ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତା: କ୍ବାର୍ଟରରେ ପେଗୁଲା, ରୁବଲେଭ, ସିନର; ସାପୋଭାଲୋଭ ବିଦା

ଲଣ୍ଡନ : ଚତୁର୍ଥ ମାନ୍ୟତାପ୍ରାପ୍ତ ଜେସିକ ପେଗୁଲା ଚଳିତ ୱିମ୍ବଲଡନ୍‌ ଟେନିସ ପ୍ରତ‌ିଯୋଗିତାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ପେଗୁଲା ୬-୧, ୬-୩ ସେଟ୍‌ରେ ୟୁକ୍ରେନର ଲେସିଆ ସୁରେଙ୍କୋଙ୍କୁ ପରାସ୍ତ କରିଛନ୍ତି। ଏଠାରେ ପ୍ରଥମ ଏବଂ ଷଷ୍ଠ ଗ୍ରାଣ୍ଡ ସ୍ଲାମ୍‌ କ୍ବାଟର୍ର ଫାଇନାଲ୍‌ ପହଞ୍ଚିଥିବା ପେଗୁଲା ସେମିଫାଇନାଲ୍‌ରେ ସ୍ଥାନ ଲାଗି ଚେକ୍‌ଗଣରାଜ୍ୟର ମାର୍କେଟା ଭୋଣ୍ଡ୍ରୋସୋଭାଙ୍କୁ ଭେଟିବେ। ଭୋଣ୍ଡ୍ରୋସୋଭା ପ୍ରିକ୍ବାର୍ଟର ଫାଇନାଲ୍‌ରେ ନିଜ ଦେଶର ମାରି ବୌଜକୋଭାଙ୍କୁ ୨-୬, ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଭୋଣ୍ଡ୍ରୋସୋଭାଙ୍କ ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ କ୍ବାର୍ଟର ଫାଇନାଲ୍‌।

ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରୁ ୨୦୨୧ ସେମିଫାଇନାଲିଷ୍ଟ କାନାଡ଼ାର ଡେନିସ ସାପୋଭାଲୋଭ ବିଦାୟ ନେଇଛନ୍ତି। ୨୮ ମାନ୍ୟତାପ୍ରାପ୍ତ ସାପୋଭାଲୋଭ ୬-୩, ୩-୬, ୧-୬, ୩-୬ ସେଟ୍‌ରେ ରୁଷିଆର ରୋମାନ ସାଫିଉଲିନ୍‌ଙ୍କଠୁ ହାରି ଯାଇଛନ୍ତି। ଏଥିସହ ସାଫିଉଲିନ ପ୍ରଥମ ଥର ଲାଗି ଗ୍ରାଣ୍ଡ ସ୍ଲାମ୍‌ କ୍ବାର୍ଟର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି। ତେବେ ସପ୍ତମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭ ଓ ଅଷ୍ଟମ ମାନ୍ୟତାପ୍ରାପ୍ତ ଜାନିକ ସିନର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ରୁଷିଆର ରୁବଲେଭ ୭-୬, ୬-୩, ୬-୭, ୬-୭, ୬-୪ ସେଟ୍‌ରେ ୨୩ ମାନ୍ୟତାପ୍ରାପ୍ତ କାଜାଖସ୍ତାନର ଆଲେକ୍‌ଜାଣ୍ଡର ବୁବଲିକ୍‌ଙ୍କୁ ଏବଂ ଇଟାଲିର ସିନର ୭-୬, ୬-୪, ୬-୩ ସେଟ୍‌ରେ କଲମ୍ବିଆର ଡାନିଏଲ ଇଲାହି ଗାଲାନଙ୍କୁ ପରାସ୍ତ କରିଥିଲେ।

ବାଳକ ଏକକ ଦ୍ବିତୀୟ ରାଉଣ୍ଡରେ ମାନସ

ଯୁବ ଭାରତୀୟ ଟେନିସ ଖେଳାଳି ମାନସ ଧାମନେ ୱିମ୍ବଲଡନ୍‌ ବାଳକ ଏକକ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରବିବାର ପ୍ରଥମ ରାଉଣ୍ଡ ମୁକାବିଲାରେ ୪୭ ମାନ୍ୟାତାପ୍ରାପ୍ତ ଏହି ୧୫ ବର୍ଷୀୟ ଯୁବକ ସିଧାସଳଖ ୬-୨, ୬-୪ ସେଟ୍‌ରେ ୪୭ ମାନ୍ୟାତାପ୍ରାପ୍ତ ଏହି ୧୬ ବର୍ଷୀୟ ଅଷ୍ଟ୍ରେଲିଆର ହେଡେନ୍‌ ଜୋନ୍ସଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ମାନସଙ୍କୁ ୧ ଘଣ୍ଟା ୧୩ ମିନିଟ୍‌ ଲାଗିଥିଲା। ଦ୍ବିତୀୟ ରାଉଣ୍ଡରେ ସେ ବିଶ୍ବର ୨ ନମ୍ବର ବଲଭିଆର ଜୁଆନ କାର୍ଲୋସ ପ୍ରାଡୋ ଆଞ୍ଜେଲୋଙ୍କୁ ଭେଟିବେ। ପୂର୍ବରୁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଖେଳିଥିବା ମାନସ ଆହତ ଯୋଗୁଁ ଦ୍ବିତୀୟ ରାଉଣ୍ଡରୁ ଓହରି ଯାଇଥିଲେ। ତେବେ ବରିଷ୍ଠ ବର୍ଗ ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡରୁ ଭାରତୀୟ ‌ଯୋଡ଼ି ସକେତ ମିନେନି ଓ ୟୁକି ଭାମ୍ବ୍ରି ବିଦାୟ ନେଇଛନ୍ତି। ଏହି ଭାରତୀୟ ଯୋଡ଼ି ୪-୬, ୬-୪, ୪-୬ ସେଟ୍‌ରେ ସ୍ପେନ୍‌ର ଆଲ୍‌ଜାଣ୍ଡ୍ରୋ ଫୋକିନା ଓ ଫ୍ରାନ୍ସର ଆଦ୍ରିଆନ୍‌ ମାନାରିନୋଙ୍କଠୁ ହରିଯାଇଥିଲେ।

ସମ୍ବନ୍ଧିତ ଖବର