କ୍ରିକେଟ୍‌ ପ୍ରେମରେ ପଡ଼ିଥିଲେ ୱିମ୍ବଲଡନ୍‌ ବିଜୟିନୀ ବାର୍ଟି, ଡବ୍ଲୁବିବିଏଲ୍‌ରେ ବ୍ରିସ୍‌ବେନ୍‌ ହିଟ୍‌ ପାଇଁ ଖେଳିଥିଲେ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆ ଟେନିସ୍‌ ଲଳନା ଆସ୍‌ଲେ ବାର୍ଟି ଜଣେ ଅସାଧାରଣ ମହିଳା। ଶନିବାର ସେ ଦେଶ ପାଇଁ ୱିମ୍ବଲଡନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବାରେ ୪୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇଛନ୍ତି। ୧୯୮୦ ମସିହାରେ ଏଭୋନେ ଗୁଲାଗଙ୍ଗ୍‌ଙ୍କ ପରେ ସେ ପ୍ରଥମ ମହିଳା ଭାବେ ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ଟ୍ରଫି ତୋଳି ଧରିଥିଲେ। ଶନିବାର ଫାଇନାଲ୍‌ରେ ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭାଙ୍କୁ ପରାସ୍ତ କରି ୱିମଲଡନ୍‌ରେ ପ୍ରଥମ ଏବଂ ମୋଟ ଉପରେ ନିଜର ଦ୍ବିତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିଥିଲେ। ସେ ପୂର୍ବରୁ ୨୦୧୯ରେ ଫ୍ରେଞ୍ଚ୍‌ ଓପନ୍‌ ଜିତିଥିଲେ।

ହେଲେ ତାଙ୍କ ସଂପର୍କରେ କିଛି ଅଜଣା କଥା ରହିଯାଇଛି। ଯାହାକୁ ହୁଏତ ଅଧିକାଂଶ ଜାଣିନଥିବେ। ଏହି ୨୫ ବର୍ଷ ବୟସ୍କା ବାର୍ଟି କେବଳ ଟେନିସ୍‌ରେ ନିଜକୁ ପ୍ରତିଷ୍ଠିତ କରିନାହାନ୍ତି ବରଂ ଏକଦା ସେ କ୍ରିକେଟ୍‌ ପ୍ରେମରେ ବି ପଡ଼ିଯାଇଥିଲେ। ଜଣେ ପେସାଦାର କ୍ରିକେଟର୍‌ ଭାବେ ସେ ମହିଳା ବିଗ୍‌ ବାସ୍‌ ଲିଗ୍‌ (ଡବ୍ଲୁବିବିଏଲ୍‌)ରେ ମଧ୍ୟ ଖେଳିଥିଲେ। ୨୦୧୪ରେ ସେ କ୍ରିକେଟ୍‌ ଖେଳିବା ପାଇଁ ଟେନିସ୍‌ରୁ ବିରତି ନେଇଥିଲେ। ସେତେବେଳେ ସେ ବ୍ରିସ୍‌ବେନ୍‌ ହିଟ୍‌ ଦଳ ପକ୍ଷରୁ ପ୍ରତିନିଧିତ୍ବ କରି କେତେକ ମ୍ୟାଚ୍‌ ଖେଳିଥିଲେ। ଏହା ମୋ ଜୀବନରେ ବାସ୍ତବରେ ମଜାଦାର ସମୟ ଥିଲା। ମୁଁ ଏକ ଚମତ୍କାର ଗ୍ରୁପ୍‌ର ମହିଳାମାନଙ୍କୁ ଭେଟିଥିଲି। ଯେଉଁମାନେ କି ମୁଁ ଟେନିସ୍‌ ବଲ୍‌କୁ ପ୍ରହାର କରିପାରିବି ନା ନାହିଁ ସନ୍ଦୀହାନ ଥିଲେ। ତଥାପି ସେମାନେ ମୋ‌ତେ ଗ୍ରହଣ କରିଥିଲେ ଏବଂ ବାର୍ଟିଙ୍କୁ ଜାଣିବାକୁ ପାଇଥିଲେ। ସେହିଦିନର ବନ୍ଧୁମାନଙ୍କ ସହ ଏବେ ବି ମୋର ସୁସଂପର୍କ ରହିଛି। ସେତେବେଳର ସେହି ବନ୍ଧୁମାନଙ୍କଠାରୁ ଗତ ଦୁଇ ଦିନ ଧରି ମୋ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ବୋଲି ବାର୍ଟି କହିଛନ୍ତି।

ସମ୍ବନ୍ଧିତ ଖବର