ଲଣ୍ଡନ: ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ‘ୱିମ୍ବଲଡନ୍‌’ର ଅଲ୍ ଇଂଲଣ୍ଡ ଲନ୍‌ରେ ୭ଥର ବିଜେତା ସର୍ବିୟାର ନୋଭାକ ଜୋକୋଭିକ୍‌ ଶତକୀୟ ଏକକ ବିଜୟ ହାସଲ କରିଛନ୍ତି। ୨୫ତମ ଗ୍ରାଣ୍ଡସ୍ଲାମ୍ ବିଜୟ ଲକ୍ଷ୍ୟରେ ଥିବା ଏହି ମହାନ କ୍ରୀଡ଼ା ତାରକା ଚଳିତ ୱିମ୍ବଲଡନ୍‌ର ତୃତୀୟ ରାଉଣ୍ଡ୍‌ରେ ନିଜ ଦେଶର ମିଲୋମିର କେକମାନୋଭିକଙ୍କୁ ସିଧାସଳଖ ୬-୩, ୬-୦, ୬-୪ ସେଟ୍‌ରେ ପରାସ୍ତ କରି ଏହି ନିଆରା ରେକର୍ଡ କରିଛନ୍ତି। ଏଭଳି କରିବାରେ ଆମେରିକାର କିଂବଦନ୍ତି ମହିଳା ଟେନିସ୍ ତାରକା ମାର୍ଟିନା ନାଭ୍ରାତିଲୋଭା ଓ ସ୍ବିଜରଲାଣ୍ଡର ସଫଳତମ ଟେନିସ୍ ଖେଳାଳି ରୋଜର ଫେଡେରରଙ୍କ ସହ ସମକକ୍ଷ ହୋଇଛନ୍ତି। ଏହି ରେକର୍ଡ ଛୁଇଁବା ପରେ ୩୮ବର୍ଷୀୟ ଜୋକୋଭିକ କହିଛନ୍ତି, ଏହି ଐତିହାସିକ ମାଇଲ୍‌ଖୁଣ୍ଟ ଛୁଇଁ ବହୁତ ଖୁସି ଲାଗୁଛି।

Advertisment

ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ। ଏଭଳି ଏକ ସ୍ଥିତିରେ ଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଟେନିସ୍ ମୋତେ ସବୁକିଛି ଦେଇଛି। ଏହା ମୋତେ ଆହୁରି ଭଲ କରିବା ଲାଗି ପ୍ରେରଣା ଦେଇଛି। ନିଜ ୭ବର୍ଷୀୟ ଝିଅ ତାରାର ଉପସ୍ଥିତିରେ ଏଭଳି ଏକ ରେକର୍ଡ କରିବା ନୋ କୋଭିକଙ୍କୁ ଅଧିକ ଉଲ୍ଲସିତ କରିଛି। ତାରା ମଧ୍ୟ ମ୍ୟାଚ୍ ସାରା ପିତାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଏଥିଲାଗି ସେ ହିଁ ଅଲ୍‌ ଇଂଲଣ୍ଡ ଲନ୍‌ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସେହିଭଳି ରୁଷିଆର ସପ୍ତଦଶ ସିଡ୍ ଖେଳାଳି କାରେନ୍ ଖଚାନୋଭ ୬-୪, ୬-୨, ୬-୩ରେ ପୋଲାଣ୍ଡର କାମିଲ ମାଚଜକ୍‌ଙ୍କୁ ହରାଇ କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେହିଭଳି ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଜୋର୍ଡାନ୍ ଥମ୍ପସନ୍ ୬-୧, ୩-୦ରେ ପଛୁଆ ଥାଇ ତୃତୀୟ ରାଉଣ୍ଡ୍ ମୁକାବିଲାରୁ ଓହରିଯିବା ପରେ ପଞ୍ଚମ ସିଡ୍ ଆମେରିକାର ଟେଲର ଫ୍ରିଜ୍ ମଧ୍ୟ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। 

ପୁରୁଷ ଯୁଗଳ ତୃତୀୟ ରାଉଣ୍ଡ୍‌ରେ ଭାମ୍ବ୍ରି-ଗଲୋୱେ
ୱିମ୍ବଲଡନ୍ ଓପନ୍‌ର ପୁରୁଷ ଯୁଗଳରେ ଭାରତର ୟୁକି ଭାମ୍ବ୍ରି ଓ ଆମେରିକାର ରୋବର୍ଟ ଗଲୋୱେ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ଦ୍ବିତୀୟ ରାଉଣ୍ଡ୍‌ରେ ଏହି ଭାରତ-ଆମେରିକା ଯୋଡ଼ି ପର୍ତ୍ତୁଗାଲର ନୁନୋ ବର୍ଗେସ୍ ଓ ଆମେରିକାର ମାର୍କୋସ୍ ଗିରନଙ୍କୁ ୬-୩, ୭-୬(୮-୬)ରେ ପରାସ୍ତ କରିଛନ୍ତି। ଭାମ୍ବ୍ରିଙ୍କ ମିଶ୍ରିତ ଯୁଗଳ ଅଭିଯାନ ମଧ୍ୟ ଜାରି ରହିଛି। ଚୀନର ଜିଆଙ୍ଗ ଜିନୟୁ ଓ ସେ ପ୍ରଥମ ରାଉଣ୍ଡ୍‌ରେ ଆମେରିକାର ନିକୋଲ ମେଲିଚାର ମାର୍ଟିନେଜ୍ ଓ କ୍ରିଷ୍ଟିଆନ ହାରିସନଙ୍କୁ ୬-୩, ୧-୬, ୭-୬ (୧୦-୬)ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି।