ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର, ଫାଇନାଲ୍‌ରେ ବାର୍ଟି-ପ୍ଲିସ୍‌କୋଭା

ଲଣ୍ଡନ: ଚଳିତ ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର ମହିଳା ଏକକ ବର୍ଗ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି ଏବଂ ଅଷ୍ଟମ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସ୍‌କୋଭା ମୁହାଁମୁହିଁ ହେବେ। ୨୦୧୯ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଅଷ୍ଟ୍ରେଲିଆ ତାରକା ଗୁରୁବାର ପ୍ରଥମ ସେମିଫାଇନାଲ୍‌ ମୁକାବିଲାରେ ସିଧାସଳଖ ୬-୩, ୭-୬ (୭/୩) ସେଟ୍‌ରେ ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ତଥା ପୂର୍ବତନ ଏକନମ୍ବର ଖେଳାଳି ଜର୍ମାନିର ଆଞ୍ଜେଲିକ୍‌ କର୍ବରଙ୍କୁ ମାତ୍‌ ଦେଇଥିଲେ।

ପ୍ରଥମ ସେଟ୍‌କୁ ସହଜରେ ଜିତିବା ପରେ ୨୫ ବର୍ଷୀୟ ବାର୍ଟି ଦ୍ବିତୀୟ ସେଟ୍‌ରେ କଡ଼ା ସଂଘର୍ଷ କରି ପ୍ରଥମ ଥର ଲାଗି ଏଠାରେ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଅନ୍ୟପକ୍ଷରେ ୧ ଘଣ୍ଟା ୨୭ ମିନିଟ୍‌ର ସଂଘର୍ଷ ପରେ ୨୦୧୮ ୱିମ୍ବଲଡନ୍‌ ବିଜୟିନୀ କର୍ବର ପରାଜୟର ମୁହଁ ଦେଖିଥିଲେ। ସେହିପରି ଦ୍ବିତୀୟ ସେମିଫାଇନାଲ୍‌ରେ ଚେକ୍‌ଗଣରାଜ୍ୟର ପ୍ଲିସ୍‌କୋଭା ସାମାନ୍ୟ ସଂଘର୍ଷ କରି ୫-୭, ୬-୪, ୬-୪ ସେଟ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଥିଲେ। ୧ ଘଣ୍ଟା ୫୩ ମିନିଟ୍‌ ଧରି ଚାଲିଥିବା ଏହି ସେମିଫାଇନାଲ୍‌ର ପ୍ରଥମ ସେଟ୍‌ ହାରିଯାଇଥିବା ଏହି ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ପ୍ଲିସ୍‌କୋଭା ‌ପରବର୍ତ୍ତୀ ଦୁଇ ସେଟ୍‌କୁ ସହଜରେ ଜିତି ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ ସ୍ଥାନ ପକ୍କ‌ା କରିଛନ୍ତି।

ସମ୍ବନ୍ଧିତ ଖବର