ଷୋଡ଼ଶ ମାନ୍ୟତାପ୍ରାପ୍ତ ସେଲଟନ୍‌ ୬-୨, ୭-୬, ୭-୫ ସେଟ୍‌ରେ ସ୍ପେନ୍‌ର ରୋବର୍ତୋ ବୌତିଷ୍ଟା ଅଗଟଙ୍କୁ ପରାସ୍ତ କରିଥିଲେ। ତେବେ ୫ ଥରର ଫାଇନାଲିଷ୍ଟ ଇଂଲଣ୍ଡର ଆଣ୍ଡି ମରେଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ୩ ଥରର ଗ୍ରାଣ୍ଡସ୍ଲାମ ବିଜେତା ୩୬ ବର୍ଷୀୟ ମରେ ୪-୬, ୨-୬, ୨-୬ ସେଟ୍‌ରେ ଆର୍ଜେଣ୍ଟିନାର ତୋମାସ ମାର୍ଟିନ ଏଚଭେରିଙ୍କଠୁ ହାରିଯାଇଥିଲେ।